News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ ମହାମାରୀ । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ୫୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ସମସ୍ୟା ଓ ଚିନ୍ତା ବଢ଼ିଚାଲିଛି ।
ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ତିନି ଜଣ ଓ କଟକରୁ ଜଣେ ଅଛନ୍ତି । ଗଞ୍ଜାମରେ ଆଜିର ଏହି ତିନି ମୃତ୍ୟୁ ସହ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୪ରେ ପହଞ୍ଚିଛି । ଗଞ୍ଜାମରେ ତିନି ଜଣ ମୃତକଙ୍କ ବୟସ ଯଥା କ୍ରମେ ୭୦, ୬୦ ଓ ୫୩ ଥିଲା । ୭୦ ବର୍ଷ ଓ ୬୦ ବର୍ଷ ବୟସ୍କ ଦୁଇ ମୃତକ ମଧୁମେୟ ରୋଗରେ ପୀଡ଼ିତ ଥିଲେ । କଟକରେ ୪୮ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ ଯକୃତ ଜନିତ ସମସ୍ୟା ଓ ମଧୁମେୟ ରୋଗରେ ପୀଡ଼ିତ ଥିଲେ । ଏହାକୁ ମିଶାଇ କଟକରେ ଏ ପର୍ଯ୍ୟନ୍ତ ପାଞ୍ଚ ଜଣଙ୍କ ଜୀବନ ନେଲାଣି କିଲର କରୋନା ।
ଆଜିର ନୂଆ ୫୭୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୦୩ ଜଣ ଚିହ୍ନଟ ହୋଇଛନ୍ତି । ବାକି ୧୬୮ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୨୭୩ ଜଣ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୫୬, ସୁନ୍ଦରଗଡ଼ରୁ ୫୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୩୭, କଟକରୁ ୨୯, ବାଲେଶ୍ବରରୁ ୨୮ ଜଣ, ଜଗତସିଂହପୁରରୁ ୧୭, ଯାଜପୁରରୁ ୧୬, ମୟୂରଭଞ୍ଜରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ରାୟଗଡ଼ାରୁ ୧୦, ନବରଙ୍ଗପୁର ଓ କେନ୍ଦୁଝରରୁ ୭ ଜଣ ଲେଖାଏଁ, ସମ୍ବଲପୁରରୁ ୬, ବଲାଙ୍ଗିରରୁ ୫, କେନ୍ଦ୍ରାପଡ଼ାରୁ ୩, ପୁରୀ ଓ ଅନୁଗୁଳରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ, ଢେଙ୍କାନାଳ, ଝାରସୁଗୁଡ଼ା ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗତ ଦୁଇ ଦିନରେ ରାଜ୍ୟରେ ୧,୦୦୦ରୁ ଅଧିକ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଲେଣି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ୫ ତାରିଖରେ ରାଜ୍ୟରେ ପଜିଟିଭ ସଂଖ୍ୟା ୯,୦୭୦ ଥିବା ବେଳେ ଆଜି ଏହା ୧୦,୦୯୭ରେ ପହଞ୍ଚିଛି । ଆକ୍ରାନ୍ତ ସଂଖ୍ୟା ଦୁଇ ଗୁଣ ହେବାକୁ ମାତ୍ର ୧୭ ଦିନ ଲାଗିଛି । ଜୁନ୍ ୨୧ ତାରିଖରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୫,୧୬୦ ।
ରାଜ୍ୟରେ ଗତ ମାସକ ମଧ୍ୟରେ ସ୍ଥିତି ଅଧିକ ଚିନ୍ତାଜନକ ହୋଇଛି । ଏହି ସମୟ ମଧ୍ୟରେ ୮,୨୪୧ ଜଣ ପଜିଟିଭ ବାହାରିଥିବା ବେଳେ ୩୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । ତେବେ ଆଶ୍ବସ୍ତିର ବିଷୟ ଏହା ଯେ ଏହି ମାସକ ମଧ୍ୟରେ ଆରୋଗ୍ୟ ହାର ମଧ୍ୟ ପ୍ରାୟ ୫୫ ପ୍ରତିଶତ ରହିଛି । ଜୁନ ୭ରୁ ଜୁଲାଇ ୬ ମଧ୍ୟରେ ୪,୫୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୦,୦୦୦ ଟପିଥିବା ବେଳେ ୭ ଲକ୍ଷ ଡେଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ ଗତ ୨୪ ଘଣ୍ଟାରେ ୨୨,୨୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୬୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୦,୧୬୦କୁ ବୃଦ୍ଧି ପାଇଛି ଓ ପଜିଟିଭ ସଂଖ୍ୟା ୭,୧୯,୬୬୫ରେ ପହଞ୍ଚିଛି । ଏଥିରୁ ୨,୫୯,୫୫୭ ଜଣ ଚିକିତ୍ସାଧୀନ ଥିବା ବେଳେ ୪,୩୯,୯୪୮ ଜଣ ସୁସ୍ଥ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ:
ସାବାଡ଼ ହେଲା ଡ୍ରାଗନ୍: ଲଦ୍ଦାଖରେ ସୀମାରୁ ୨ କିମି ପଛକୁ ହଟିଲା ଚୀନ୍ ସେନା; ଟେଣ୍ଟ୍ ଓ ସାମଗ୍ରୀ ହଟାଇଲାମହାରାଷ୍ଟ୍ରରେ ଦିନକରେ ୨୦୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫,୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ୯,୦୦୦ ଟପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୧,୯୮୭ରେ ପହଞ୍ଚିଛି । ଦେଶର କରୋନା କ୍ୟାପିଟାଲ ସାଜିଥିବା ଦିଲ୍ଲୀରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଡେଇଁଥିବା ବେଳେ ମୃତକଙ୍କ ସଂଖ୍ୟା ୩,୧୧୫ରେ ପହଞ୍ଚିଛି । ତାମିଲ ନାଡୁରେ ୧ ଲକ୍ଷ ୧୫ ହଜାର ଛୁଇଁବାକୁ ବସିଲାଣି ପଜିଟିଭ ସଂଖ୍ୟା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।