News18 Odia Digital
ଭୁବନେଶ୍ୱର: ଓଡ଼ିଶାରେ ଚତୁର୍ଥ ଓ ପଞ୍ଚମ କରୋନା ଭାଇରସ୍ ପଜିଟିଭ୍ ମାମଲା ଯଥା କ୍ରମେ ଭଦ୍ରକ ଓ ଭୁବନେଶ୍ୱରରେ ଆସିବା ପରେ ରାଜ୍ୟ ସରକାର ଏକ ବଡ଼ ନିର୍ଣ୍ଣୟ ନେଇ ଆଜି ସନ୍ଧ୍ୟା ୮ଟାରୁ ଏହି ଦୁଇଟି ସହରରେ ୪୮-ଘଣ୍ଟିଆ ସମ୍ପୂର୍ଣ୍ଣ ସଟଡାଉନ୍ ଜାରି କରିଛନ୍ତି ।
ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ ଏହି ‘‘କମ୍ପ୍ଲିଟ୍ ସଟଡାଉନ୍’’ ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଜାରି ରହିବ । ଏଥି ସହିତ ପୂର୍ବରୁ ଲକଡାଉନ୍ ସମୟରେ ବାହାରକୁ ଯିବା ପାଇଁ ବିଭିନ୍ନ ଲୋକଙ୍କୁ ଦିଆଯାଇଥିବା ସବୁ ପାସ୍ ହଟେଇ ନିଆଯାଇଛି ବୋଲି ସେ କହିଛନ୍ତି । କରୋନା ଭାଇରସ ସଂକ୍ରମଣର ଗୋଷ୍ଠି ପ୍ରସାରଣ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ତ୍ରିପାଠୀ ।
‘‘ଏହି କମ୍ପ୍ଲିଟ୍ ସଟଡାଉନ୍ ସମୟରେ କୌଣସି ଲୋକକୁ ଯଦି ବାହାରେ ବୁଲୁଥିବାର ଦେଖାଯାଏ, ତେବେ ତାଙ୍କୁ ପୋଲିସ ଓ ଅନ୍ୟାନ୍ୟ ସରକାରୀ ବିଭାଗର ଅଧିକାରୀ ସେମାନଙ୍କୁ ଧରି ସରକାରୀ କ୍ୱାରାଣ୍ଟାଇନ୍ କେନ୍ଦ୍ରକୁ ଆଣି ୧୪ ଦିନ ରଖିବେ । ଜନ ସାଧାରଣଙ୍କୁ ଏହି ୪୮ ଘଣ୍ଟା ନିଜ ଘର ଭିତରେ ରହିବାକୁ ଅନୁରୋଧ କରାଯାଉଛି । ଦୟାକରି ଏହା ମାନନ୍ତୁ । ଆଗାମୀ ଗୋଟିଏ ସପ୍ତାହ କରୋନା ଭାଇରସ୍ ବିରୋଧରେ ଆମ ଲଢ଼େଇର ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ,’’ କହିଛନ୍ତି ତ୍ରିପାଠୀ ।
ଭୁବନେଶ୍ୱରର ସୂର୍ଯ୍ୟନଗରର ବାସିନ୍ଦା ପଞ୍ଚମ କରୋନା ଭାଇରସ୍ ପଜିଟିଭ୍ ଭାବେ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିବାରୁ ଏହି ପଦକ୍ଷେପ ନିଆଯାଇଛି । ଏହି ବ୍ୟକ୍ତି ବିଦେଶ ନ ଯାଇ ଏବଂ ଗତ ମାସେ ମଧ୍ୟରେ ଓଡ଼ିଶା ବାହାରକୁ ନ ଯାଇ ବି କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବାରୁ ଗୋଷ୍ଠି ସଂକ୍ରମଣର ଆଶଙ୍କା ବଢ଼ିଛି ।
ଏହି ୪୮-ଘଣ୍ଟିଆ ସଟଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବି ବନ୍ଦ ରହିବ । ଗ୍ରୋସରି, ପରିବା, ମାଛ ଓ ମାଂସ ଦୋକାନ ବି ବନ୍ଦ ରହିବ । କେଉଁ ମେଡିସିନ ଷ୍ଟୋର ଖୋଲିବ ସେ ନିଷ୍ପତ୍ତି ସ୍ଥାନୀୟ ଜିଲ୍ଲାପାଳ ନେବେ ବୋଲି କହିଛନ୍ତି ତ୍ରିପାଠୀ । ସ୍ବାସ୍ଥ୍ୟ ସମସ୍ୟା ହେଲେ ଆମ୍ବୁଲାନ୍ସକୁ ଫୋନ କରି ଡାକ୍ତରଖାନା ଯାଇହେବ ବୋଲି ସେ କହିଛନ୍ତି ।
ରାଜ୍ୟ ପୋଲିସ୍ ମୁଖ୍ୟ (ଡିଜିପି) ଅଭୟ କହିଛନ୍ତି ଯେ ଏହି କମ୍ପ୍ଲିଟ୍ ସଟଡାଉନ୍ ସମୟରେ ପୂର୍ବରୁ ଦିଆଯାଇଥିବା ସବୁ ପାସ୍ ବାତିଲ୍ କରାଯାଇଛି । ’’ସଟ୍ଡାଉନ ବେଳେ କାର୍ଯ୍ୟ କରିବନି ଲକ୍ଡାଉନ ପାସ୍ । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜରୁରୀ ମାଲ୍ ପରିବହନରେ କୌଣସି କଟକଣା ରହିବ ନାହିଁ । ରାଜ୍ୟ ସରକାର ଏହି ପଦକ୍ଷେପ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ନେଇଛନ୍ତି,’’ ସେ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।