News18 Odia Digital
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ସାତ ଜଣ କରୋନା ଭାଇରସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଯାଜପୁର ଜିଲ୍ଲାର ଚାରି ଜଣ, ଭଦ୍ରକ ଜିଲ୍ଲାର ଦୁଇ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତ । ଭଦ୍ରକ ଓ ଯାଜପୁରର ଆକ୍ରାନ୍ତମାନେ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଛି ।
ଭଦ୍ରକ ଜିଲ୍ଲାର ଦୁଇ ଜଣ ଆକ୍ରାନ୍ତ ବାସୁଦେବପୁର ଓ ଧାମନଗର ବ୍ଲକର ବାସନ୍ଦା । ସେ ଦୁହେଁ ୪୫ ଓ ୫୫ ବର୍ଷୀୟ ପୁରୁଷ । ଯାଜପୁର ଜିଲ୍ଲାର ଚାରି ଜଣ ଆକ୍ରାନ୍ତ ୪୮, ୫୫, ୬୦ ଓ ୬୨ ବର୍ଷୀୟ ପୁରୁଷ । ଆଜିର ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଓ ଭଦ୍ରକରେ ୨୧ ହୋଇଛି ।
ସୁନ୍ଦରଗଡ଼ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ରାଉରକେଲା ନାଲା ରୋଡ୍ ଅଞ୍ଚଳର ଜଣେ ୨୯ ବର୍ଷୀୟା ଯୁବତୀ । ସେ ଜଣେ ପୂର୍ବ ସଂକ୍ରମିତଙ୍କ ପଡ଼ୋଶୀ ଓ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ଏବେ ବି ନାଲା ରୋଡ୍ କଣ୍ଟେନମେଣ୍ଟ ଜୋନରେ ରହିଛି । ଏହାକୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି ।
ରାଜ୍ୟରେ ଆଜିର ୭ ଜଣ ପଜିଟିଭଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୬୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୦୮ ଜଣ ଏବେ ରାଜ୍ୟର ବିଭିନ୍ନ କୋଭିଡ-୧୯ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଯାଜପୁରରେ ପ୍ରତି ରାସ୍ତାରେ ଚେକିଂ କଡ଼ାକଡ଼ି ଚାଲିଛି ।
ବର୍ତ୍ତମାନ ରେଡ୍ ଜୋନରେ ଥିବା ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟର ସର୍ବାଧିକ ୪୮ରେ ପହଞ୍ଚିଥିବାରୁ ସରକାରଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ନିଦ ହଜିଯାଇଛି । ଜିଲ୍ଲା ପ୍ରଶାସନ ଦ୍ବାରା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏବେ ଚିହ୍ନଟ କରି କ୍ବାରେଣ୍ଟାଇନ ସେଣ୍ଟରରେ ଭର୍ତ୍ତି କରିବା କାମ ଜାରି ରହିଛି । ଏବେ ନିଜ ଭିଟାମାଟିକୁ ଫେରୁଛନ୍ତି ପ୍ରବାସୀ ଓଡିଆ ।
ଗତ କାଲି ଜିଲ୍ଲା ପ୍ରଶାସନ ନେତୃତ୍ବରେ ୩୭ ଜଣ ପ୍ରବାସୀ ତେଲେଙ୍ଗାନାରୁ ଫେରିଥିବା ବେଳେ ଆଜି ସ୍ବତଃ ନିଜସ୍ବ ଉଦ୍ୟମରେ ଆଉ ୧୦୫ ଜଣ ଗୁଜରାଟ ସୁରଟରୁ ଫେରିଛନ୍ତି । ସେହିପରି ଯାଜପୁର ରୋଡ଼ ରେଳ ଷ୍ଟେସନରେ ଆଉ ୨୦୦ରୁ ଉର୍ଦ୍ଧ ଲୋକ ରାଜ୍ୟ ବାହାରୁ ଆସୁଥିବା ଜଣାପଡିଛି । ପ୍ରଶାସନ ଦ୍ବାରା ସେମାନଙ୍କୁ ନିଜ ହେପାଜତକୁ ନେଇ କ୍ବାରେଣ୍ଟାଇନ ସେଣ୍ଟରକୁ ନିଆଯାଉଛି ।
ରାଜ୍ୟ ବାହାରକୁ ଫେରୁଥିବା ଅନେକ ମାଇଗ୍ରାଣ୍ଟ ଶ୍ରମିକ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଝାଡଖଣ୍ଡକୁ ଫେରୁଥିବା ୧୪ ଜଣ ଶ୍ରମିକ ସେମାନଙ୍କ ଗାଡିକୁ ଅପେକ୍ଷା କରି ଭୋକ ଉପାସରେ ପଡ଼ି ରହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।