ପୁରୀରେ କରୋନାର କରୁଣ କାହାଣୀ: ଲକଡାଉନ ଯୋଗୁଁ ଦୋକାନ ବାରଣ୍ଡାରେ ୫ ମାସ ରହିଲା ନୟାଗଡ଼ର ଏକ ପରିବାର

ଲକଡାଉନ ଯୋଗୁଁ ସନ୍ତୋଷ ନିଜ ପରିବାର ସହ ଦୀର୍ଘ ପାଞ୍ଚ ମାସ ହେବ ଏକ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିଲେ । ତାଙ୍କ ଗର୍ଭବତୀ ସ୍ତ୍ରୀ ସେହି ଦୋକାନ ବାରଣ୍ଡାରେ ହିଁ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ । ପରିବାରର ଗୁଜୁରାଣ ପାଇଁ ପାଇଁ ତାଙ୍କୁ ରିକ୍ସା ଚଳାଇବାକୁ ପଡି଼ଥିଲା ।

ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିବା ସମୟରେ ସନ୍ତୋଷଙ୍କ ପରିବାରର ଦୃଶ୍ୟ ।

ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିବା ସମୟରେ ସନ୍ତୋଷଙ୍କ ପରିବାରର ଦୃଶ୍ୟ ।

  • Share this:
News18 Odia Digital
ପୁରୀ: କରୋନା ଭାଇରସ ଯୋଗୁଁ ବିଭିନ୍ନ ସ୍ଥାନରୁ ହୃଦୟ ବିଦାରକ ଘଟଣା ଗୁଡ଼ିକ ଦେଖିବାକୁ ମିଳୁଛି। ନୟାଗଡ଼ର ଏକ ପାରିବାର ମଧ୍ୟ ଏହିପରି ଏକ ଦୁଖଦ ଯନ୍ତ୍ରଣା ରେ ଶିକାର ହୋଇଛନ୍ତି। ନୟାଗଡ଼ର ଓଡଗାଁର ଏକ ପରିବାର ନିଜ ପାଞ୍ଚ ବର୍ଷ ପୁଅର ଚୁଟି ପକାଇବାକୁ ପୁରୀ ଆସି ଲକଡାଉନରେ ଫସିଯାଇଥିଲେ। ଆର୍ଥିକ ଅନାଟନ ସହ ଗାଁକୁ ଫେରିଯିବା ସମ୍ଭବ ନ ଥିବାରୁ ଗାର୍ଲସ ହାଇସ୍କୁଲ ନିକଟ କାଥେଲିକ ଚର୍ଚ୍ଚ ସମ୍ମୁଖରେ ଥିବା ବାରେଣ୍ଡାରେ ଜୀବନ ବିତାଇବାକୁ ବାଧ୍ୟ ହୋଇଥିଲେ । ନିଜ ଭିଟାମାଟି ଠାରୁ କରୋନା ମହାମାରୀ ସେମାନଙ୍କୁ ଅଲଗା କରିବା ସେମାନଙ୍କ ପାଇଁ ଏକ ବିଷମ ସମସ୍ୟା ସୃଷ୍ଟି କରିଥିଲା । କରୋନା ଲକଡାଉନରେ ଏକ ହୃଦୟବିଦାରକ ଘଟଣା ପୁରୀ ସହରରେ ଘଟିଛି ।

