News18 Odia Digital
ଭୁବନେଶ୍ବର: ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣରେ ଆଉ ୬ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଛି । ଛଅ ଜଣ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪ ଜଣ ଓ କଟକ ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଅଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩ଟି ଜିଲ୍ଲାରୁ ୬୧୬ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମ ଜିଲ୍ଲାର ଚାରି ଜଣ ମୃତକଙ୍କ ବୟସ ୪୫, ୬୩, ୭୨ ଓ ୪୯ ଥିଲା ଓ ସମସ୍ତେ ପୁରୁଷ ଥିଲେ । ୪୫ ବର୍ଷୀୟ ମୃତକ ମଧୁମେୟ ଓ ଉଚ୍ଚ ରକ୍ତ ଚାପ ରୋଗରେ ପୀଡ଼ିତ ଥିଲେ । ୭୨ ବର୍ଷୀୟ ପୁରୁଷ ମଧୁମେୟ ଓ କିଡନୀ ରୋଗରେ ପୀଡ଼ିତ ଥିଲେ । ୪୯ ବର୍ଷୀୟ ପୁରୁଷ ମଧୁମେୟ ରୋଗରେ ପୀଡିତ ଥିଲେ । ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମଧୁମେୟ ଓ କିଡନୀ ରୋଗରେ ପୀଡ଼ିତ ଥିଲେ । କଟକ ଜିଲାର ୪୦ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଯଦିଓ ସୋମବାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଗଞ୍ଜାମର ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି, ତାକୁ କରୋନା ମୃତ୍ୟୁରେ ଗଣାଯାଇନାହିଁ । ସେ ଫୁସ୍ ଫୁସ୍ କର୍କଟ ରୋଗରେ ପୀଡ଼ିତ ଥିଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜିର ନୂଆ ୬୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୧୫ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨୦୧ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଗତ କାଲି ମଧ୍ୟ ରାଜ୍ୟରେ ୨୦୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢ଼ୁଥିବା ସଂକ୍ରମଣ ଏବେ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୨୮୩ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ଅନୁଗୁଳୁରୁ ୭, ବାଲେଶ୍ବରୁ ୨୭, ବରଗଡରୁ ୩୧, ଭଦ୍ରକରୁ ୨, ବଲାଙ୍ଗୀରିରୁ ୨, କଟକରୁ ୨୩, ଢେଙ୍କାନାଳରୁ ୭, ଗଜପତିରୁ ୧, ଜଗତସିଂହପୁରରୁ ୧୮, ଯାଜପୁରରୁ ୧୭, ଝାରସୁଗୁଡ଼ାରୁ ୧୧, କନ୍ଧମାଳରୁ ୬, କେନ୍ଦ୍ରପଡ଼ାରୁ୧, କେନ୍ଦୁଝର ୨୩, ଖୋର୍ଦ୍ଧା ୨୯, କୋରାପୁଟ ୫୦, ମାଲକାନାଗିରିରୁ ୧୪, ମୟୁରଭଞ୍ଜରୁ ୧୩, ନବରଙ୍ଗପୁରରୁ ୪୦, ନୁଆପଡ଼ାରୁ ୫, ପୁରୀରୁ ୧ ଓ ସୁନ୍ଦରଗଡ଼ରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଗତ ୭ ଦିନରେ ରାଜ୍ୟରେ ୩,୫୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଲେଣି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩,୭୩୭ ରେ ପହଞ୍ଚିଛି । ଯଦି ରାଜ୍ୟରେ କରୋନା ସଂକ୍ରମଣର ହାରକୁ ଦେଖାଯାଏ, ତେବେ ରାଜ୍ୟରେ ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି ।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । କିନ୍ତୁ ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ପ୍ରାୟ ୬୫ ପ୍ରତିଶତ ରହିଛି । ରାଜ୍ୟର ମୋଟ ୧୩,୭୩୭ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୮,୭୫୦ ଜଣ ସୁସ୍ଥ ହୋଇଯାଇଥିବା ବେଳେ ୪,୮୯୬ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।
କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରାଜ୍ୟରେ ସିରୋ-ସର୍ଭେଇଲାନ୍ସ ଆରମ୍ଭ ହୋଇଛି । ଏହା ଦ୍ବାରା ଜଣେ ବ୍ୟକ୍ତିଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି କେତେ ଅଛି ତାହା ମପା ଯାଉଛି । ସେଥିରୁ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଅଛି କି ନାହିଁ ତାହା ମଧ୍ୟ ଜଣାପଡିବ ।
ସ୍ଥାନୀୟ ଲୋକଙ୍କ ସଂକ୍ରମଣ ରାଜ୍ୟ ପାଇଁ ଏବେ ଅଧିକ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ପ୍ରତି ଦିନ ପ୍ରାୟ ୧୫୦ରୁ ଅଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରି ସ୍ଥଳେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ରହିଛି ।
ଭୁବନେଶ୍ବରରେ ଥିବା ଦୁଇଟି କୋଭିଡ୍ ହସ୍ପିଟାଲରେ ଆସିୟୁ ଫାଙ୍କା ନାହିଁ । ସମ୍ କୋଭିଡ୍ ହସ୍ପିଟାଲରେ ୪୫ରୁ ୪୫ଟି ଏବଂ କିମ୍ସରେ ୨୫ଟିରୁ ୨୫ଟି ଆସିୟୁ ବେଡରେ ରୋଗୀ ଚିକିତ୍ସିତ ହେଉଛନ୍ତି ।
ଏହା ବି ପଢ଼ନ୍ତୁ:
ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲା
ଏହା ବି ପଢ଼ନ୍ତୁ:
ହେମା ମାଳିନୀ କରୋନା ପଜିଟିଭ ହୋଇଥିବା ଖବର ଆସିଲା; ଅଭିନେତ୍ରୀ ଭିଡିଓରେ ଏହି ଉତ୍ତର ଦେଲେ
ଏବେ ସାରା ବିଶ୍ବରେ କରେନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୦ଲକ୍ଷ ରୁ ଅଧିକ ରହିଛି । କରୋନା ସଂକ୍ରମଣରେ ବିଶ୍ବରେ ମୋଟ ୫ ଲକ୍ଷ ୭୧ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଦେଶରେ ମଧ୍ୟ କରୋନା ସଂକ୍ରମଣର ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୮,୭୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୦ ଜଣଙ୍କ ମୃତ୍ୟୁ ଘଟିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।