ରାଜ୍ୟରେ ଟ୍ରାକକୁ ଫେରୁଛନ୍ତି କ୍ଷୁଦ୍ର ଶିଳ୍ପ ସଂସ୍ଥାମାନେ; ଅଣ୍ଟା ସଳଖିବାକୁ ସରକାରୀ ସାହାଯ୍ୟ ଦରକାର

MSMEs in Odisha start reopening | କୋଭିଡ ନିୟନ୍ତ୍ରଣ ଉପରେ ନିର୍ଭର କରୁଛି ରାଜ୍ୟର ୧୫ ଲକ୍ଷରୁ ଅଧିକ କ୍ଷୁଦ୍ର ଶିଳ୍ପଦ୍ୟୋଗୀଙ୍କ ଭାଗ୍ୟ । ଏବେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି । ବନ୍ଦ ପଡ଼ିଥିବା ଅନେକ ଲଘୁ ଶିଳ୍ପ ସଂସ୍ଥା ଚାଲୁ ହେଉଛନ୍ତି । ଲମ୍ବା ଛୁଟିରୁ କର୍ମଚାରୀମାନେ ବି ଫେରୁଛନ୍ତି ।

ରାଜ୍ୟରେ ଟ୍ରାକକୁ ଫେରୁଛନ୍ତି କ୍ଷୁଦ୍ର ଶିଳ୍ପ ସଂସ୍ଥାମାନେ; ଅଣ୍ଟା ସଳଖିବାକୁ ସରକାରୀ ସାହାଯ୍ୟ ଦରକାର
ମଞ୍ଚେଶ୍ୱରରେ ଏକ କ୍ଷୁଦ୍ର ଶିଳ୍ପ ସଂସ୍ଥାରେ କାର୍ଯ୍ୟ ଆରମ୍ଭ ହୋଇଛି ।
  • News18 Odia
  • Last Updated: August 20, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଧୀରେ ଧୀରେ ଟ୍ରାକକୁ ଫେରୁଛି ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ର ବା ଏମଏସଏମଇ (MSME)। କରୋନା ମାଡ଼ରେ ଗତ ୬ ମାସ ଧରି ଏକ ପ୍ରକାର ଘାଇଲା ହୋଇ ଯାଇଥିବା ରାଜ୍ୟର ଏମଏସଏମଇ କ୍ଷେତ୍ରରେ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥା ଫେରୁଛି । ଅନଲକ-୩ରେ ସରକାର ଜୀବନ ସହିତ ଜୀବିକାକୁ ଗୁରୁତ୍ୱ ଦେଉଥିବାଡୁ ସ୍ଥିତି କ୍ରମଶଃ ସ୍ୱାଭାବିକ ଆଡ଼କୁ ଯାଉଛି ବୋଲି ଉଭୟ ଶିଳ୍ପ ସଂସ୍ଥାର କର୍ମଚାରୀ ଓ ଶିଳ୍ପଦ୍ୟୋଗୀ ମତ ଦେଇଛନ୍ତି ।

କୋଭିଡ କାରଣରୁ ପୁଣି ଥରେ ଲକଡାଉନ ଓ ସଟଡାଉନକୁ ନାପସନ୍ଦ କରିଛନ୍ତି ଅନେକ ଶିଳ୍ପଦ୍ୟୋଗୀ । ଅନ୍ୟ ପକ୍ଷରେ ଉତ୍କଳ ଚାମ୍ବର ଅଫ କମର୍ସ (ୟୁସିସିଆଇ) ଆଶଙ୍କା କରିଛି ଯେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ବି ପୂରା ସ୍ୱାଭାବିକ ହେବାକୁ ସମୟ ଲାଗିବ । ତେଣୁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା ହେବାର ଆବଶ୍ୟକତା ଅଛି ।

ପ୍ରାୟ ଛଅ ମାସ ଧରି ବାରମ୍ବାର ଲକଡାଉନ ଓ ସଟଡାଉନ ପରେ ରାଜ୍ୟରେ ବିପର୍ଯ୍ୟସ୍ତ ହେବାକୁ ଯାଉଥିବା ଏମଏସଏମଇର ଶିଳ୍ପ କ୍ଷେତ୍ରର ସ୍ଥିତି ଧୀରେ ଧୀରେ ସ୍ବାଭାବିକ ଆଡକୁ ଗତି କରୁଥିବାର ପ୍ରମାଣ ହେଉଛି ବନ୍ଦ ପଡିଥିବା ସଂଖ୍ୟାଧିକ ଲଘୁ ଶିଳ୍ପ ସଂସ୍ଥା ପୁଣି ଚାଲୁ ହେବା। ଏହା ସହିତ ଲମ୍ବା ଛୁଟିରେ ଥିବା କର୍ମଚାରୀମାନେ ମଧ୍ୟ କର୍ମକ୍ଷେତ୍ରକୁ ଫେରିବା ଆରମ୍ଭ କଲେଣି ।

