News18 Odia Digital
ଭୁବନେଶ୍ବର: ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣରେ ଆଉ ତିନି ଜଣ ବ୍ୟକ୍ତିଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୬୪ରେ ପହଞ୍ଚିଛି । ମୃତକ ତିନି ଜଣ ଯାକ ଗଞ୍ଜାମ ଜିଲାର ବାସିନ୍ଦା ଥିଲେ । ରାଜ୍ୟରେ ଆଜି ୨୧ଟି ଜିଲ୍ଲାରୁ ୫୯୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୧ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହା ଗୋଟିଏ ଦିନରେ ସର୍ବାଧିକ ସ୍ଥାନୀୟ ସଂକ୍ରମିତ ମାମଲା ଓ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ତିନି ଜଣ ମୃତକ ପୁରୁଷ ଥିଲେ ଓ ସେମାନଙ୍କ ବୟସ ୫୬, ୫୦ ଓ ୬୫ ବର୍ଷ ଥିଲା । ୫୬ ଓ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି ଦ୍ୱୟ ମଧୁମେୟ ରୋଗରେ ପୀଡ଼ିତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭୁବନେଶ୍ବରର ଜଣେ ୫୭ ବର୍ଷୀୟ ପୁରୁଷ ଓ ଖୋର୍ଦ୍ଧାର ଜଣେ ୫୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ମୁଣ୍ଡ ଆଘାତ ଯୋଗୁଁ ହୋଇଥିବା ବେଳେ ୫୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ମସ୍ତିଷ୍କ ଯନ୍ତ୍ରଣା ଯୋଗୁଁ ଘଟିଥିବା ଜଣା ପଡ଼ିଛି । ଏହି ଦୁଇ ମୃତ୍ୟୁ କରୋନା କାରଣରୁ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ଆଜିର ନୂଆ ୫୯୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୯୪ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨୦୧ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୨୩୦ ଜଣ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୨୦, ସୁନ୍ଦରଗଡ଼ରୁ ୮, ଖୋର୍ଦ୍ଧାରୁ ୭୬, ଜଗତସିଂହପୁରରୁ ୫, ଯାଜପୁରରୁ ୯୭, କେନ୍ଦୁଝରରୁ ୩, କୋରାପୁଟରୁ ୪୪, ମୟୂରଭଞ୍ଜରୁ ୧୪, ପୁରୀରୁ ୧୦, କେନ୍ଦ୍ରାପଡାରୁ ୨, ନୟାଗଡରୁ ୫, ସମ୍ବଲପୁରରୁ ୨, ରାୟଗଡ଼ାରୁ ୨, ମାଲକାନାଗିରିରୁ ୩୬ ଏବଂ କଟକ, ଭଦ୍ରକ, ବାଲେଶ୍ବରରୁ ୧୧ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ଗତ ପାଞ୍ଚ ଦିନରେ ରାଜ୍ୟରେ ୨,୫୦୦ କରୋନା ସଂକ୍ରମିତ ଚିହ୍ନଟ ହେଲେଣି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ପାଞ୍ଚ ଦିନ ତଳେ ୧୦,୬୨୪ କରୋନା ପଜିଟିଭ୍ ଥିବା ବେଳେ ଆଜି ଏହି ସଂଖ୍ୟା ୧୩,୧୨୧ରେ ପହଞ୍ଚିଛି । ଯଦି ରାଜ୍ୟରେ କରୋନା ସଂକ୍ରମଣର ହାରକୁ ଦେଖାଯାଏ, ତେବେ ରାଜ୍ୟରେ ଗତ ୧୫ ଦିନ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ଦୁଇ ଗୁଣାରୁ ଅଧିକ ବୃଦ୍ଧି ପାଇଛି ।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢିଚାଲିଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । କିନ୍ତୁ ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ପ୍ରାୟ ୬୫ ପ୍ରତିଶତ ରହିଛି । ଏବେ ରାଜ୍ୟରେ ମୋଟ ୧୩,୧୨୧ କରୋନା ସଂକ୍ରମିତଙ୍କ ମଧ୍ୟରୁ ୮,୩୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪,୬୭୭ ଜଣ ଚିକିତ୍ସାଧୀନ ଅଛନ୍ତି ।
କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଅଧିକ ମାତ୍ରାରେ ବୃଦ୍ଧି ପାଉଥିବାରୁ ରାଜ୍ୟରେ ଗତକାଲି ଠାରୁ ଆରମ୍ଭ ହୋଇଛି ସିରୋ-ସର୍ଭେଇଲାନ୍ସ । ଏହା ଦ୍ବାରା ଜଣେ ବ୍ୟକ୍ତିଙ୍କ ଠାରେ କେତେ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଅଛି ତାହା ମପା ଯାଇପାରିବ ଓ ସେଥିରୁ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଅଛି କି ନାହିଁ ମଧ୍ୟ ଜଣାପଡ଼ିବ ।
ଏହା ବି ପଢ଼ନ୍ତୁ:
ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ କରୋନା ପଜିଟିଭ୍ ହେଲେ, ମୁମ୍ବାଇରେ ହସ୍ପିଟାଲରେ ଭର୍ତ୍ତି ହେଲେ
ରାଜ୍ୟ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ପ୍ରତି ଦିନ ପ୍ରାୟ ୧୫୦ରୁ ଅଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରି ସ୍ଥଳେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।