କରୋନା ଭାଇରସ୍ ସଂକ୍ରମଣ ହେଲେ କେମିତି ଲାଗେ? ଜଣେ ରୋଗୀଙ୍କ ଅନୁଭୁତି ପଢ଼ି ଜାଣନ୍ତୁ

ଚତୁର୍ଥ ଦିନରେ ତାଙ୍କର ଜ୍ୱର ଉଭାନ୍ ହୋଇଗଲା, ହେଲେ ଆଉ ଏକ ଲକ୍ଷଣ ଦେଖାଦେଲା: ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଲା । ସେ ଏହି ଅନୁଭବକୁ “ମୋ ଛାତି ଉପରେ ରଖାଯାଇଥିବା ଇଟା” ବୋଲି ବର୍ଣ୍ଣନା କରିଛନ୍ତି ।

କରୋନା ଭାଇରସ୍ ସଂକ୍ରମଣ ହେଲେ କେମିତି ଲାଗେ? ଜଣେ ରୋଗୀଙ୍କ ଅନୁଭୁତି ପଢ଼ି ଜାଣନ୍ତୁ
କରୋନା ଭାଇରସ ପଜିଟିଭ୍ ହୋଇ ଭଲ ହୋଇଥିବା ଆମେରିକାର ବ୍ୟୋଣ୍ଡା ହାଲିଟି
  • News18 Odia
  • Last Updated: March 22, 2020, 11:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗତ କିଛି ସପ୍ତାହ ମଧ୍ୟରେ କରୋନା ଭାଇରସ ଭୂତାଣୁରୁ ଜାତ କୋଭିଡ-୧୯ (COVID-19) ମହାମାରୀ ଚୀନ୍‌ର ଉହାନରୁ ୟୁରୋପକୁ ସ୍ଥାନାନ୍ତରିତ ହୋଇ ସାଙ୍ଘାତିକ ରୂପ ନେଇଛି ଓ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଲୋକଙ୍କ ମୃତ୍ୟୁର କାରଣ ହେଉଛି । ଭାରତରେ ବି ଏହି ମହାମାରୀ ଉଗ୍ର ରୂପ ନେବା ଆରମ୍ଭ କରିଛି । ଏ ପର୍ଯ୍ୟନ୍ତ ଭାରତରେ ସାତ ଜଣଙ୍କ ପ୍ରାଣ ଗଲାଣି ଓ ୩୫୦ ଜଣ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି ।

ଏହି ମହାମାରୀରେ ସଂକ୍ରମିତ ବ୍ୟକ୍ତି ବାସ୍ତବରେ କେମିତି ଅନୁଭବ କରନ୍ତି ସେ ବିଷୟରେ ଅନେକ ଲୋକ ଜାଣିନାହାନ୍ତି, ମାତ୍ର ନିଶ୍ଚୟ ଜାଣିବାକୁ ଚାହିଁବେ । ଏହା ବିଷୟରେ ନେଟେନିଜେନମାନଙ୍କ ସନ୍ଦେହ ଦୂର କରିବାରେ ସାହାଯ୍ୟ କରିବାକୁ ଆମେରିକାର କାଲିଫର୍ଣ୍ଣିଆରେ ଜଣେ ୨୨ ବର୍ଷ ବୟସ୍କା ଯୁବତୀ ଟ୍ୱିଟର ବ୍ୟବହାରକାରୀ ପଜିଟିଭ୍‌ ହେବାର ନିଜ ଅନୁଭୂତି ସୋସିଆଲ ମିଡିଆରେ ଶେୟାର୍‌ କରିଛନ୍ତି ।

ବ୍ୟୋଣ୍ଡା ହାଲିଟି ନାମକ ଏହି ଯୁବତୀ କହିଛନ୍ତି ଯେ ଯଦିଓ ଏହି ପୋଷ୍ଟ ଲେଖିବା ବିଷୟରେ ତାଙ୍କ ମନରେ ଦ୍ୱନ୍ଦ୍ୱ ଥିଲା, ତଥାପି ସେ ଅନୁଭବ କରିଥିଲେ ଯେ ଏହା ଲୋକଙ୍କୁ ଚିନ୍ତା ଓ ଚାପର ମୁକାବିଲା କରିବାରେ ସାହାଯ୍ୟ କରିପାରେ ।

