ଲକଡାଉନ ଓ ଖରାରେ ହନ୍ତସନ୍ତ ହେଉଥିବା ପଶୁପକ୍ଷୀଙ୍କୁ ଜଳ ଓ ଖାଦ୍ୟ ଯୋଗାଉଛନ୍ତି ଜଣେ କିନ୍ନର

ଲକଡାଉନ ଜାରି ହେବା ଦିନ ଠାରୁ ଚିନ୍ମୟୀ ରାସ୍ତାରେ ବୁଲିବୁଲି ବୁଲା କୁକୁର, ଗାଈ ଓ କାଉମାନଙ୍କୁ ଖାଇବାକୁ ଦେଉଛନ୍ତି । ଏଥି ପାଇଁ ସେ କାହାର ଆର୍ଥିକ ସହାୟତା ଲୋଡ଼ି ନାହାନ୍ତି ।

ଲକଡାଉନ ଓ ଖରାରେ ହନ୍ତସନ୍ତ ହେଉଥିବା ପଶୁପକ୍ଷୀଙ୍କୁ ଜଳ ଓ ଖାଦ୍ୟ ଯୋଗାଉଛନ୍ତି ଜଣେ କିନ୍ନର
ଚଢ଼େଇମାନଙ୍କ ପାଇଁ ମାଟି ପାତ୍ରରେ ପାଣି ରଖୁଛନ୍ତି ଚିନ୍ମୟୀ ଦାସ ।
  • News18 Odia
  • Last Updated: April 11, 2020, 5:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭିକାରୀ ମହାନ୍ତି | News18 Odia Digital

ଅନୁଗୁଳ: କରୋନା ଭାଇରସର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ସମୟରେ ଅନୁଗୁଳ ଅଞ୍ଚଳରେ ଖାଦ୍ୟ ଓ ଜଳ ଅଭାବରୁ ହନ୍ତସନ୍ତ ହେଉଥିବା ପଶୁପକ୍ଷୀଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ସମାଜସେବୀ ଚିନ୍ମୟୀ ଦାସ । ପ୍ରତି ଦିନ ସେ ବିଭିନ୍ନ ଜଙ୍ଗଲରେ ବୁଲି ବୁଲି ଚଢେଇ ଓ ମାଙ୍କଡ଼ମାନଙ୍କୁ ପାଣି ଦେଉଛନ୍ତି ।

ନିଜେ ଟଙ୍କା ଦେଇ ମାଟି କୁଡୁଆ କିଣି ସେଥିରେ ପାଣି ଭର୍ତ୍ତି କରି ଗଛ ଗୁଡିକରେ ଝୁଲାଇ ଦେଉଛନ୍ତି ସେ। ପ୍ରତ୍ୟେକ ଦିନ ସେଗୁଡିକରେ ନିଜେ ଗରା ଓ ବାଲଟିରେ ପାଣି ନେଇ ଭର୍ତ୍ତି କରୁଛନ୍ତି । ବେଳେବେଳେ ଆଖପାଖର କିଛି ପିଲାମାନଙ୍କୁ ଡାକି ନେଇ ଏଭଳି କାମ କରୁଛନ୍ତି । ତାଙ୍କର ଏ ପ୍ରୟାସ ଯୋଗୁଁ ଶହ ଶହ ଚଢ଼େଇ ଓ ମାଙ୍କଡ଼ ପାଣି ମୁନ୍ଦିଏ ପିଇ ପାରୁଛନ୍ତି ।

ଚିନ୍ମୟୀ ଦାସ ଜଣେ କିନ୍ନର । ତାଙ୍କର ପ୍ରକୃତ ଘର ତିର୍ତ୍ତଲ ଅଞ୍ଚଳରେ, ହେଲେ ସେ ପାଖାପାଖି ୨୦ ବର୍ଷ ହେଲା ପରିବାର ଠାରୁ ଅଲଗା ହୋଇ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଜରପଡ଼ାରେ ଏକୁଟିଆ ରହୁଛନ୍ତି । ପେଟ ପୋଷିବା ପାଇଁ ଗୋଟେ ଛୋଟ ଲେଡିଜ କର୍ଣର ଦୋକାନ ଦେଇଛନ୍ତି ।

