କରୋନା ଭାଇରସ: ୩ ନୂଆ ମାମଲା ଆସିଲା; ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କହିଲେ ମୋଦି
କରୋନା ଭାଇରସ୍ ଉପରେ ଏ ପର୍ଯ୍ୟନ୍ତ ସବୁଠାରୁ ବଡ଼ ବୈଠକର ଅଧ୍ୟକ୍ଷତା କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସମସ୍ତ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶନାମା ଦେଇଛନ୍ତି । ସବୁ ବିଭାଗ ନିରନ୍ତର କାର୍ଯ୍ୟ କରିବା ଉଚିତ ଓ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଚିତ୍ ବୋଲି ସେ କହିଛନ୍ତି ।

ମାର୍ଚ୍ଚ ୭ରେ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।
- News18 Odia
- Last Updated: March 7, 2020, 11:06 PM IST
ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୩୪କୁ ବୃଦ୍ଧି ପାଇଛି । ଶନିବାର ଦିନ ଲଦାଖରେ ଦୁଇଟି ଓ ତାମିଲ ନାଡୁରେ ଗୋଟିଏ କରୋନା ଜୀବାଣୁ ସଂକ୍ରମିତ ବ୍ୟକ୍ତି ଚ଼ିହ୍ନଟ କରାଯାଇଛି। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରି କରୋନାଭାଇରସ ପରିସ୍ଥିତିର ଉପଯୁକ୍ତ ମୁକାବିଲା ପାଇଁ ଦେଶର ସମଗ୍ର ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ଭାଇରସର ପ୍ରସାରରୁ ଦେଶ ପ୍ରତି ଥିବା ବିପଦର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ବିଭିନ୍ନ ବିଭାଗଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ସେ କହିଛନ୍ତି । ଶନିବାର ଦିନ ଆୟୋଜିତ ଏହି ବୈଠକରେ ପ୍ରଧାନ ମନ୍ତ୍ରୀ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକ ଦ୍ୱାରା କରୋନା ଭାଇରସ ସମ୍ବନ୍ଧରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରି ଅଧିକାରୀମାନଙ୍କୁ ଆବଶ୍ୟକ ଦିଶା ନିର୍ଦ୍ଦେଶ ଦେଇଛନ୍ତି।
‘‘ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ କରୋନା ଭାଇରସ (COVID-19) ରୁ ରକ୍ଷା ପାଇବା ପାଇଁ ଯାହା କିଛି ପଦକ୍ଷେପ ନିଆଯାଉଛି, ସେହିଭଳି ସମାନ ପଦକ୍ଷେପ ଭାରତରେ ମଧ୍ୟ ଗ୍ରହଣ କରାଯାଉ। ଲୋକଙ୍କୁ ଯଥାସମ୍ଭବ ଜନସମାବେଶ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯିବା ଉଚିତ୍ । ଆହୁରି ମଧ୍ୟ ଲୋକେ କ’ଣ କରିବେ ଓ କ’ଣ କରିବେ ନାହିଁ ସେ ବିଷୟରେ ସେମାନଙ୍କୁ ସଚେତନ କରେଇବା ଉଚ଼ିତ,’’ ଅଧିକାରୀମାନଙ୍କୁ କହିଛନ୍ତି ମୋଦି ।

