ଦେଶରେ କରୋନା ନେଲାଣି ୩୩୯ ଜୀବନ; ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୦୦ ପାର୍ କଲା

ବିଶ୍ବରେ ଏ ଯାଏଁ ୧୯ ଲକ୍ଷ ୨୫ ହଜାରରୁ ଅଧିକ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ଓ ୧ ଲକ୍ଷ ୧୯ ହଜାର ୬୮୬ ଲୋକଙ୍କ ମୃତ୍ୟୁ ହୋଇଛି । ଭାରତରେ ମହାରାଷ୍ଟ୍ର ସବୁ ଠୁ ଅଧିକ ପ୍ରଭାବିତ ହୋଇଛି । ସେଠାରେ ୧୬୦ ଜଣଙ୍କ ମୃତ୍ୟୁ ହେଲାଣି ।

ଦେଶରେ କରୋନା ନେଲାଣି ୩୩୯ ଜୀବନ; ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୦୦ ପାର୍ କଲା
ଚେନ୍ନାଇରେ ଜଣେ ଡାକ୍ତର ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ।
  • News18 Odia
  • Last Updated: April 14, 2020, 2:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ୧୨୧୧ଟି ନୂଆ ମାମଲା ସାମନାକୁ ଆସିଛି । ସେହିପରି ଦିନକ ମଧ୍ୟରେ ୩୧ ଜଣଙ୍କ ଜୀବନ ନେଇଛି ଏହି କିଲର୍‌ ଭାଇରସ୍‌ । ଦେଶରେ ଏ ପର୍ଯ୍ୟନ୍ତ ମୋଟ ମୃତ୍ୟୁ ସଂଖ୍ୟା ୩୩୯ରେ ପହଞ୍ଚିଛି ।

ବିଭିନ୍ନ ହସ୍ପିଟାଲରେ ୮,୯୮୮ ଜଣ ଚିକିତ୍ସିତ ହେଉଥିବା ବେଳେ ଏଯାଏ ୧,୦୩୫ ଜଣ ସୁସ୍ଥ ହୋଇ ଫେରିଛନ୍ତି ।  ମଧ୍ୟ ପ୍ରଦେଶରେ ୪୩, ଗୁଜରାଟରେ ୨୬ ଓ ଦିଲ୍ଲୀରେ ୨୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ଗତ ୧୪ ଦିନରେ ଦେଶର ୧୫ଟି ରାଜ୍ୟର ୨୫ଟି ଜିଲ୍ଲାରେ କୌଣସି ମାମଲା ସାମନାକୁ ଆସି ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।

ଭାରତୀୟ ଭେଷଜ ଗବେଷଣା ପରିଷଦର ମୁଖ୍ୟ ରମଣ ଆର.ଗଙ୍ଗାଖେଡକର କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୬ ହଜାର ୨୧୨ଟି ନମୁନା ପରୀକ୍ଷଣ କରାଯାଇଛି । ଆଗାମୀ ୬ ସପ୍ତାହ ଯାଏଁ ପରୀକ୍ଷା କରିବା ପାଇଁ ଦେଶରେ ଯଥେଷ୍ଟ ପରିମାଣରେ ଟେଷ୍ଟିଂ କିଟ ମହଜୁଦ ରହିଛି । ଏଥି ସହ ଆସନ୍ତା କାଲି ଚୀନରୁ ପ୍ରଥମ ଦଫା ଟେଷ୍ଟିଂ କିଟ ଭାରତରେ ପହଞ୍ଚିବ ବୋଲି ସେ କହିଛନ୍ତି ।

କାନପୁରରେ ଏକ ଶ୍ମଶାନରେ ଜଣେ ମୃତ ବ୍ୟକ୍ତିର ପରିଜନ ଠିଆହୋଇଛନ୍ତି ।


କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ରାଜ୍ୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନେଇ କୌଣସି କଟକଣା ଜାରି କରାଯାଇନାହିଁ । ଖାଲି ଟ୍ରକ୍‌ ଫେରିବା ବେଳେ ଏହାକୁ କୌଣସି ରାଜ୍ୟର ପୋଲିସ ଅଟକାଇ ପାରିବେନି ବୋଲି କୁହାଯାଇଛି । ଅନ୍ତଃରାଜ୍ୟ ଏବଂ ରାଜ୍ୟ ସ୍ତରୀୟ ମାଲ୍‌ ପରିବହନରେ ନିୟୋଜିତ ଟ୍ରକଗୁଡ଼ିକୁ , କୌଣସି ସ୍ଥାନରେ ଅଟକା ଯାଇ ପାରିବ ନାହିଁ । ଏହାଛଡ଼ା ମାଲ ଅନଲୋଡ କରିସାରି ଫେରୁଥିବା ଟ୍ରକ ଯାତାୟତ ଉପରେ ମଧ୍ୟ କୌଣସି କଟକଣା ରହିବ ନାହିଁ । ଏହି ଟ୍ରକରେ ଡ୍ରାଇଭର ସମେତ ଅନ୍ୟ ଜଣେ ବ୍ୟକ୍ତି ଯାତ୍ରା କରିପାରିବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

