କରୋନାର ଆତଙ୍କ ବଢ଼ୁଛି: ଦେଶରେ ଏ ପର୍ଯ୍ୟନ୍ତ ୩୮ ଜଣଙ୍କ ପ୍ରାଣ ଗଲାଣି; ସଂକ୍ରମିତ ସଂଖ୍ୟା ୧,୬୩୭

ଉତ୍ତର ପ୍ରଦେଶରେ କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଛି । ନୋଏଡାରେ ଆଜି ଆଉ ୪ଟି ନୂଆ ମାମଲା ସାମନାକୁ ଆସିବା ପରେ ଉତ୍ତର ପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩ରେ ପହଞ୍ଚିଛି । ବିଶ୍ବରେ ଏ ପର୍ଯ୍ୟନ୍ତ କରୋନା ଭାଇରସ୍ ସଂକ୍ରମଣରେ ୪୨,୦୦୦ ଲୋକଙ୍କ ଜୀବନ ଗଲାଣି ।

କରୋନାର ଆତଙ୍କ ବଢ଼ୁଛି: ଦେଶରେ ଏ ପର୍ଯ୍ୟନ୍ତ ୩୮ ଜଣଙ୍କ ପ୍ରାଣ ଗଲାଣି; ସଂକ୍ରମିତ ସଂଖ୍ୟା ୧,୬୩୭
ମୁମ୍ବାଇରେ ରାସ୍ତାରେ କାନ୍ଥରେ କରୋନା ବିଷୟରେ ଲେଖାଥିବା ବାର୍ତ୍ତା ପାଖ ଦେଇ ଜଣେ ଲୋକ ମାସ୍କ ପିନ୍ଧି ଚାଲିଛି । (ଗେଟି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଏ ପର୍ଯ୍ୟନ୍ତ ୩୮ ଜଣ ଲୋକଙ୍କ ପ୍ରାଣ ଗଲାଣି । ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧,୬୩୭ରେ । ଆଜି ଗୋଟିଏ ଦିନରେ ୨୪୦ଟି ପଜିଟିଭ ମାମଲା ସାମନାକୁ ଆସିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏ ପର୍ଯ୍ୟନ୍ତ ଦେଶରେ ୧୩୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧,୪୬୬ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୯ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୬, କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶରେ ୩ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ତେଲଙ୍ଗାନା ଓ ପଞ୍ଜାବରେ ୩ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । ପଶ୍ଚିମ ବଙ୍ଗ, କେରଳ, ଦିଲ୍ଲୀ ଓ ଜାମ୍ମୁ-କାଶ୍ମୀରରେ ୨ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିହାର, ହିମାଚଳ ପ୍ରଦେଶ ଓ ତାମିଲ ନାଡୁରେ ଜଣେ ଲେଖାଏଁ ମୃତ୍ୟୁ ହୋଇଛି ।

ଉତ୍ତର ପ୍ରଦେଶରେ ପ୍ରଥମ କରୋନା ମୃତ୍ୟୁ

ଉତ୍ତର ପ୍ରଦେଶରେ କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଛି ।  ଗୋରଖପୁରର ବି.ଆର୍‌.ଡି. କଲେଜରେ ଚିକିତ୍ସିତ ହେଉଥିବା ଜଣେ ଆକ୍ରାନ୍ତଙ୍କର ଆଜି ମୃତ୍ୟୁ ହୋଇଛି ।  ସେ ବସ୍ତି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ଏଥି ସହିତ ଉତ୍ତର ପ୍ରଦେଶରେ ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ବର୍ତ୍ତମାନ ୮୭ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ନୋଏଡାରେ ଆଜି ଆଉ ୪ଟି ନୂଆ ମାମଲା ସାମନାକୁ ଆସିବା ପରେ ଉତ୍ତର ପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩ରେ ପହଞ୍ଚିଛି ।

କେରଳରେ ମୁହଁରେ ମାସ୍କ ଲଗେଇ ଜଣେ ଯୁବକ ଠିଆ ହୋଇଛି । (ରୟଟର୍ସ)


ବିହାରକୁ ବାହାରୁ ପ୍ରବେଶ ବନ୍ଦ

କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ବିହାର ସରକାର ଏକ ବଡ ନିଷ୍ପତ୍ତି ନେଇ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ନୋ ଏଣ୍ଟ୍ରି ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ପରେ ସୀମାରେ ବହୁ ସଂଖ୍ୟାରେ ଲୋକ ଫସି ରହିଛନ୍ତି । ରାଜଧାନୀ ପାଟନାରେ ଆୟୋଜିତ କରୋନା ବିପର୍ଯ୍ୟୟ ପରିଚାଳନା କମିଟିର ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ସ୍ପଷ୍ଟ ଘୋଷଣା କରାଯାଇଛି । ବାହାରୁ ଆସୁଥିବା କୌଣସି ବି ବ୍ୟକ୍ତିକୁ ଏବେ ବିହାର ସୀମାରୁ ରାଜ୍ୟରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ମୁଖ୍ୟ ସଚିବ ଦୀପକ କୁମାର ଏନେଇ ସୂଚନା ଦେଇଛନ୍ତି । ଏବେ ସୀମାରେ ଅଟକି ରହିଥିବା ପ୍ରବାସୀମାନଙ୍କୁ ସେଠାରେ ତିଆରି ହୋଇଥିବା ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ରରେ ହିଁ ରହିବାକୁ ପଡିବ । ବିହାର ସରକାରଙ୍କ ଏହି ନିଷ୍ପତ୍ତି ପରେ ନେପାଳ ସୀମାରେ ପ୍ରବଳ ସଂଖ୍ୟାରେ ଲୋକ ଅଟକି ରହିଚନ୍ତି ।