ରାଜ୍ୟରେ ପ୍ରାୟ ୧୫ ଲକ୍ଷରୁ ଅଧିକ ପଞ୍ଜିକୃତ ଶିଳ୍ପଦ୍ୟୋଗୀ ଅଛନ୍ତି ।


ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ଏହା ହେଉଛି ଏବର ଦୃଶ୍ୟ । ପ୍ରାୟ ଛଅ ମାସ ବ୍ୟବଧାନରେ ସାମାଜିକ ଦୂରତ୍ୱ ଭିତରେ ଏଠି ଅନେକ ଶିଳ୍ପ ପ୍ରତିଷ୍ଠାନରେ କାମ  ଚାଲିଛି। ଚଳଚଞ୍ଚଳ ହେବାରେ ଲାଗିଛି ଜୀବନ। ଅନଲକ-୩ ଭିତରେ ଜୀବନ ସହିତ ଜୀବିକାକୁ ସରକାର ଗୁରୁତ୍ୱ ଦେଉଥିବାରୁ ଧୀରେ ଧୀରେ ସ୍ଥିତି ସ୍ବାଭାବିକ ଆଡକୁ ଗତି କରୁଛି ବୋଲି ଉଭୟ କର୍ମଚାରୀ ଓ ଶିଳ୍ପଦ୍ୟୋଗୀ କହିଛନ୍ତି । ତେବେ ସ୍ବାଭାବିକ ସ୍ଥିତି ଆସିବାକୁ ସମୟ ଲାଗିବ ବୋଲି ଅନେକଙ୍କ ମତ।

‘‘ଗତ ମାର୍ଚ୍ଚ ମାସରେ ଗାଁ ନୟାଗଡ଼କୁ ଯାଇଥିଲି। ଅଚାନକ ଲକଡାଉନ ଘୋଷଣା ହୋଇଗଲା। ଆଉ ଭୁବନେଶ୍ୱର ଫେରି ପାରିଲିନି। ବାରମ୍ବାର ଲକଡାଉନ ଓ ପୁଣି ସଟଡାଉନ ଭିତରେ ଘାଣ୍ଟି ହେଲି। ଏପଟେ ପାଖରେ ଗୋଟିଏ ଟଙ୍କା ବି ନ ଥିଲା । ଗାଁରେ ମୂଲ ବି ଲାଗି ପାରିଲିନି। ସବୁ ବେଳେ ମାନସିକ ଅଶାନ୍ତି ଭିତରେ ରହିଲି। ଭଗବାନଙ୍କୁ ଧନ୍ୟବାଦ ଏବେ ଅନଲକ-୩ ଆରମ୍ଭ ହୋଇଛି । ସେଥି ପାଇଁ ଭୁବନେଶ୍ୱର ଚାଲି ଆସିଛି। ଆମ ଫ୍ୟାକ୍ଟ୍ରିର ସବୁ ଲୋକ ଫେରିନାହାନ୍ତି । ତେବେ ଯାହା ହେଉ ଧୀରେ ଧୀରେ କାମ ଆରମ୍ଭ ହୋଇଛି, ଖୁସି ଲାଗୁଛି,’’ ବୋଲି କହିଛନ୍ତି ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ସୀମା ଏଣ୍ଟର ପ୍ରାଇଜର୍ସର କର୍ମଚାରୀ ଶକ୍ତିଧର ସାହୁ।

କ୍ଷୁଦ୍ର ଶିଳ୍ପଦ୍ୟୋଗୀ ବଂଶୀଧର ବାରିକ କହିଛନ୍ତି, ‘‘କେବଳ ଅନଲକ-୩ କାରଣରୁ ଶିଳ୍ପ ସଂସ୍ଥାଗୁଡ଼ିକ ଧୀରେ ଧୀରେ କାର୍ଯ୍ୟକ୍ଷମ ହେବା ଆରମ୍ଭ ହୋଇଛି। ଆଗରୁ ନା ଆମେ ଫ୍ୟାକ୍ଟ୍ରି ଖୋଲିପାରୁଥିଲୁ, ନା କର୍ମଚାରୀ କାମକୁ ଆସୁଥିଲେ। ଏବେ କିଛି କିଛି ଉତ୍ପାଦନ ହେଉଛି । ଭଲ ଲାଗୁଛି।  ତେବେ ପୂରା ଦମରେ  ବ୍ୟବସାୟ ଚାଲିବାକୁ ସମୟ ଲାଗିବ ।’’