ବୁଲା କୁକୁର ଓ ଚଢ଼େଇମାନଙ୍କୁ ଖାଇବାକୁ ଦେଉଛନ୍ତି ଚିନ୍ମୟୀ ।


ଲକଡାଉନ ଜାରି ହେବା ଦିନ ଠାରୁ ଚିନ୍ମୟୀ ରାସ୍ତାରେ ବୁଲିବୁଲି ବୁଲା କୁକୁର, ଗାଈ ଓ କାଉମାନଙ୍କୁ ଖାଇବାକୁ ଦେଉଛନ୍ତି । ଏଥି ପାଇଁ ସେ କାହାର ଆର୍ଥିକ ସହାୟତା ଲୋଡ଼ି ନାହାନ୍ତି । ନିଜ ପାଖରେ ଯାହା ଅଳ୍ପ ଟଙ୍କା ଅଛି ସେତିକିରେ ଗୋଖାଦ୍ୟ, ବିସ୍କୁଟ ଓ ପାଉଁରୁଟି ଆଦି କିଣି ଖାଇବାକୁ ଦେଉଛନ୍ତି । ଚିନ୍ମୟୀଙ୍କ ଏହି ମହାନ କାମ ପାଇଁ ସବୁ ଆଡୁ ତାଙ୍କୁ ମିଳୁଛି ପ୍ରଶଂସା ।

‘‘କରୋନା ସହିତ ଏବେ ମଣିଷ ଲଢ଼େଇ କରୁଛି । ଏହି ଲଢ଼େଇରେ ପଶୁପକ୍ଷୀମାନେ ବି ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ସରକାରଙ୍କ ସହାୟତା ଯୋଗୁଁ ଗରିବ ଦିନ ମଜୁରିଆ କିଛି କିଛି ଖାଇବାକୁ ପାଉଛନ୍ତି, ହେଲେ ବୁଲା କୁକୁର ଓ ଗୋରୁ ଆଦି ପ୍ରାଣୀ ଭୋକିଲା ବୁଲୁଛନ୍ତି । ଏ ସବୁ ଦେଖି ମୁଁ ନିଶ୍ଚୟ କଲି ଏହି ମୂକ ପଶୁପକ୍ଷୀଙ୍କ ସହାୟତା କରିବା ପାଇଁ,’’ କହିଛନ୍ତି ଚିନ୍ମୟୀ ।

ବୁଲା ଗାଇଗୋରୁ ମାନଙ୍କୁ ଖାଇବାକୁ ଦେଉଛନ୍ତି ଚିନ୍ମୟୀ ।


ଲକଡାଉନ୍‌ ଆରମ୍ଭ ହେବା ପର ଠାରୁ ଜଙ୍ଗଲ କର୍ମଚାରୀ କାମ ନ କରି ପାରିବା ଫଳରେ ବନ୍ୟ ଜନ୍ତୁ ପାଣି ଟୋପାଏ ପାଉ ନାହାଁନ୍ତି । ପ୍ରତି ବର୍ଷ ବନ ବିଭାଗ ତରଫରୁ ଖରା ଦିନେ ବନ୍ୟ ଜନ୍ତୁଙ୍କ ପାଇଁ ଜଙ୍ଗଲ ଭିତରେ ପାନୀୟ ଜଳର ସୁବିଧା କରାଯାଏ । କିନ୍ତୁ ଏ ବର୍ଷ କରୋନା କଟକଣା ଯୋଗୁ ବନ କର୍ମଚାରୀ ଜଙ୍ଗଲରେ ଜନ୍ତୁଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରି ପାରୁ ନାହାନ୍ତି । ଏହି ସ୍ଥିତିରେ ଚିନ୍ମୟୀଙ୍କ ପ୍ରୟାସ ଯୋଗୁଁ ଶହ ଶହ ପଶୁ ପକ୍ଷୀଙ୍କୁ କିଛି କିଛି ଖାଇବାକୁ ମିଳିପାରୁଛି ।

ପୂର୍ବରୁ ମଧ୍ୟ ଚିନ୍ମୟୀ ବିଭିନ୍ନ ଗରିବ ଓ ଅସହାୟ ଲୋକଙ୍କ ସେବା ଓ ରୋଗୀମାନଙ୍କ ସେବା କରିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ତାଙ୍କର କିନ୍ନର ହେବା ତାଙ୍କ ସେବା ମନୋଭାବରେ କେବେ ବାଧକ ହୋଇ ନାହିଁ ।
First published: April 11, 2020, 5:51 PM IST
corona virus btn
corona virus btn
Loading