News18 Odia Digital
ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ ତିନି ଜଣ ଓ ଯାଜପୁର ଜିଲ୍ଲାରେ ଛଅ ଜଣ କରୋନା ଭାଇରସ୍ ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ଏହାକୁ ନେଇ ରାଜ୍ୟରେ କରୋନା ମୁକାବିଲାରେ ଲାଗିଥିବା ସରକାରୀ କଳର ଚିନ୍ତା ବଢ଼ିଛି ।
ଆଜି ସୁନ୍ଦରଗଡ଼ ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ ତିନି ଜଣ ନୂଆ ଆକ୍ରାନ୍ତ ରାଉରକେଲାର ବୋଲି ଜଣାପଡିଛି । ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏହି ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛଅରେ ପହଞ୍ଚିଛି । ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଆକ୍ରାନ୍ତଙ୍କ ବୟସ ଯଥା କ୍ରମେ ୨୩, ୬୦ ଓ ୫୭ ବର୍ଷ ।
ଏମାନଙ୍କ ମଧ୍ୟରୁ ଦୁଇ ଜଣ ଆକ୍ରାନ୍ତ ପୁରୁଣା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ୟ ଜଣେ ନୂଆ ଆକ୍ରାନ୍ତ ମଧ୍ୟ ପୁରୁଣା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଠାବ କରାଯାଉଛି ।
ଯାଜପୁର ଜିଲ୍ଲାରେ ଗତ କାଲି ରାତିରେ ଚିହ୍ନଟ ହୋଇଥିବା ସମସ୍ତ ଛଅ ଜଣ ସଂକ୍ରମିତଙ୍କର କୋଲକାତା ଲିଙ୍କ ରହିଛି । ଏ ନେଇ ଟ୍ବିଟ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ । ସଂକ୍ରମିତ ବ୍ୟକ୍ତିମାନଙ୍କ ବୟସ ୫୨, ୨୩, ୪୯, ୫୭, ୩୯ ଓ ୫୦ । ଏଥିରୁ ପାଞ୍ଚ ଜଣ ଆକ୍ରାନ୍ତ ଦଶରଥପୁର ବ୍ଲକ୍ କଟିକଟା ଗାଁର ଓ ଅନ୍ୟ ଜଣେ ମଲ୍ଲିକାପୁର ମହାନ୍ତି ପାଟଣା ଗାଁର ।
ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ଛଅ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି । ରାଜ୍ୟରେ ଖୋର୍ଦ୍ଧା ପରେ ସଂକ୍ରମିତଙ୍କ ତାଲିକାରେ ଯାଜପୁର ଦ୍ବିତୀୟ ସ୍ଥାନରେ ରହିଛି । ଭଦ୍ରକ ଓ ବାଲେଶ୍ୱର ସହିତ ଯାଜପୁର ଜିଲ୍ଲା ୬୦-ଘଣ୍ଟିଆ ସମ୍ପୂର୍ଣ୍ଣ ସଟଡାଉନ ଲାଗିଥିଲା ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।