ଏସବୁ ଭିତରେ ପୁଣି ଥରେ ଉଭୟ ସଟଡାଉନ ଓ ଲକ ଡାଉନ ଫେରିବା ଆଶଙ୍କାକୁ ନେଇ ଅନେକ ଶିଳ୍ପଦ୍ୟୋଗୀ ଆତଙ୍କିତ ଥିବା କହିଛନ୍ତି । କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପଦ୍ୟୋଗୀ  ସୁରେଶ ପ୍ରଧାନ କହିଛନ୍ତି, ‘‘ଗତ ଛଅ ମାସ ଧରି କିଛି ବ୍ୟବସାୟ ନ ଥିଲା। ଏବେ ଅନଲକ-୩ ଆରମ୍ଭ ହେବା ପରେ ଆମ  ବଞ୍ଚିବା ଆଶା ସାମାନ୍ୟ ଉଜ୍ଜୀବିତ ହୋଇଛି । ପୁଣି ଥରେ ଲକଡାଉନ ବା ସଟଡାଉନ ହେଲେ ଆମେ ଆଉ ଅଣ୍ଟା ସଳଖି ପାରିବୁ ନାହିଁ। ନହେଲେ ଗାଁକୁ ପଳେଇବୁ ।’’

ଏହା ବି ପଢ଼ନ୍ତୁ | ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ନିୟୋଜିତ ୯ ଜଣ ପୋଲିସ କର୍ମୀ କରୋନା ପଜିଟିଭ୍ ହେଲେ

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

‘‘ଏମଏସଏମଇ କ୍ଷେତ୍ରରେ ରାଜ୍ୟରେ ପଞ୍ଜିକୃତ ମୋଟ ଶିଳ୍ପଦ୍ୟୋଗୀଙ୍କ ସଂଖ୍ୟା ପ୍ରାୟ ୧୫ ଲକ୍ଷରୁ ଅଧିକ ।ଏମାନେ ବର୍ଷକୁ ପ୍ରାୟ ୪୫ ଲକ୍ଷ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାନ୍ତି । ଲକଡାଉନର ପ୍ରଭାବରେ ଏମାନେ ସଙ୍କଟରେ ଥିବା ଯୋଗୁଁ ପ୍ରାୟ  ୪ ଲକ୍ଷରୁ ଅଧିକ ଲୋକ କର୍ମ ସଂସ୍ଥାନ ହରାଇଛନ୍ତି । ଏବେ ଅନେକ ପ୍ରତିକୁଳ ସ୍ଥିତିରେ ଏମାନେ ଆଗକୁ ବଢ଼ିବାକୁ ଉଦ୍ୟମ କରୁଥିବା ବେଳେ ସରକାରୀ ସହଯୋଗ ଦରକାର । ନହେଲେ ରାଜ୍ୟରେ ବେକାରୀ ସଂଖ୍ୟା ବଢିବ।  ମୋଟ ଉପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ବି ପୂରା ସ୍ୱାଭାବିକ ହେବାକୁ ସମୟ ଲାଗିବ । ତେଣୁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଆନ୍ତଃ-ମନ୍ତ୍ରୀସ୍ତରୀୟ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା ହେବାର ଆବଶ୍ୟକତା ଅଛି,’’ କହିଛନ୍ତି ୟୁସିସିଆଇର ସଭାପତି ରମେଶ ମହାପାତ୍ର ।



ସାମଗ୍ରିକଭାବେ କହିଲେ କୋଭିଡ ନିୟନ୍ତ୍ରଣ ଉପରେ ନିର୍ଭର କରୁଛି ରାଜ୍ୟର ୧୫ ଲକ୍ଷରୁ ଅଧିକ କ୍ଷୁଦ୍ର ଶିଳ୍ପଦ୍ୟୋଗୀଙ୍କ ଭାଗ୍ୟ ।
Published by: Anand Shankar Thankur Das
First published: August 20, 2020, 11:59 PM IST
corona virus btn
corona virus btn
Loading