ମହିଳାମାନେ ଟାଣିଲେ ଲକ୍ଷ୍ମଣ ରେଖା

କରୋନାରୁ ସୁରକ୍ଷା ପାଇଁ ବିହାରର ଶାହବାଜପୁର ଗାଁରେ ଦେଖିବାକୁ ମିଳିଛି କିଛି ନିଆରା  ଦୃଶ୍ୟ । ଗାଁରେ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାରିକେଡ୍‌ କରାଯାଇଥିବା ବେଳେ ମହିଳାମାନେ ଘର ଆଗରେ ଟାଣିଛନ୍ତି ଲକ୍ଷ୍ମଣ ରେଖା । ଘର କବାଟ ଆଗରେ ନାଲି କପଡ଼ାରେ ତିଆରି ହୋଇଥିବା ଏହି ଲକ୍ଷ୍ମଣ ରେଖାର ଅର୍ଥ, ଜରୁରୀ ନ ଥିଲେ ଘରୁ ବାହାରିବା ମନା । ଏପରିକି ଏହାକୁ ଦେଖି ପିଲା ମଧ୍ୟ ଘରୁ ବାହାରୁ ନାହାନ୍ତି । ଏଠିକାର ଲୋକଙ୍କ ଅନୁସାରେ ଆବଶ୍ୟକ ହେଲେ କେବଳ ଜଣେ ଲୋକ ଘରୁ ବାହାରିଥାନ୍ତି, ଆଉ ତୁରନ୍ତ କାମ ସାରି ଫେରି ଆସନ୍ତି । କରୋନା ସଂଙ୍କଟ ଯୋଗୁଁ ସାରା ଦେଶ ଜାରି ରଖିଛି ସଂଘର୍ଷ । ଏଭଳି ସମୟରେ ଗ୍ରାମବାସୀଙ୍କ ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ପାଲଟିଛି ଉଦାହରଣ । ଏହାକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଡିଏମ୍‌ ଅଭିଶେଷ ସିଂ ।

ସେୟାର୍‌ ବଜାର ପ୍ରଭାବିତ

ଦେଶର ସେୟାର ବଜାର ଉପରେ କରୋନାର ମାଡ଼ ପଡ଼ିଛି । କରୋନା ପ୍ରଭାବରେ ଲଗାତାର ଖସିଚାଲିଛି ସେୟାର ବଜାର । ଆଜି ବି ପ୍ରଭାବିତ ହୋଇଛି କାରବାର । ବିଏସ୍‌ଇ ସୂଚକାଙ୍କ ୧,୦୦୦ ପଏଣ୍ଟରୁ ଅଧିକ ଖସି ୨୮,୫୦୦ରେ ପହଞ୍ଚିଛି । ସେହିପରି ନିଫ୍‌ଟି ୩୦୦ ପଏଣ୍ଟରୁ ଅଧିକ ଖସି ୮,୩୦୦ ପଏଣ୍ଟରେ କାରବାର କରୁଛି ।

ବିଶ୍ୱରେ ୪୨,୦୦୦ ଲୋକଙ୍କ ମୃତ୍ୟୁ

ନ୍ୟୁୟର୍କ ସହରରେ ଲକଡାଉନ୍‌ ଯୋଗୁଁ ଟାଇମ୍ସ ସ୍କୋୟାର୍‌ ଖାଲି ଖାଲି ଲାଗୁଛି । (ରୟଟର୍ସ୍‌)


ବିଶ୍ବରେ ଏ ପର୍ଯ୍ୟନ୍ତ କରୋନା ଭାଇରସ୍‌ ସଂକ୍ରମଣରେ ୪୨,୦୦୦ ଲୋକଙ୍କ ଜୀବନ ଗଲାଣି । ଗୋଟିଏ ଦିନରେ ୪,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ବିଶ୍ବର ୨୦୦ଟି ରାଷ୍ଟ୍ର ଏବେ ମହାମାରୀ କରୋନାର ପଞ୍ଝାରେ ଅଛନ୍ତି । ୮ ଲକ୍ଷ  ୫୭ ହଜାର ପାର୍‌ କରିଛି ଆକ୍ରାନ୍ତଙ୍କ ସଂଖ୍ୟା ।

ଇଟାଲୀରେ ୧୨,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ପେନରେ ୮,୪୦୦,  ଆମେରିକାରେ ୩,୮୦୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି କରୋନା ।  କେବଳ  ଆମେରିକାରେ ୧ ଲକ୍ଷ ୮୭ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୟୁଏସଏରେ ୨୩,୦୦୦ରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ଇଟାଲୀରେ ୧ ଲକ୍ଷ ୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଫ୍ରାନ୍ସରେ ୩ ହଜାର ୫ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଇରାନରେ ୨ ହଜାର ୮ଶହ, ବ୍ରିଟେନରେ ୧୭ଶହ ଲୋକଙ୍କ ଜୀବନ ଯାଇଛି ।
First published: April 1, 2020, 3:42 PM IST
corona virus btn
corona virus btn
Loading