News18 Odia Digital
ଭୁବନେଶ୍ୱର: ଓଡ଼ିଶାରେ ଆଉ ୪୮ କରୋନା ପଜିଟିଭ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମରେ ଅଛନ୍ତି ୧୨ ଜଣ ଆକ୍ରାନ୍ତ, ବାଲେଶ୍ବରରେ ୧୨, ପୁରୀରେ ୧୦, ଭଦ୍ରକରେ ୬, ନୟାଗଡ଼ରେ ୩, ଯାଜପୁରରେ ୨, ଆଉ କଟକ, ସୁନ୍ଦରଗଡ଼ ଓ ଦେବଗଡ଼ରେ ଜଣେ ଲେଖାଏଁ ଆକ୍ରାନ୍ତ । ଏଥି ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି ପାଇଛି ।
ଗଞ୍ଜାମରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୬୪ ହୋଇଛି । ବାଲେଶ୍ବରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ ହୋଇଛି । ସେହି ପରି ଭଦ୍ରକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬, ଯାଜପୁରରେ ୯୦, ସୁନ୍ଦରଗଡ଼ରେ ୨୬, ପୁରୀରେ ୧୪, ନୟାଗଡ଼ରେ ୪, କଟକରେ ୪ ଓ ଦେବଗଡ଼ରେ ୨କୁ ବୃଦ୍ଧି ପାଇଛି । ଏ ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ନୟାଗଡ଼ର ସମସ୍ତ ଆକ୍ରାନ୍ତ ଓଡ଼ଗାଁ ବ୍ଳକ ହରିହରପୁର କରଡ଼ା କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ । ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡିଛି । ପୂର୍ବରୁ ଏହି ସେଣ୍ଟରରୁ ଜଣେ ଶ୍ରମିକଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ଥିବା ୪୫ ଜଣ ଶ୍ରମିକ ଓ ୧୦ ଜଣ କର୍ମଚାରୀଙ୍କ ସମେତ ୫୫ ଜଣଙ୍କର ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରେ ୩ ଜଣ ଶ୍ରମିକଙ୍କ ସ୍ବାବ ଟେଷ୍ଟ ପଜିଟିଭ ଆସିଛି । ସମସ୍ତ ୩ ଆକ୍ରାନ୍ତଙ୍କୁ ଭୁବନେଶ୍ବର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୋଭିଡ୍ ସ୍ଥିତିର ତଦାରଖ ପାଇଁ ଗଜପତିରେ ପହଞ୍ଚୁଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ୍ ।
ରାଜ୍ୟରେ ନିକଟରେ ଚିହ୍ନଟ ହୋଇଥିବା ୬୧ ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଏହି ୬୧ ଜଣଙ୍କ ମଧ୍ୟରୁ ୧୩ ଜଣ ଗତ କାଲି କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିଲେ । ବାକି ୪୮ ଜଣଙ୍କ ମଧ୍ୟରୁ ୩୨ ଜଣ ଗୁଜରାଟ ଫେରନ୍ତା ହୋଇଥିବା ବେଳେ ୧୩ ଜଣ ପଶ୍ଚିମ ବଙ୍ଗ, ଜଣେ ମହାରାଷ୍ଟ୍ର ଓ ଜଣେ ଦିଲ୍ଲୀ ଫେରନ୍ତା ।
ଗଞ୍ଜାମ, ଯାଜପୁର, ନୟାଗଡ଼ ଓ ପୁରୀରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡିଛି । ସୁନ୍ଦରଗଡ଼, କଟକ ଓ ଦେବଗଡ଼ର ଆକ୍ରାନ୍ତ ଅହମଦାବାଦ ଫେରନ୍ତା । ସେହି ପରି ଭଦ୍ରକର ସମସ୍ତ ୬ ଆକ୍ରାନ୍ତ ପଶ୍ଚିମ ବଙ୍ଗ ଫେରନ୍ତା ହୋଇଥିବା ବେଳେ ବାଲେଶ୍ବରର ୧୨ ଜଣଙ୍କ ମଧ୍ୟରୁ ୭ ଜଣ ପଶ୍ଚିମ ବଙ୍ଗ ଫେରନ୍ତା, ଦୁଇ ଜଣ ସୁରତ, ଜଣେ ମହାରାଷ୍ଟ୍ର ଓ ଜଣେ ଦିଲ୍ଲୀ ଫେରନ୍ତା । ଅନ୍ୟ ଜଣେ ଆକ୍ରାନ୍ତ ହୋମ୍ କ୍ବାରେଣ୍ଟାଇନ୍ରେ ଥିଲେ ।
ଏହା ବି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ଖାଦ୍ୟ ମିଳିବ; ମଧ୍ୟମ ଆୟ ବର୍ଗ ପାଇଁ ଭଡ଼ା ଘର ଯୋଜନା
ଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀ
ଏହା ବି ପଢ଼ନ୍ତୁ: ଚାକିରୀଜୀବୀ ଲୋକଙ୍କ PF ଓ Tax ବିଷୟରେ ଅର୍ଥ ମନ୍ତ୍ରୀ ଏହି ୫ଟି ବଡ଼ ଘୋଷଣା କରିଛନ୍ତିନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।