News18 Odia Digital
ଭୁବନେଶ୍ୱର: ରାଜ୍ୟର ଉତ୍ତର ଓ ପୂର୍ବ ଜିଲ୍ଲାଗୁଡ଼ିକରେ କରୋନା ଭାଇରସ୍ ମହାମାରୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଲଗାତର ବଢ଼ୁଥିବାରୁ ତିନୋଟି ଜିଲ୍ଲାରେ – ବାଲେଶ୍ବର, ଯାଜପୁର ଓ ଭଦ୍ରକ – ଆଜି (ଏପ୍ରିଲ୍ ୨୩, ଗୁରୁବାର) ରାତି ୧୦ଟା ଠାରୁ ୬୦-ଘଣ୍ଟିଆ ‘‘ସମ୍ପୂର୍ଣ୍ଣ ସଟଡାଉନ୍’’ (complete shutdown) ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଆଜି ସନ୍ଧ୍ୟାରେ ଏକ ଜରୁରୀକାଳୀନ ପ୍ରେସ୍ କନଫେରେନ୍ସ୍ କରି ଏହି ସମ୍ପୂର୍ଣ୍ଣ ସଟଡାଉନ୍ ବିଷୟରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏହି ସଟଡାଉନ୍ ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏ ବଳବତ୍ତର ରହିବ ।
ଏହି ସଟଡାଉନ୍ ସମୟରେ ଏହି ତିନୋଟି ଜିଲ୍ଲାର କୌଣସି ଲୋକ ବାହାରକୁ ବାହାରି ପାରିବେ ନାହିଁ । ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ଯାତାୟାତ ଓ ଦୋକାନ ବଜାର । କେବଳ କିଛି ଔଷଧ ଦୋକାନ ଖୋଲା ରଖିବାକୁ ପ୍ରଶାସନ ନେବ ନିଷ୍ପତ୍ତି ।
ତିନୋଟି ଜିଲ୍ଲାରେ ଏହି ୬୦-ଘଣ୍ଟିଆ ସଟଡାଉନ ବେଳେ ଏକ ପ୍ରକାର କର୍ଫ୍ୟୁ ଭଳି ସ୍ଥିତି ରହିବ ବୋଲି କହିଛନ୍ତି ତ୍ରିପାଠୀ । ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି । କେହି ସଟଡାଉନ ଉଲ୍ଲଙ୍ଘନ କଲେ ପୋଲିସ କଠୋର ପଦକ୍ଷେପ ନେବ ବୋଲି ସେ କହିଛନ୍ତି ।
ଆଜି ଯାଜପୁରରେ ଚାରି ଜଣ ନୂଆ କରୋନା ପଜିଟିଭ୍ ଯାଜପୁର ଜିଲ୍ଲାରେ ଓ ଦୁଇ ଜଣ ବାଲେଶ୍ୱର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଏଥି ସହ ଯାଜପୁରରେ ମୋଟ ୧୨ ଜଣ ଓ ବାଲେଶ୍ୱରରେ ମୋଟ ୧୦ ଜଣ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।