ଚୌଦ୍ୱାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୮ ଜଣ କଏଦୀ କରୋନାରେ ସଂକ୍ରମିତ ହେଲେ

ଗତ ସପ୍ତାହରେ କର୍କଟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜେଲର ଜଣେ କଏଦୀ ପ୍ରଥମେ ସଂକ୍ରମିତ ହୋଇଥିଲେ। ଏବେ ସେଠାରେ ମୋଟ ୧୦ ଜଣ ସଂକ୍ରମିତ ହେଲେଣି । ଜେଲରେ ରହୁଥିବା ପ୍ରାୟ ୮୦୦ ଅନ୍ତେବାସୀଙ୍କୁ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି ।

ଚୌଦ୍ୱାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୮ ଜଣ କଏଦୀ କରୋନାରେ ସଂକ୍ରମିତ ହେଲେ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ଜିଲ୍ଲାରେ ବଢ଼ି ଚାଲିଛି କରୋନା ଭାଇରସ୍‌ ଆକ୍ରନ୍ତଙ୍କ ସଂଖ୍ୟା । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ବ୍ୟାପିଥିବା କରୋନା ସଂକ୍ରମଣ ଏବେ ଚୌଦ୍ବାର ଜେଲରେ ପହଞ୍ଚିଛି । ଗୁରୁବାର ରାତିରେ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଠ ଜଣ କଏଦୀ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି। ଏହା ପରେ ସେମାନଙ୍କୁ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଗତ ସପ୍ତାହରେ କର୍କଟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜେଲର ଜଣେ କଏଦୀ ପ୍ରଥମେ ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କର ଜଗାରଖା କରୁଥିବା ଜେଲର ଜଣେ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେହି କର୍ମଚାରୀଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ ଅନେକ କର୍ମଚାରୀଙ୍କ ସ୍ୱାବ ସଂଗୃହିତ ହୋଇଥିଲା । ସେମାନଙ୍କ ମଧ୍ୟରୁ ଆଠ ଜଣ ପଜିଟିଭ ଥିବା ଜଣା ପଡ଼ିଛି। ଏମାନଙ୍କୁ ମିଶାଇ ଗୋଟିଏ ସପ୍ତାହରେ ଜେଲରେ ୧୦ ଜଣ ସଂକ୍ରମିତ ହୋଇ ସାରିଛନ୍ତି। ଫଳରେ ଏବେ ଜେଲରେ ରହୁଥିବା ପ୍ରାୟ ୮୦୦ ଅନ୍ତେବାସୀଙ୍କୁ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି।

‘‘ପ୍ରଥମ ସଂକ୍ରମଣ ବେଳ ଠାରୁ ଆମେ ସତର୍କତା ଅବଲମ୍ବନ କରିଥିଲୁ । କଣ୍ଟାକ୍ଟ ଟ୍ରେସିଂ ପରେ ସ୍ୱାବ ସଂଗ୍ରହ ହେବା ଯୋଗୁଁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣା ପଡ଼ିଲା । ଏବେ ସେମାନଙ୍କର ବି କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଜେଲ ଭିତରେ ଯେମିତି ସଂକ୍ରମଣ ନ ବ୍ୟାପୁ ସେଥି ପାଇଁ ଆମେ ସତର୍କ ଅଛୁ,’’ କହିଛନ୍ତି ଚୌଦ୍ୱାର ଜେଲର ଜଣେ ଅଧିକାରୀ ।

ମଙ୍ଗଳାବାଗ ଥାନାକୁ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରି ଦିଆଯାଇଛି ।


ପୁର୍ବରୁ କଟକରେ ଅନେକ ଡ଼ାକ୍ତର ଓ ପାରାମେଡ଼ିକାଲ ଷ୍ଟାଫ କରୋନା ସଂକ୍ରମିତ ହୋଇ ସାରିଥିବା ବେଳେ ଏବେ ପୋଲିସ କର୍ମଚାରୀମାନେ ମଧ୍ୟ ଏହାର ଶିକାର ହେବାରେ ଲାଗିଲେଣି । ଏସସିବି ଫାଣ୍ଡିରେ କାର୍ଯ୍ୟ କରୁଥିବା ଜଣେ କନଷ୍ଟେବଳ ଗୁରୁବାର ଦିନ ସଂକ୍ରମିତ ହୋଇଥିବା ଜଣା ପଡ଼ିବା ପରେ ଏହାକୁ ନେଇ ପୋଲିସ ମହଲରେ ଭାଳେଣି ପଡ଼ିଛି । କାରଣ ସମ୍ପୃକ୍ତ କର୍ମଚାରୀ ଜଣକ ଗତ କାଲି ପର୍ଯ୍ୟନ୍ତ ନିଜ ଡ୍ୟୁଟି କରିଥିଲେ ଓ ହସପିଟାଲ ସାନିଟାଇଜ ହେଉଥିବା ସମୟରେ ସେ ବି ସେଠାରେ ଉପସ୍ଥିତ ଥିଲେ ।

