News18 Odia Digital
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି, ହେଲେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ଯୋଗୁଁ କୋଭିଡ ହସ୍ପିଟାଲଗୁଡ଼ିକରେ ଅବ୍ୟବସ୍ଥା, ଅନିୟମିତା ଓ ଚଞ୍ଚକତାର ଅନେକ ଉଦାହରଣ ବି ସାମନାକୁ ଆସିଛି । ବିଶେଷତଃ ଘରୋଇ କୋଭିଡ଼ ହସ୍ପିଟାଲଗୁଡ଼ିକରେ ବେଡ଼ ଓ ଆଇସିୟୁ ତଥ୍ୟରେ ଚଞ୍ଚକତା କରାଯାଉଥିବା ଅଭିଯୋଗ ହେଉଛି ।
ଘରୋଇ କୋଭିଡ଼ ହସ୍ପିଟାଲଗୁଡ଼ିକୁ ଅନେକ ରୋଗୀ ଆସୁଛନ୍ତି ଚିକିତ୍ସା ପାଇଁ । ହେଲେ ଏ ହସପିଟାଲରୁ ସେ ହସପିଟାଲ ଦଉଡ଼ି ଦଉଡ଼ି ନୟାନ୍ତ ହେଉଛନ୍ତି ସେମାନେ । କରୋନାରେ ଆକ୍ରାନ୍ତ ଥିବା ଯୋଗୁଁ ଭୟଭୀତ ଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେବାକୁ ପଡୁଛି । ଘରୋଇ ହସପିଟାଲରେ ଆଡମିଶନ ପୂର୍ବରୁ ହାଇ ଆମାଉଣ୍ଟର ଟଙ୍କା ପଇଠ କରିବାକୁ କହୁଛନ୍ତି ହସପିଟାଲ୍ କର୍ତ୍ତୃପକ୍ଷ। ନିକଟରେ ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।
ପୁରୀ ଜିଲ୍ଲା କଣାସ ବ୍ଳକର ବାସିନ୍ଦା ଅପର୍ଣ୍ଣା ସାହୁ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ କେୟାର ହସପିଟାଲକୁ ଆସିଥିଲେ । ୧୯ ତାରିଖରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ହେଲେ କେୟାର ହସପିଟାଲ୍ ଚିକିତ୍ସା କରିବାକୁ ସିଧା ସିଧା ମନା କରିଦେଇଥିଲା ବୋଲି ତାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ।
ସେମାନେ ୧୦୪ ନମ୍ବରରେ କଲ୍ କଲେ, ହେଲେ କିଛି ସୁଫଳ ମିଳିଲାନି । କିମସ୍ ଓ ସମ୍ ହସପିଟାଲକୁ ବି ଗଲେ, କିନ୍ତୁ ସେଠି ବି ଆଡିମସନ ହୋଇପାରିଲାନି । ରାତି ୧୧ଟାରେ ନିରାଶ ହୋଇ ଫେରିଲେ । ତା’ ପରଦିନ ଯନ୍ତ୍ରଣା ବଢ଼ିବାରୁ ବିଏମସି ଓ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଲେ ସେମାନେ । ଏବେ ଅପର୍ଣ୍ଣା ହାଇଟେକ ହସପିଟାଲରେ ଚିକିସାଧୀନ ଅଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ଅପର୍ଣ୍ଣା ସାହୁଙ୍କ ଅନୁଭୁତିରୁ ଭୁବନେଶ୍ୱରର ଘରୋଇ କୋଭିଡ଼ ହସ୍ପିଟାଲଗୁଡ଼ିକରେ କେମିତି ଚାଲିଛି ଚିକିତ୍ସା ତାହା ସହଜେ ଅନୁମେୟ । ଯଦି ରାଜଧାନୀରେ ଏଭଳି ଚିକିତ୍ସା ଦିଆଯାଉଛି, ତେବେ ଉପାନ୍ତ ଅଞ୍ଚଳରେ ଅବସ୍ଥା କେମିତି ଥିବ ତାହା ଆପଣ ଭଲ ଭାବରେ ବୁଝିପାରୁଥିବେ ।