''ନିଜ ଚାରି ବର୍ଷର ସାନ ପୁଅ ସମୀର ପାଇଁ ପୁରୀ ଲୋକନାଥଙ୍କ ପାଖରେ ଚୁଟି ପକାଇବାକୁ ମାନସିକ ରଖିଥିଲି । ସେ ନେଇ ମୋ ସ୍ୱାମୀ ସନ୍ତୋଷ ମହାରଣା (୪୦) ଓ ପାଞ୍ଚ ବର୍ଷରୁ କମ ତିନୋଟି ପିଲାଙ୍କୁ ଧରି ମାର୍ଚ୍ଚ ୨୫ ତାରିଖରେ ନୟାଗଡ଼ରୁ ବସ ଯୋଗେ ପୁରୀ ଆସି ପହଞ୍ଚିଥିଲୁ । ସେହି ଦିନ ଲୋକନାଥ ମନ୍ଦିର ଯାଇ ମାନସିକ ଚୁଟି ପକାଇବା ପରେ ଘରକୁ ଫେରିବା ପାଇଁ ପ୍ରସ୍ତୁତ ହେଲୁ । ହେଲେ ତା ପରଦିନ ଠାରୁ ପୁରୀ ସହରରେ କରୋନା କଟକଣାକୁ ନେଇ ଲକଡାଉନ । ତା ପରେ ସଟ ଡାଉନ । ପରେ ପରେ ବସ ଯୋଗାଯୋଗ ବନ୍ଦ। ଏସବୁ ଦେଖି ପାଦତଳୁ ମାଟି ଖସିଗଲା । କେମିତିଘରକୁ ଫେରିବୁ । ସେପଟେ ଘରୁ ଆଣିଥିବା ଟଙ୍କା ବି ସରିଯାଇଥିଲା । ପ୍ରଥମେ ଶ୍ୱେତଗଙ୍ଗା ପୁଷ୍କରିଣୀ କୁଳେ ରହିଲୁ। ତା ପରେ ମୁଣ୍ଡ ଗୁଞ୍ଜିବା ଅସହ୍ୟ ହୋଇପଡ଼ିଲା । କୁଆଡେ ଯିବୁ ଏତେ ପରିବାର ଧରି କେଉଁଠି ରହିବୁ ସେ ନେଇ ବଢ଼ିଲା ଚିନ୍ତା। ପୁଣି ସେଠୁ ଆସି ଜଗାକୁ ଆଶ୍ରା କରି ବସିଲୁ ବଡଦାଣ୍ଡରେ । କିନ୍ତୁ ପୋଲିସର କଡ଼ା ତାଗିଦ୍ ଓ ଭର୍ତ୍ସନା ସହ ପଣ୍ଡା ସୁଆରଙ୍କ ନାଲି ଆଖି ସତେ ଯେମିତି ବଡ଼ଦାଣ୍ଡରୁ ଆମକୁ ବିଚ୍ଛିନ୍ନ କରିବାକୁ ବାଧ୍ୟ କଲା। ଭୋକ ଉପାସରେ ଆଉଟୁପାଉଟୁ ହୋଇ ଜୀବନ କାଟୁଥିଲି ମଧ୍ୟ ତିନି ତିନୋଟି ପିଲାଙ୍କ ମୁହଁରେ ଦି ବେଳା ଦି ମୁଠା ଖାଇବାକୁ ଦେବା ପାଇଁ ହାର ମାନି ନଥିଲି," ଆଖି ଛଳ ଛଳ କରି କହିଛନ୍ତି ୨୮ ବର୍ଷିୟ ପାୟଲ ମହାରଣା।

ପାୟଲ ମହାରଣା ଏହି ସମୟରେ ଗର୍ଭବତୀ ଥିଲେ ଓ ତାଙ୍କର ନଅ ମାସ ଚାଲୁଥିଲା । ତାଙ୍କ ସ୍ୱାମୀ ସନ୍ତୋଷ ମହାରଣା ତିନୋଟି ଛୋଟ ପିଲାଙ୍କୁ ଖାଇବାକୁ ଦବାପାଇଁ ଶେଷରେ ରିକ୍ସା ଚଲାଇ ଥିଲେ । ହେଲେ ଅଜଣା ସହରକୁ ରାସ୍ତାଘାଟ ଥିଲା ସନ୍ତୋଷଙ୍କ ପାଇଁ ସମ୍ପୂର୍ଣ୍ଣ ଅଚିହ୍ନା। ଯାହାକିଛି ରିକ୍ସା ଚଳାଇ ରୋଜଗାର କରନ୍ତି। ରାସ୍ତା କଡ଼ରେ ଚୂଲି ଜଳାଇ ନିଜ ସ୍ୱାମୀ ଓ ତିନି ପିଲାଙ୍କୁ ଖାଇବାକୁ ଦିଅନ୍ତି ପାୟଲ୍ ମହାରଣା। ଏହି ସମାୟରେ କିଛି ବଦାନ୍ୟ ବ୍ୟକ୍ତି ଯାହା କିଛି ଦିଅନ୍ତି ସେଥିରେ ପାୟଲ ଓ ତାଙ୍କ ପରିବାର ଚାଲୁଥିଲା।