ସମ୍ପୃକ୍ତ ପୋଲିସ କର୍ମୀ କରୋନା ସଂକ୍ରମିତ ଜଣା ପଡିବା ପରେ ଫାଣ୍ଡିର ସମସ୍ତ କର୍ମଚାରୀଙ୍କୁ ସେହି ଠାରେ ହିଁ ଆଇସୋଲେସନରେ ରଖା ଯାଇଛି। ଏହା ସହ ମଙ୍ଗଳାବାଗ ଥାନାର ପୋଲିସ କର୍ମଚାରୀମାନେ ଫାଣ୍ଡି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ମଙ୍ଗଳାବାଗ ଥାନାକୁ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରି ଦିଆଯାଇଛି ।

‘‘ଫାଣ୍ଡିର ଜଣେ କନଷ୍ଟେବଳ କୋଭିଡ ପଜିଟିଭ ଜଣା ପଡ଼ିବା ପରେ ସେଠି ଡ୍ୟୁଟି କରୁଥିବା ସମସ୍ତ ପୋଲିସ କର୍ମୀଙ୍କୁ ଫାଣ୍ଡି ଭିତରେ ରହିବାକୁ କୁହାଯାଇଛି। ସମସ୍ତେ ସେଇଠି ଆଇସୋଲେସନରେ ରହୁଛନ୍ତି। ମଙ୍ଗଳାବାଗ ଥାନାର କିଛି କର୍ମଚାରୀ ଫାଣ୍ଡି ପୋଲିସ ସହିତ ସଂସ୍ପର୍ଶରେ ଆସିଥିବାରୁ ଥାନାକୁ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ କରି ଦିଆ ଯାଇଛି,’’ କହିଛନ୍ତି କଟକ ଡିସିପି ଅଖିଲେଶ୍ୱର ସିଂ।

ଗୋଟିଏ ଦିନରେ ଜିଲ୍ଲାରେ ୫୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସାଲେପୁର ବ୍ଲକର ସର୍ବାଧିକ ୧୬ ଜଣ ଆକ୍ରାନ୍ତ ଅଛନ୍ତି । ଚୌଦ୍ବାର ଜେଲରୁ ୮ ଜଣ, କଟକ ସହରରୁ ୫ ଜଣ ଓ ଚୌଦ୍ବାରରୁ ୪ ଜଣ ଅଛନ୍ତି । ସହରରୁ ଚିହ୍ନଟ ହୋଇଥିବା ସଂକ୍ରମିତ ମାନେ ବିଭିନ୍ନ ସ୍ଥାନର ବାସିନ୍ଦା ହୋଇଥିବାରୁ ସହର ମଧ୍ୟରେ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି ।

ଏହା ବି ପଢ଼ନ୍ତୁ: ଜୁଲାଇ ୩୧ ସୁଦ୍ଧା ଝିଅ ନାଁରେ ଖାତା ଖୋଲନ୍ତୁ; ସେ ୨୧ ବର୍ଷର ହେଲେ ୬୪ ଲକ୍ଷ ଟଙ୍କା ଆକାଉଣ୍ଟରେ ଥିବ

ଗତ କିଛି ଦିନ ହେଲା କଟକ ସହରେ ସଂକ୍ରମଣ ବୃଦ୍ଧି ପାଇବାରୁ କଟକକୁ ପାଞ୍ଚ ଦିନ ହେଲା ସଟଡାଉନ କରାଯାଇଥିଲା । ଯଦି ସ୍ଥିତିରେ ପରିବର୍ତ୍ତନ ନ ଆସେ ତେବେ ଆସନ୍ତା ସୋମବାର ଠାରୁ ପୁଣି ସଟଡାଉନର ଅବଧିକୁ ବଢ଼ାଯାଇ ପାରେ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।
Published by: Anand Shankar Thankur Das
First published: July 10, 2020, 8:00 PM IST
corona virus btn
corona virus btn
Loading