ଗଞ୍ଜାମରେ ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ; ଗୋଟିଏ ଦିନରେ ରାଜ୍ୟରେ ନୂଆ ୫୨ ସଂକ୍ରମିତ

ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ୭୧ ହୋଇଛି । ଅଧିକାଂଶ ଆକ୍ରାନ୍ତ ସୁରତ ଓ କେରଳରୁ ଫେରିଛନ୍ତି । ସେମାନଙ୍କୁ ଶୀତଳାପଲ୍ଲୀରେ ଥିବା କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି । ରାଜ୍ୟରେ ଏବେ ମୋଟ କରୋନା ଆକ୍ରାନ୍ତ ୨୭୧ ହେଲେ ।

ଗଞ୍ଜାମରେ ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ; ଗୋଟିଏ ଦିନରେ ରାଜ୍ୟରେ ନୂଆ ୫୨ ସଂକ୍ରମିତ
ଗଞ୍ଜାମରେ ଏକ କ୍ୱାରେଣ୍ଟାଇନ୍ ସେଣ୍ଟର ବାହାରେ ସ୍ୱାସ୍ଥ୍ୟ କର୍ମୀମାନେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ଗଞ୍ଜାମ ଜିଲ୍ଲାରେ ଆହୁରି ୨୪ ଜଣ କରୋନା ଭାଇରସ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୫୨ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ରାଜ୍ୟରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି ପାଇଛି ।

ଗଞ୍ଜାମ ଜିଲ୍ଲାରେ ଏବେ ସର୍ବାଧିକ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ୫୫ ଜଣ ଓ ଖୋର୍ଦ୍ଧାରେ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏ ପର୍ଯ୍ୟନ୍ତ ବାଲେଶ୍ବର ଜିଲ୍ଲାରେ ୨୭ ଜଣ ଓ ଭଦ୍ରକ ଜିଲ୍ଲାରେ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କରୋନା ଗ୍ରାଫରେ ଲମ୍ବା ଡିଆଁ ମାରିଛି ଗଞ୍ଜାମ ଜିଲ୍ଲା । ଆଜି ଗୋଟିଏ ଦିନରେ ଏହି ଗୋଟିଏ ଜିଲ୍ଲାରୁ ବାହାରିଛନ୍ତି ୪୩ ଜଣ କରୋନା ପଜିଟିଭ୍ । ଫଳରେ ଜିଲ୍ଲାରେ ଏବେ ୭୧ ଜଣ କରୋନା ରୋଗୀ ହୋଇଛନ୍ତି । ଅଧିକାଂଶ ଆକ୍ରାନ୍ତଙ୍କର ସୂରତ ଲିଙ୍କ ରହିଛି । ପୂର୍ବରୁ ଅରେଞ୍ଜ ଜୋନରେ ଥିବା ଗଞ୍ଜାମ ଜିଲ୍ଲାକୁ ଦୁଇ ଦିନ ତଳେ ରେଡ୍ ଜୋନରେ ସାମିଲ କରାଯାଇଥିଲା । ତେବେ ସମସ୍ତ ପଜିଟିଭ୍ ପ୍ରବାସୀ ଓଡିଆ ହୋଇଥିବାରୁ ଭୟଭୀତ ହେବାର ନାହିଁ ବୋଲି କହିଛି ଜିଲ୍ଲା ପ୍ରଶାସନ ।

ସୁରତ ଫେରନ୍ତାଙ୍କ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା । ପଜିଟିଭଙ୍କ ତାଲିକାରେ କେରଳ ଲିଙ୍କ ବି ରହିଛି । ଏବେ ସବୁ ରୋଗୀଙ୍କୁ ଶୀତଳାପଲ୍ଲୀରେ ଥିବା କୋଭିଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି ସ୍ବତନ୍ତ୍ର ଡ଼ାକ୍ତରୀ ଟିମ୍‌ ।

ଗଞ୍ଜାମକୁ ଅନ୍ୟ ରାଜ୍ୟରୁ ଟ୍ରେନରେ ଫେରିଛନ୍ତି ହଜାର ହଜାର ପ୍ରବାସୀ ଓଡ଼ିଆ ।


‘‘ସବୁ ପଜିଟିଭ୍‌ ବ୍ୟକ୍ତି କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଗଞ୍ଜାମକୁ ଆସିଥିବା ପ୍ରବାସୀ ଓଡିଆଙ୍କୁ ଛାଡି ଅନ୍ୟ କାହାକୁ ସଂକ୍ରମଣ ହୋଇନାହିଁ । ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । କିନ୍ତୁ ପ୍ରବାସୀଙ୍କୁ ଛାଡ଼ିଦେଲେ ଅନ୍ୟ ଲୋକଙ୍କ ମଧ୍ୟ ସଂକଟ ଥିବାରୁ ବର୍ତ୍ତମାନ ଅଧିକ ସଚେତନ ରହିବା ସହ ନିଜକୁ ସୁରକ୍ଷିତ ରଖିବାର ସମୟ ଆସିଛି,’’ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ବରିଷ୍ଠ ଲୋକଙ୍କ ଯତ୍ନ ନେବା ସହିତ ଗର୍ଭବତୀ ଓ ପିଲାମାନଙ୍କୁ ଘରେ ହିଁ ସୁରକ୍ଷିତ ରଖିବାକୁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

ମାତ୍ର କିଛି ଦିନ ପୂର୍ବରୁ କରୋନା ମୁକାବିଲାରେ ରାଜ୍ୟରେ ଆଗୁଆ ଥିଲା ଗଞ୍ଜାମ ଜିଲ୍ଲା । କେହି ପଜିଟିଭ୍ ନ ଥିବା ବେଳେ ହିଁ ନିୟମ କଡ଼ାକଡ଼ି ହୋଇଥିଲା ଏହି ଜିଲ୍ଲାରେ । ହେଲେ ଏବେ ରେଡ ଜୋନରେ ଜିଲ୍ଲା । ତେଣୁ ଚା, ପାନ, ସେଲୁନ୍‌ ଓ ସ୍ପା ଭଳି ବିଭିନ୍ନ ଦୋକାନ ବନ୍ଦ ରହିଛି । ମୋଟର ସାଇକେଲରେ କେବଳ ଚାଳକ ଓ ଚାରି ଚକିଆରେ ଡ୍ରାଇଭରକୁ ମିଶାଇ ତିନି ଜଣ ହିଁ ଯାଇପାରୁଛନ୍ତି ।

ପଜିଟିଭ୍‌ ସଂଖ୍ୟା ବୃଦ୍ଧି ହେବା ପର ଠାରୁ ସବୁ ଲୋକେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧି ହିଁ ଘରୁ ବାହାରୁଛନ୍ତି । ନିୟମ କଡ଼ାକଡ଼ି ପାଳନ କରିବା ପାଇଁ ବିଭିନ୍ନ ଛକରେ ଯାଞ୍ଚ କରୁଛି ପୋଲିସ । ପ୍ରବାସୀ ଓଡିଆଙ୍କ ଠାରେ ହିଁ ପଜିଟିଭ୍‌ ବାହାରୁଥିବାରୁ ସେମାନଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ସୁରକ୍ଷିତ ରଖିବା ନେଇ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
First published: May 8, 2020, 7:14 PM IST
corona virus btn
corona virus btn
Loading