"ଶେଷରେ ସ୍ତ୍ରୀର ପ୍ରସବ ସମୟ ହେବାରୁ ସପରିବାରଙ୍କୁ ଧରି ମୁଁ ଗାର୍ଲସ ହାଇସ୍କୁଲ ନିକଟ କାଥେଲିକ ଚର୍ଚ୍ଚ ସମ୍ମୁଖରେ ଥିବା ବାରେଣ୍ଡାରେ ରହିବା ପାଇଁ ଗଲି । ତାକୁ ସଫା ସୁତୁରା କରି ସେହିଠାରେ ମୋର ଜୀବନ ବିତିଲା । ହେଲେ ବିଧିର ବିଧାନ୍ ଥିଲା ବଡ଼ ବିଚିତ୍ର ଥିଲା। କିଛିଦିନ ପୂର୍ବରୁ ପାୟଲ୍ ଗର୍ଭବତୀ ଥିବାବେଳେ ରାସ୍ତା ଉପରେ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ। କଷ୍ଟ ଶୁଣିବାକୁ କେହି ନଥିଲେ କି ଔଷଧ ପାନେ ଦେବାକୁ କେହି ନଥିଲେ ପାଖରେ। । ସରକାରୀ ସହାୟତା କି ଆମ୍ବୁଲାନ୍ସ ଟିଏ ବି ମିଳି ନଥିଲା । ସ୍ଥାନୀୟ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତି ଓ ମହିଳାମାନେ ଖାଦ୍ୟ ଓ ପୋଷାକପତ୍ର ଦେଇଛନ୍ତି । ସେହିଠାରେ କଅଁଳ ଶିଶୁକୁ ଧରି ବାରଣ୍ଡାରେ ନିଜ ପରିବାର ଚଳାଇବାକୁ ବାଧ୍ୟ ହେଲୁ," କହିଛନ୍ତି ସନ୍ତୋଷ ମହାରଣା ।

ସନ୍ତୋଷଙ୍କ ପତ୍ନୀ ପାୟଲ ଓ ତାଙ୍କ ନବ ଜନ୍ମିତ କନ୍ୟା ସନ୍ତାନ


"ରାସ୍ତାରେ ଗଲାବେଳେ ଏହି ଅସହାୟ ପରିବାର ଉପରେ ସବୁବେଳେ ନଜର ପଡ଼େ। ହେଲେ ଦୁଃଖ ଲାଗେ କରୋନା ସମୟରେ ଘରୁ ନ ବାହାରିବାକୁ ସରକାରଙ୍କ ପରାମର୍ଶ।ହେଲେ ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ପୁଣି ନବଜାତ ଶିଶୁକନ୍ୟାକୁ ଧରି ରହିବା ବେଶ କଷ୍ଟକର। ନା ଥିଲା ସେମାନଙ୍କର କରୋନାକୁ ନେଇ ସଚତେନତା କି ଅଛି ଆମ ଘର ଭଳି ସଫାସୁତୁରା କି ହାଇଜେନିକ ବ୍ୟବସ୍ଥା । ତେଣୁ ଅସହାୟ, ଜରାଜୀର୍ଣ୍ଣ ଓ ଅସ୍ୱାସ୍ଥ୍ୟକର ପରିବେଶରେ ଶିଶୁଟି ପଡ଼ି ରହିଥିଲା। ମୁହଁ ଓ ଦେହ ସାରା ମାଛି ବସୁଥିଲା। ତଥାପି ହାର୍ ମାନି ନାହିଁ ମା' ର ମମତା । ନିଜ କୋଳକୁ ଶ୍ରାବଣୀକୁ ଉଠାଇ ଗେଲ କରିବା ସହ ଯତ୍ନ ନେବାରେ କୌଣସି ଅବେହେଳା କରିନାହାନ୍ତି ପାୟଲ୍। ରାସ୍ତା ଉପରେ ଏକ ଛୋଟିଆ ବାରଣ୍ଡାରେ ଚାରି ଚାରୋଟି ପିଲା ଓ ନିଜ ସ୍ୱାମୀଙ୍କ ସହ ଜୀବନ କାଟିବା କେତେ କଷ୍ଟ ତାହା ଯିଏ ଦେଖିବ ତାଙ୍କ ଆଖିରୁ ଲୁହ ବୋହିଯିବ। ତା ସହିତ ସେମାନଙ୍କ ପାଖରେ ପାଖରେ ଅଛି କିଛି ଖେଳନା, ହାଣ୍ଡି ଡେକ୍ଚି ସହ ରାସ୍ତା କଡ଼ରେ ରହିଛି ରୋଷେଇ ପାଇଁ ଚୂଲି। ତଥାପି ମଦର ଇଣ୍ଡିଆ ଭଳି ପାୟଲ୍ ବନ୍ଚିଥିଲେ ତାଙ୍କ ପରିବାରକୁ ", କହିଛନ୍ତି ସ୍ଥାନୀୟ କ୍ୟାଥଲିକ ଚର୍ଚ୍ଚ ନିକଟରେ ରହୁଥିବା ସ୍ଥାନୀୟ ବାସିନ୍ଦା ୫୫ ବର୍ଷୀୟ ରାଜଲକ୍ଷ୍ମୀ ପୃଷ୍ଟି ।

