ଗୁଜରାଟର ସୁରତରୁ ୪ଟି ବସ୍‌ ଯୋଗେ ଫେରୁଛନ୍ତି ୨୫୦ ପ୍ରବାସୀ ଓଡ଼ିଆ; ସମସ୍ତେ ଗଞ୍ଜାମବାସୀ

ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ପ୍ରାୟ ସାଢ଼େ ସାତ ଲକ୍ଷ ଓଡ଼ିଆ ଶ୍ରମିକ ଅଟକି ରହିଛନ୍ତି । ସର୍ବାଧିକ ଓଡ଼ିଆ ଗୁଜରାଟର ବିଭିନ୍ନ ସ୍ଥାନରେ ଅଛନ୍ତି । ଗତ ୪୮ ଘଣ୍ଟା ମଧ୍ୟରେ ୪ ଲକ୍ଷ ୮୬ ହଜାର ପ୍ରବାସୀ ଓଡ଼ିଆ ରାଜ୍ୟ ସରକାରଙ୍କ ୱେବସାଇଟରେ ପଞ୍ଜୀକରଣ କରିଛନ୍ତି ।

ଗୁଜରାଟର ସୁରତରୁ ୪ଟି ବସ୍‌ ଯୋଗେ ଫେରୁଛନ୍ତି ୨୫୦ ପ୍ରବାସୀ ଓଡ଼ିଆ; ସମସ୍ତେ ଗଞ୍ଜାମବାସୀ
ସୁରଟରେ ଗୋଟିଏ ବସରେ ବସିଥିବା ପ୍ରବାସୀ ଓଡ଼ିଆମାନେ
  • News18 Odia
  • Last Updated: April 27, 2020, 9:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗୁଜରାଟର ସୁରତରୁ ଆଜି ଓଡ଼ିଶା ଅଭିମୁଖେ ଫେରିବା ଆରମ୍ଭ କରିଛନ୍ତି ପ୍ରବାସୀ ଓଡ଼ିଆମାନେ । ଚାରିଟି ବସ୍‌ ଯୋଗେ ଓଡ଼ିଶାକୁ ଫେରୁଛନ୍ତି ପାଖାପାଖି ୨୫୦ ଓଡ଼ିଆ । ତିନିଟି ବସ୍‌ ପାଣ୍ଡେସରାରୁ ଓ ଗୋଟିଏ ବସ୍‌ ସାୟନରୁ ଆସୁଛି । ଏହି ସମସ୍ତ ପ୍ରବାସୀ ଓଡ଼ିଆ ଗଞ୍ଜାମ ନିବାସୀ ଓ ସେମାନେ ନିଜ ଘରକୁ ଫେରୁଛନ୍ତି ।

ଫେରୁଥିବା ଓଡ଼ିଆମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତି ଆରମ୍ଭ କରିଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବ । ସେଠାରେ ସେମାନଙ୍କର ରହିବା ଓ ଖାଇବାପିଇବାର ବ୍ୟବସ୍ଥା ହେବ । ସେଠି ୧୪ ଦିନ ରହିବା ପରେ ସେମାନଙ୍କୁ ଛଡ଼ାଯିବ ।

ଗତ କାଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ସହ କଥା ହୋଇଥିଲେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିରେ ହୋଇଥିବା ଏହି ଆଲୋଚନାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଆଲୋଚନା ପରେ ଗୁଜରାଟରେ ଥିବା ଓଡ଼ିଆ ଶ୍ରମିକମାନଙ୍କୁ ଓଡ଼ିଶା ଫେରାଇବା ପାଇଁ ନିଷ୍ପତ୍ତି ନେଇଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ଚାରିଟି ବସ୍ ଭିତରୁ ଗୋଟିଏ


ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ପ୍ରାୟ ସାଢ଼େ ସାତ ଲକ୍ଷ ଓଡ଼ିଆ ଶ୍ରମିକ ଅଟକି ରହିଛନ୍ତି । ସେମାନଙ୍କ ଭିତରୁ ସର୍ବାଧିକ ଓଡ଼ିଆ ଗୁଜରାଟର ବିଭିନ୍ନ ସ୍ଥାନରେ ରହିଛନ୍ତି । ଗତ ୪୮ ଘଣ୍ଟା ମଧ୍ୟରେ ୪ ଲକ୍ଷ ୮୬ ହଜାର ପ୍ରବାସୀ ଓଡ଼ିଆ ରାଜ୍ୟ ସରକାରଙ୍କ ୱେବସାଇଟରେ ପଞ୍ଜୀକରଣ କରିବା ପରେ ଏ କଥା ଷ୍ପଷ୍ଟ ହୋଇଛି ।

ବାକି ଥିବା ଓଡ଼ିଆ ଶ୍ରମିକମାନଙ୍କୁ ବସରେ ଆଣିବାକୁ ଯୋଜନା କରିଛନ୍ତି ସରକାର । ବିଶେଷ କରି ବସ୍ ଯୋଗେ ଆଣିବାକୁ ଯୋଜନା ହେଉଥିବା ଜଣା ପଡ଼ିଛି । ପ୍ରାୟ ୧୫ ହଜାର ସରକାରୀ ଓ ଘରୋଇ ବସକୁ ପଡୋଶୀ ରାଜ୍ୟକୁ ପଠାଯାଇ ଶ୍ରମିକଙ୍କୁ ଆଣିବାକୁ ଯୋଜନା ହେଉଛି । ଏହା ସହ ଅନ୍ୟ ରାଜ୍ୟର ବସ୍ ସହାୟତାରେ ଓଡିଆଙ୍କୁ ଅଣାଯିବ ।

କେଉଁ ଅଞ୍ଚଳରୁ କେତେ ଓଡ଼ିଆ ଶ୍ରମିକ ଆସିବେ ସେ ନେଇ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ସମନ୍ୱୟ କମିଟି ନିଷ୍ପତ୍ତି ନେବ ।  ତେବେ ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କୁ ସେହି ରାଜ୍ୟରେ କରୋନା ପରୀକ୍ଷା ପାଇଁ ଦାବି କରିଛି ଓଡିଶା ।

ଓଡ଼ିଆ ଲୋକଙ୍କୁ ଫେରାଇ ଆଣିବା ନେଇ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଶିଳ୍ପଦ୍ୟୋଗୀ ଓ ପୂର୍ବତନ ପ୍ରଶାସନିକ ଅଧିକାରୀମାନେ । ସେମାନଙ୍କ ମତରେ ଏହା ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବ୍ୟତିକ୍ରମ ଉଦ୍ୟମ । ଏହାକୁ ଅନ୍ୟ ରାଜ୍ୟ ମଧ୍ୟ ଅନୁକରଣ କରିବେ । ଅନ୍ୟ ପକ୍ଷରେ ବୁଦ୍ଧିଜୀବୀଙ୍କ ମତରେ ଅଧିକ ଲୋକ ଫେରିବା ପରେ ସ୍ଥିତି କିଭଳି ସନ୍ତୁଳିତ ରଖିହେବ ତାହାକୁ ସରକାର ପ୍ରାଥମିକତା ଦେବା ଦରକାର । ଶ୍ରମିକମାନେ ଫେରିବା ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆର୍ଥିକ ସହାୟତା ଦାବି କରିଛନ୍ତି ଶ୍ରମିକ ନେତା ।
First published: April 27, 2020, 9:10 PM IST
corona virus btn
corona virus btn
Loading