କରୋନାରେ ଦେଶରେ ସର୍ବାଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଏହି ରାଜ୍ୟରେ ୧୬୦ ଜଣଙ୍କ ଜୀବନ ନେଲାଣି କିଲର ଭାଇରସ । ବର୍ତ୍ତମାନ ସୁଦ୍ଧା ଏହି ରାଜ୍ୟରେ ୨,୩୩୪ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାର ହଟ୍‌ସ୍ପଟ୍‌ ପାଲଟିଛି ଧରାବୀ ବସ୍ତି । ଏସିଆର ଏହି ସର୍ବ ବୃହତ ବସ୍ତିରେ ଗତ ୨୪ ଘଣ୍ଟାରେ ୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି ।

ଧରାବୀ ବସ୍ତିରେ ୭ ଜଣଙ୍କ ଜୀବନ ନେଲାଣି କିଲର ଭାଇରସ। ହାଇ ରିସ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ମୁଖ୍ୟତଃ ସଂପୂର୍ଣ୍ଣ ବସ୍ତିକୁ ୧୬ଟି ଜୋନ୍‌ରେ ବିଭକ୍ତ କରାଯାଇ ଯାଞ୍ଚ ଚାଲିଛି । ମାତ୍ର ୨୪୦ ହେକ୍ଟର ଆୟତନ ବିଶିଷ୍ଟ ଏହି ବସ୍ତିରେ ୮ ଲକ୍ଷ ୫୦ ହଜାର ଲୋକ ବାସ କରୁଥିବାରୁ ଏହା ଚିନ୍ତା ବଢ଼ାଇ ଦେଇଛି। ଲକ୍‌ଡାଉନ ଯେପରି କଡ଼ାକଡ଼ି ପାଳନ ହେବ ସେଥିପାଇଁ ପୋଲିସ, ପ୍ରଶାସନ ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ଦିନରାତି କାର୍ଯ୍ୟ କରୁଛନ୍ତି ।

ବିଶ୍ବରେ ଆତଙ୍କ ଖେଳାଇଛି କରୋନା ଭାଇରସ । ଏ ପର୍ଯ୍ୟନ୍ତ ବିଶ୍ବରେ ୧୯ ଲକ୍ଷ ୨୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ୧ ଲକ୍ଷ ୧୯ ହଜାର ୬୮୬ ଲୋକଙ୍କ ଜୀବନ ନେଲାଣି ଏହି ଭାଇରସ୍ । ପୁଣି ଥରେ କରୋନା ଯୋଗୁଁ ଗୋଟିଏ ଦିନରେ ଆମେରିକାରେ ସର୍ବାଧିକ ମୃତ୍ୟୁ ଓ ନୂଆ ଆକ୍ରାନ୍ତ ସାମନାକୁ ଆସିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୨୩ ହଜାର ୫୯୨ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୬ ହଜାର ଉପରେ ରହିଛି । ସେହିପରି ଇଟାଲରରେ ମୃତ୍ୟୁ ସଂଖ୍ୟା ୨୦ ହଜାର ୪୬୫ ଥିବା ବେଳେ, ସ୍ପେନରେ ୧୭ ହଜାର ୭୫୬, ଫ୍ରାନ୍ସରେ ୧୪ ହଜାର ୯୬୭ ଜଣଙ୍କର ମୃତ୍ୟୁ ହେଲାଣି । ଏହାଛଡା ବ୍ରିଟେନରେ ୧୧ ହଜାର ୩୨୯, ଇରାନରେ ୪ ହଜାର ୫୮୫ ଓ ଜର୍ମାନୀରେ ୩ ହଜାର ୧୯୪ ଜଣଙ୍କର କରୋନାରେ ମୃତ୍ୟୁ ହେଲାଣି ।
First published: April 14, 2020, 2:20 PM IST
corona virus btn
corona virus btn
Loading