"ନିଜ ପରିବାରର ପେଟ ପୋଷିବା ପାଇଁ ଅଜଣା ଅଚିହ୍ନା ସହରରେ ରିକ୍ସା ଚଳାଇ ଦି ପଇସା ରୋଜଗାର କରୁଥିଲେ ପାୟଲଙ୍କ ସ୍ୱାମୀ ତଥା ନବଜନ୍ମିତ ଶ୍ରାବଣୀର ବାପା ସନ୍ତୋଷ। ସେପଟେ ରାସ୍ତାରେ ଗଲାବେଲେ କିଛି ସ୍ଥାନୀୟ ମହିଳା ଓ ସ୍ୱେଛାସେବୀ ଶୁଖିଲା ଖାଦ୍ୟ, ଶାଢ଼ୀ ଓ ପୋଷାକପତ୍ର ଦେଉଥିଲେ । ହେଲେ ପ୍ରଶାସନ ପକ୍ଷରୁ ଏମାନଙ୍କୁ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିବା ଦରକାର । ନ ହେଲେ ଏଭଳି କେତେଦିନ ସେମାନେ ଏଠାରେ ପଡ଼ିରହିବେ। ପୁଣି ସେମାନଙ୍କୁ ଘରକୁ ପଠାଇବା ପାଇଁ ଅନେକ ସ୍ୱେଛାସେବୀ ସହଯୋଗ କଲେ ହେଁ ସ୍ୱାମୀ ସନ୍ତୋଷ ଘରକୁ ନ ଫେରି ଏଠି ରହି ରୋଜଗାର କରି ପରିବାର ଚଳାଇବେ ବୋଲି କହୁଛନ୍ତି । ଘରକୁ ଫେରିବାକୁ ଚାହୁଁଥିଲେ ବି ଅର୍ଥର ଅଭାବ ଯୋଗୁଁ ତାହା ସମ୍ଭବ ହୋଇପାରୁନି ବୋଲି ଅଭିଯୋଗ କରିଛନ୍ତି । ସ୍ଥାନୀୟ ବାସିନ୍ଦା ଓ ସ୍ୱେଛାସେବୀମାନେ ଲୁଗା ପଟା ଓ ଶୁଖିଲା ଖାଦ୍ୟ ଦେଇ ସେମାନଙ୍କୁ ବଞ୍ଚାଇ ରଖିଛନ୍ତି । ଚାରୋଟି ପିଲାଙ୍କୁ ଧରି ରାସ୍ତା କଡ଼ରେ ଜୀବନଯାପନ କରୁଥିବା ପାୟଲ୍ ପ୍ରଶାସନକୁ କୋହଭରା କଣ୍ଠରେ ନିଜ ଶାଶୁ ଘରକୁ ଯିବାପାଇଁ ନିବେଦନ କରିଛନ୍ତି,'' କହିଛନ୍ତି ସ୍ୱେଛାସେବୀ ୫୦ ବର୍ଷୀୟ ଚନ୍ଦ୍ରଶେଖର ମିଶ୍ର।

ଏହା ବି ପଢ଼ନ୍ତୁ | HONOR 9S: ମାତ୍ର ୭ ହଜାର ଟଙ୍କାରୁ ବି କମ୍‌ ବଜେଟରେ ମିଳୁଥିବା ଚମତ୍କାର ସ୍ମାର୍ଟଫୋନ୍!