ସେ ପ୍ରକାଶ କରିଛନ୍ତି ଯେ କରୋନା ଭାଇରସ ସଂକ୍ରମଣ ଶୁଖିଲା କାଶ ଓ ପ୍ରଥମ ଦିନରେ ଗଳାରେ ଟିକିଏ ଯନ୍ତ୍ରଣା ହେବା ସହିତ ଅତ୍ୟଧିକ ଥକ୍କା ଅନୁଭବ କରିବାରୁ ଆରମ୍ଭ ହୋଇଥିଲା । ଦ୍ୱିତୀୟ ଦିନରେ ସେ ରାତିରେ ଥଣ୍ଡା ଅନୁଭବ କରିଥିଲେ ଓ ଜ୍ୱର ସହିତ ମୁଣ୍ଡରେ ଚାପ ମଧ୍ୟ ଅନୁଭବ କରିଥିଲେ । ସେ ଆହୁରି କହିଛନ୍ତି ଯେ କରୋନା ଭାଇରସ ସଂକ୍ରମଣର ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ହେଉଛି ଆଖିରେ ଯନ୍ତ୍ରଣା ହେବା । ଆଖି କୋମଳ ହୋଇଯିବ ଓ ଛୁଇଁଲେ କଷ୍ଟ ହେବ । ତୃତୀୟ ଦିନ ତାଙ୍କର ଶକ୍ତି ସ୍ତର ହ୍ରାସ ପାଇ ଜ୍ୱର ଅଧିକ ଥିବାରୁ ସେ ଦିନ ସାରା ଶୋଇ ରହିଥିଲେ ।



‘‘ଏହି ସମୟରେ ମୋର ଲକ୍ଷଣଗୁଡ଼ିକ ଥିଲା ଏମିତି: ଶୁଖିଲା କାଶ, ମାଇଗ୍ରାଇନ୍, ଜ୍ୱର, ଥଣ୍ଡା ଓ କିଛି ବାନ୍ତି ପରି ଅନୁଭବ,’’ ଲେଖିଛନ୍ତି ବ୍ୟୋଣ୍ଡା । ସେତିକି ବେଳେ ସେ ଡାକ୍ତରଙ୍କୁ ଦେଖା କରିବାକୁ ସ୍ଥିର କଲେ । ଡାକ୍ତର ତାଙ୍କୁ ପରୀକ୍ଷା କଲାରୁ ତାଙ୍କୁ ଫ୍ଲୁ ଓ ଷ୍ଟ୍ରେପ୍ ହୋଇ ନ ଥିବା ଜଣା ପଡ଼ିଲା । ସେ ତାଙ୍କୁ ଆଣ୍ଟିବାୟୋଟିକ୍ ଏବଂ ୮୦୦ ମି.ଗ୍ରା. ଆଇବୁପ୍ରୋଫେନ୍ ଖାଇବାକୁ ଦେଇଥିଲେ ।

ଚତୁର୍ଥ ଦିନରେ ତାଙ୍କର ଜ୍ୱର ଉଭାନ୍‌ ହୋଇଗଲା, ହେଲେ ଆଉ ଏକ ଲକ୍ଷଣ ଦେଖାଦେଲା: ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଲା । ସେ ଏହି ଅନୁଭବକୁ “ମୋ ଛାତି ଉପରେ ରଖାଯାଇଥିବା ଇଟା” ବୋଲି ବର୍ଣ୍ଣନା କରିଛନ୍ତି । ସେ ୧୦ ସେକେଣ୍ଡର ପରୀକ୍ଷା ସବୁ କରିଥିଲେ ଯାହା ବିଷୟରେ ବିଭିନ୍ନ ନକଲି ରିପୋର୍ଟରେ କୁହାଯାଇଥିଲା, ସେ ବିନା କୌଣସି ଅସୁବିଧାରେ ଏହା କରିପାରିଥିଲେ ।

ଏହି ସମୟରେ ତାଙ୍କୁ ଅଶ୍ୱସ୍ତି ଲାଗିଲା ଓ ସେ ନିଜକୁ କରୋନା ଭାଇରସ୍ ପାଇଁ ପରୀକ୍ଷା କରେଇବାକୁ ସ୍ଥିର କଲେ । ପରୀକ୍ଷାର ଫଳ ଆସିବାକୁ ଅପେକ୍ଷା କଲା ବେଳେ ସେ ଆତ୍ମ-କ୍ୱାରେଣ୍ଟିନ୍ କରିଥିଲେ, ଅର୍ଥାତ ନିଜକୁ ଅନ୍ୟ ସମସ୍ତଙ୍କ ଠାରୁ ଦୂରେଇ ରଖିଥିଲେ । ତା’ର ପରବର୍ତ୍ତୀ ଦିନଗୁଡିକ ନିଜକୁ ଘରେ କ୍ୱାରେଣ୍ଟିନ୍ କରେଇ ରଖିବା ବିଷୟରେ ସେ ସବିଶେଷ ବିବରଣୀ ଦେଇଛନ୍ତି ।

ବ୍ୟୋଣ୍ଡା ଏବେ କରୋନା ଭାଇରସରୁ ଭଲ ହୋଇଯାଇଛନ୍ତି । ତାଙ୍କର ପୂର୍ବରୁ କୌଣସି ରୋଗ ନ ଥିବା ସେ କହିଛନ୍ତି । ସେ ଧୂମପାନ କରନ୍ତି ନାହିଁ । ଏବେ କରୋନା ଭାଇରସ୍‌ ବ୍ୟାପିଥିବା ସମୟରେ ସେ ସମସ୍ତଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ଓ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ।
First published: March 22, 2020, 11:47 PM IST
corona virus btn
corona virus btn
Loading