ଘରୋଇ ହସ୍ପିଟାଲଗୁଡ଼ିକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି ଯେ ୮୦ ପ୍ରତିଶତ ଆୟିସିୟୁ ଓ ୫୦ ପ୍ରତିଶତ ଜେନେରାଲ ବେଡ୍ କେବଳ କରୋନା ଚିକିତ୍ସା ନିମନ୍ତେ ସେମାନେ ରଖିବେ । ତେବେ ଘରୋଇ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖରେ ଥିବା ଜେନେରାଲ ବେଡ୍, ଆଇସିୟୁ ଓ କରୋନା ପାଇଁ ସଂରକ୍ଷିତ ବେଡ୍ର ସଂଖ୍ୟା ଓ ପ୍ରକୃତ ତାଲିକା ଦେଉପାରୁନାହାନ୍ତି ।
କୋଭିଡ ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ଏବେ କାର୍ଯ୍ୟକ୍ଷମ ଅଛି ମୋଟ ୪୮ଟି କୋଭିଡ ହସ୍ପିଟାଲ ଓ ୧୭୮ଟି କୋଭିଡ କେୟାର ସେଣ୍ଟର । ଏହି କୋଭିଡ ହସ୍ପିଟାଲ୍ ଓ କେୟାର ସେଣ୍ଟରରେ ରହିଛି ମୋଟ ୮,୩୧୦ଟି ସାଧାରଣ ବେଡ଼ର ବ୍ୟବସ୍ଥା । ଏବେ ସୁଦ୍ଧା ଖାଲି ପଡିଥିବା ବେଡ଼ ସଂଖ୍ୟା ୩,୯୦୪ ବୋଲି କୁହାଯାଉଛି । ସେମିତି ସାରା ରାଜ୍ୟରେ ମୋଟ ୧,୩୮୧ଟି ଆଇସିୟୁ ରହିଥିବା ବେଳେ ସେ ଭିତରୁ ଖାଲି ଅଛି ୭୫୬ଟି । ସ୍ୱାସ୍ଥ୍ୟ ବିଭାଗର ସୂଚନା କହୁଛି ଯେ କେବଳ ଭୁବନେଶ୍ୱରରେ ୧,୬୧୭ଟି କୋଭିଡ ବେଡ଼ ଅଛି ଓ ସେଥିରୁ ଖାଲି ଅଛି ୪୧୦ଟି ବେଡ଼ । ଭୁବନେଶ୍ବରରେ ଥିବା ୫୩୪ଟି ଆଇସିୟୁ ଭିତରୁ ଖାଲି ପଡ଼ିଛି ୨୭୪ଟି । ସେହି ପରି ଭୁବନେଶ୍ୱରରେ ୧୯୫ଟି ଭେଣ୍ଟିଲେଟର ବ୍ୟବସ୍ଥା ଥିବା ବେଳେ ଏବେ ସୁଦ୍ଧା ଖାଲି ପଡିଛି ୧୦୨ଟି ଭେଣ୍ଟିଲେଟର ।
ସରକାରୀ ଭାବେ ଦିଆଯାଇଥିବା ଏହି ତଥ୍ୟ ସହିତ ମେଳ ଖାଉନାହିଁ ପ୍ରକୃତ ତଥ୍ୟ । ଅଭିଯୋଗ ଆସୁଛି ଯେ ଭୁବନେଶ୍ୱରର ଘରୋଇ ଆପୋଲୋ ହସ୍ପିଟାଲରେ ସାଧାରଣ ବେଡ଼ ସଂଖ୍ୟ ୩୫୦ ଓ ୬୪ଟି ଆସିୟୁ ଥିବା ବେଳେ ଏବେ ସେଥିରୁ ଗୋଟିଏ ବି ବେଡ଼ ଖାଲି ନାହିଁ ବୋଲି ହସ୍ପିଟାଲ ପକ୍ଷରୁ ଲୋକଙ୍କୁ କୁହାଯାଉଛି । ସେହି ପରି କିମ୍ସ କୋଭିଡ ହସ୍ପିଟାଲ ଓ ସମ୍ କୋଭିଡ ହସ୍ପିଟାଲ ଉଭୟ ୫୦୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଅନେକ ସମୟରେ ଗୋଟିଏ ବି ବେଡ଼ ଖାଲି ରହୁ ନ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଉଛି ବୋଲି ଅଭିଯୋଗ ଆସିଛି ।
ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ ସବୁ କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟରରେ ସେମାନଙ୍କ ଠାରୁ ତଥ୍ୟ ଲୁଚାଯାଉଛି । ରୋଗୀକୁ ବେଡ଼ ମିଳୁଛି କି ନାହିଁ, ମେଡ଼ିସିନ ଦିଆଯାଉଛି କି ନାହିଁ, ପ୍ରକୃତ ଆସିୟୁ ସଂଖ୍ୟା କେତେ, ଏମିତିକି ରୋଗୀର ସ୍ବାସ୍ଥ୍ୟ ଅବସ୍ଥା କ’ଣ ଅଛି ସେ ସୂଚନା ମଧ୍ୟ ଲୁଚାଯାଉଛି ବୋଲି କହିଛନ୍ତି ସେମାନେ ।
ଏଭଳି ତଥ୍ୟ ଓ ଆରୋପ ଭିତରେ କୋଭିଡ ହସ୍ପିଟାଲ ବା କୋଭିଡ କେୟାର ସେଣ୍ଟରଗୁଡ଼ିକର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମାଜିକ କର୍ମୀ ଅଶୋକ ପାଲଟାସିଂ । ‘‘ସରକାରୀ ଭାବେ ଜାରୀ ହେଉଥିବା ତଥ୍ୟ ଠାରୁ ବାସ୍ତବ ତଥ୍ୟ ଅଲଗା । ଅଧିକାଂଶ କୋଭିଡ ହସ୍ପିଟାଲରେ ଆଇସିୟୁ ନାହିଁ ବୋଲି କହି ଅନେକ ରୋଗୀଙ୍କୁ ଫେରାଇ ଦିଆଯାଇଛି । ଭେଣ୍ଟିଲେଟର ନାହିଁ ବୋଲି କୁହାଯାଉଛି । ମୋଟ ଉପରେ ଏ ସବୁ ଘଟଣା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ଦୈନିକ ପ୍ରତି କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟରରେ ସାଧାରଣ ଲୋକଙ୍କ ପାଇଁ ତଥ୍ୟ ପ୍ରଦର୍ଶିତ କରାଯିବାର ବ୍ୟବସ୍ଥା ହେବା ଉଚିତ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେ, ତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳାଏହା ବି ପଢ଼ନ୍ତୁ | Bollywood & Drugs: ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ଦୀପିକା; ଶ୍ରଦ୍ଧା ଓ ସାରାଙ୍କୁ ବି ଜେରା କରାଗଲାବିଭିନ୍ନ ରୋଗରେ ପୀଡ଼ିତ ଥିବା ସୁକାନ୍ତ ସାହୁ ଘରୋଇ ହସପିଟାଲଗୁଡ଼ିକ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ‘‘କିମ୍ସ, ସମ୍ ଓ କେୟାର ହସ୍ପିଟାଲ ମନମାନି କରୁଛନ୍ତି । ମୋ’ର ସ୍ପାଇନାଲ କର୍ଡ଼ ପ୍ରୋବ୍ଲେମ ଥିବାରୁ ଏହି ସୁବ ହସ୍ପିଟାଲ ବୁଲିଥିଲି ହେଲେ କୌଣସି ସୁଫଳ ମିଳି ନ ଥିଲା,’’ ସେ କହିଛନ୍ତି ।
ରାଜ୍ୟରେ କରୋନା ସଙ୍କଟ ବଢ଼ୁଥିବା ସମୟରେ ଏମିତି ପୁଳା ପୁଳା ଅଭିଯୋଗ ଆସୁଛି ଘରୋଇ ହସପିଟାଲମାନଙ୍କ ବିରୋଧରେ । ତେବେ ଏହି ସବୁ ଅଭିଯୋଗ ଉପରେ ସ୍ବାସ୍ଥ୍ୟ ବିଭାଗ କେବେ ସଚେତନ ହେବ ଓ ବିଭାଗୀୟ ମନ୍ତ୍ରୀ ଓ ସଚିବ କେବେ ଦୃଷ୍ଟି ଦେବେ ତାହା ଉପରେ ସମସ୍ତଙ୍କର ପ୍ରତୀକ୍ଷାଭରା ନଜର ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।