ଏହା ବି ପଢ଼ନ୍ତୁ | ଅଗଷ୍ଟ ୧୫ରେ ଲାଲ କିଲ୍ଲାରେ ଖଲିସ୍ତାନୀ ପତାକା ଲଗେଇବାକୁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଲା

"ଏହି ଘଟଣାଟି ନ୍ୟୁଜ ୧୮ ଓଡିଆ ଚ୍ୟାନେଲରେ ଦେଖିବା ପରେ ମୋତେ ବେଶ ଦୁଃଖ ଦେଇଥିଲା। ମୁଁ ସେହି ପରିବାର ସହ ଯୋଗାଯୋଗ କଲି । ସେମାନଙ୍କୁ ଘରକୁ ଫେରାଇ ନେବାପାଇଁ ସମସ୍ତ ବ୍ୟବସ୍ଥା କଲି । ମୋର ସ୍ମାଇଲ ପ୍ଲିଜ ଅନୁଷ୍ଠାନର ସଦସ୍ୟ ପୁରୀରେ କାର୍ଯ୍ୟ କରୁଥିବା ଜ୍ଞାନକୁ ସେଠାକୁ ପଠାଇ ଭିଡିଓ କଲରେ ସେହି ପରିବାର ସହ ଯୋଗାଯୋଗ କରି କଥା ହୋଇ ସବୁ ବୁଝିଲି । ତା' ପରେ ସେମାନେ ରାଜି ହେବାରୁ ଏକ ଗାଡ଼ି ଯୋଗେ ସେହି ପରିବାରକୁ ପୁରୀରୁ ନୟାଗଡ଼ ଓଡଗାଁ ତାଙ୍କ ଘରକୁ ପଠାଇଲି। ହେଲେ ତାଙ୍କ ସ୍ୱାମୀ ସନ୍ତୋଷ ମହାରଣା ପୁରୀରେ ରହିବେ ଓ ରିକ୍ସା ଚଳାଇ ରୋଜଗାର କରିବେ ବୋଲି କହୁଥିଲେ। ତେବେ ସୁରକ୍ଷିତ ଭାବେ ତାଙ୍କ ପରିବାର ଦୀର୍ଘ ୫ ମାସ ଧରି ଯେଉଁ କଷ୍ଟ ପାଉଥିଲେ ଆଜି ତାହା ଦୁର ହୋଇପାରିଛି ଓ ଜଗନ୍ନାଥଙ୍କ ଦୟାରୁ ମୁଁ ସେ ପରିବାର ମୁହଁରେ ହସ ଫୁଟାଇପାରିଛି ତାହା ସବୁଠୁ ବଡ଼ ଖୁସିର କଥା," ଭାବବିହ୍ୱଳ ହୋଇ କହିଛନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ପ୍ରତିଷ୍ଠିତ ଅଭିନେତା ତଥା ସ୍ମାଇଲ ପ୍ଲିଜ ଅନୁଷ୍ଠାନର ଆବାହକ ସବ୍ୟସାଚୀ ମହାପାତ୍ର।



କରୋନା ଲକଡାଉନରେ ଶ୍ରୀକ୍ଷେତ୍ର ଆସି ଫସିରହିଥିବା ଏଭଳି ଏକ ପରିବାରର ସ୍ଥିତି ଥିଲା ବେଶ ଦୁଃଖଦାୟକ। ପ୍ରଶାସନ ପକ୍ଷରୁ ଏଭଳି ଘଟଣାକୁ ଗୁରୁତ୍ୱର ନେଇ ତୁରନ୍ତ ପଦକ୍ଷେପ ନିଆଯିବା ଦରକାର ବୋଲି ସାଧାରଣରେ ଦାବୀ ହେଉଛି ।
Published by:Jagdish Barik
First published: