News18 Odia Digital
ଭୁବନେଶ୍ୱର: କରୋନା ହଟ୍ ସ୍ପଟ୍ ଭାବେ ରେଡ୍ ଜୋନ୍ରେ ଅଛନ୍ତି ଓଡ଼ିଶାର ତିନିଟି ଜିଲ୍ଲା । ସେମାନେ ହେଲେ ଯାଜପୁର, ଭଦ୍ରକ ଓ ବାଲେଶ୍ବର । ଅରେଞ୍ଜ ଜୋନ୍ରେ ଅଛନ୍ତି ରାଜ୍ୟର ଛଅଟି ଜିଲ୍ଲା । ସେଗୁଡ଼ିକ ହେଲେ ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢେଙ୍କାନାଳ ଓ କଳାହାଣ୍ଡି ।
ବଡ଼ କଥା ହେଉଛି ଖୋର୍ଦ୍ଧା ଜିଲ୍ଲା ରେଡ ଜୋନରୁ ଅରେଞ୍ଜ ଜୋନକୁ ଖସିଛି । ରାଜ୍ୟର ବାକି ୨୧ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି । ଗତ କିଛି ଦିନ ଭିତରେ ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ କରୋନା ଭାଇରସ୍ ପଜିଟିଭଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଥିବାରୁ ଏହି ଜିଲ୍ଲାଗୁ଼ଡ଼ିକୁ ରେଡ ଜୋନରେ ରଖାଯାଇଛି । ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିବାରୁ ଖୋର୍ଦ୍ଧା ଜିଲ୍ଲା ରେଡରୁ ଅରେଞ୍ଜ ଜୋନକୁ ଖସିଛି ।
ଦେଶର ମୋଟ ୭୩୩ଟି ଜିଲ୍ଲାକୁ ରେଡ, ଅରେଞ୍ଜ ଏବଂ ଗ୍ରୀନ ଜୋନରେ ବିଭକ୍ତ କରାଯାଇଛି । ଦେଶର ୧୩୦ଟି ଜିଲ୍ଲା ରେଡ ଜୋନରେ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ୨୮୪ଟି ଜିଲ୍ଲା ଅରେଞ୍ଜ ଓ ୩୧୯ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି । ମେ ୩ ତାରିଖ ପରେ ଲାଗୁ ହେବାକୁ ଥିବା ନୂଆ ଲକଡାଉନ ନିୟମରେ ରେଡ ଜୋନରେ ଥିବା ଜିଲ୍ଲାରେ କଟକଣା ଅଧିକ ହେବା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାମାନଙ୍କରେ ଆହୁରି କିଛି ନିୟମ କଠୋର ହେବା ସମ୍ଭାବନା ରହିଛି ।
ଅରେଞ୍ଜ ଜୋନରେ କିଛି ନିୟମ କୋହଳ ହେବା ସହ ଗ୍ରୀନ ଜୋନରେ ଜନଜୀବନ ସାମାନ୍ୟ ହୋଇପାରେ । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସବୁ ରାଜ୍ୟ ସରକାରଙ୍କ ଚିଠି ଲେଖିଛନ୍ତି । ୨୧ ଦିନ ପର୍ଯ୍ୟନ୍ତ ଯେଉଁ ଜିଲ୍ଲାମାନଙ୍କରେ କରୋନା ପଜିଟିଭ ସଂକ୍ରମଣ ମାମଲା ସାମନାକୁ ଆସିବ ନାହିଁ, ସେହି ଜିଲ୍ଲାଗୁଡ଼ିକୁ ଗ୍ରୀନ ଜୋନରେ ସାମିଲ କରାଯିବ । ପ୍ରତି ସପ୍ତାହରେ ତାଲିକା ଅପଡେଟ କରାଯିବ । ରେଡ, ଅରେଞ୍ଜ ଜୋନରେ କଣ୍ଟେନମେଣ୍ଟ ଅଞ୍ଚଳ ଜରିଆରେ କରୋନା ସଂକ୍ରମଣ ରୋକିବା ଉପରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗୁରୁତ୍ବ ଦେଇଛି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।