ହାଇଦ୍ରାବାଦର ଏକ ସରକାରୀ ସ୍କୁଲରେ ଗୁରୁବାର ମାସ୍କ ଲଗେଇଛନ୍ତି ଛାତ୍ରମାନେ । (ରଏଟର୍ସ୍)
ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବଦ୍ଧନ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍. ଜୟଶଙ୍କର ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଅଶ୍ୱିନୀ କୁମାର ଚ଼ୌବେ କରୋନା ଜୀବାଣୁ ଉପରେ ଏ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ଏହି ବୈଠକରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗଉବା, ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସହିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ପ୍ରେଜେଣ୍ଟେସନ୍ ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ସ୍ୱାସ୍ଥ୍ୟ, ଫାର୍ମା, ବେସାମରିକ ବିମାନ ଚଳାଚଳ, ବୈଦେଶିକ ବ୍ୟାପାର, ସ୍ୱାସ୍ଥ୍ୟ ଅନୁସନ୍ଧାନ, ଗୃହ, ପରିବହନ, ଏନ.ଡି.ଏମ.ଏ. ଓ ନୀତି ଆୟୋଗର ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଥିଲେ ।
ଏହି ବୈଠକ କରୋନା ଭାଇରସ୍ ଉପରେ ଏ ପର୍ଯ୍ୟନ୍ତ ସବୁଠାରୁ ବଡ଼ ବୈଠକ ଥିଲା । ଏଥିରେ ପ୍ରଧାନ ମନ୍ତ୍ରୀ ନିଜେ ସମସ୍ତ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶନାମା ଦେଇଥିଲେ ।
ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଅନ୍ୟ ସହାୟକ ମନ୍ତ୍ରଣାଳୟମାନଙ୍କ ଦ୍ୱାରା କରୋନା ଜୀବାଣୁ (COVID-19) ଉପରେ ସେମାନଙ୍କ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସୂଚନା ଦିଆ ଯାଇଥିଲା । କରୋନା ଜୀବାଣୁ ଉପରେ ପ୍ରସ୍ତୁତି ଓ ଏହାର ପ୍ରତିରୋଧ ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ମୋଦିଙ୍କୁ ଏକ ଉପସ୍ଥାପନା ମଧ୍ୟ ଦିଆଯାଇଥିଲା । ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତ ବିଭାଗର ସଚିବମାନେ ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ କରୋନା ଭାଇରସର ପ୍ରତିରୋଧ ଓ ପ୍ରତିକାର ପାଇଁ କରାଯାଉଥିବା କାର୍ଯ୍ୟ ବିଷୟରେ କହିଥିଲେ । ସଚିବମାନେ ମୋଦିଙ୍କୁ ଲାବୋରେଟୋରୀରେ ପ୍ରସ୍ତତି, ସହାୟତା ବ୍ୟବସ୍ଥା, ଡାକ୍ତରଖାନାରେ ପ୍ରସ୍ତୁତି, ଯୋଗାଯୋଗ ଓ କରୋନା ପାଇଁ ବ୍ୟବହୃତ ହେଉଥିବା ଔଷଧର ପର୍ଯ୍ୟାପ୍ତ ଷ୍ଟକ୍ ବିଷୟରେ ସୂଚନା ଦେଇଥିଲେ ।

କଟକର ଏସ.ସି.ବି. ମେଡିକାଲ୍ରେ ଗତ ମାସ କେନ୍ଦ୍ରୀୟ ଟିମ୍ର ସଦସ୍ୟମାନେ ବୁଲି ଦେଖୁଛନ୍ତି । (ଫାଇଲ୍ ଫଟୋ)
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନ ମନ୍ତ୍ରୀଙ୍କ ସମ୍ମୁଖରେ ଦିଆଯାଇଥିବା ଉପସ୍ଥାପନାରେ ଏ ପର୍ଯ୍ୟନ୍ତ ବିଭିନ୍ନ ସଂସ୍ଥାନରେ ଓ ରାଜ୍ୟମାନଙ୍କରେ ହୋଇଥିବା ପ୍ରସ୍ତୁତି ବିଷୟରେ କୁହାଯାଇଥିଲା । ଭବିଷ୍ୟତରେ କରୋନା ଭାଇରସ ପରି ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ କି ପ୍ରକାର ରୋଡ଼ମ୍ୟାପ୍ ପ୍ରସ୍ତୁତ କରାଯାଇଛି ତାହା ଉପରେ ମଧ୍ୟ ସମୀକ୍ଷା ହୋଇଥିଲା । ଏଥି ସହିତ ଫାର୍ମା ବିଭାଗର ସଚିବ ପ୍ରଧାନ ମନ୍ତ୍ରୀଙ୍କୁ ଦେଶରେ ଔଷଧର ଉପଲବ୍ଧତା ବିଷୟରେ ସୂଚନା ଦେଇଥିଲେ । ଏହି ବୈଠକରେ ବିମାନବନ୍ଦର, ସମୁଦ୍ର ବନ୍ଦର ଏବଂ ସୀମାନ୍ତରେ ତୀବ୍ର ନିରୀକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ପ୍ରଧାନ ମନ୍ତ୍ରୀଙ୍କୁ କହିଥିଲେ ଯେ ରାଜ୍ୟମାନଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରାଯାଉଛି ଓ ଉନ୍ନତ ସହଯୋଗର ଆବଶ୍ୟକତା ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ରାଜ୍ୟ ସରକାରମାନଙ୍କ ସହ ଆହୁରି ପ୍ରଭାବଶାଳୀ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ କରୋନା ଜୀବାଣୁ ସଂକ୍ରମିତ ଭାରତୀୟଙ୍କୁ ଇରାନରୁ ଫେରାଇ ଆଣିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ସମସ୍ତ ବିଭାଗ କରୋନା ଭାଇରସର ପ୍ରତିରୋଧ ଓ ପ୍ରତିକାର ପାଇଁ ନେଇଥିବା ପଦକ୍ଷେପକୁ ପ୍ରଧାନ ମନ୍ତ୍ରୀ ପ୍ରଶଂସା କରିବା ସହ କହିଥିଲେ ଯେ ଭାରତ ଏମିତି ପ୍ରତ୍ୟେକ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ‘‘ସବୁ ବିଭାଗ ନିରନ୍ତର କାର୍ଯ୍ୟ କରିବା ଉଚିତ ଓ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଚିତ୍,’’ କହିଥିଲେ ମୋଦି ।