News18 Odia Digital
ଭୁବନେଶ୍ୱର / ନୂଆ ଦିଲ୍ଲୀ: ରାଜ୍ୟରେ ଆଉ ୨୧୮ ଜଣ ନୂଆ କରୋନା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୧୮୦ରେ ପହଞ୍ଚିଛି । ଏହି ନୂଆ ୨୧୮ ପଜିଟିଭଙ୍କ ମଧ୍ୟରୁ ୧୯୮ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ବାହାରିଥିବା ବେଳେ ଓ ୨୦ ଜଣ ସ୍ଥାନୀୟ ବାସିନ୍ଦା । ଆକ୍ରାନ୍ତଙ୍କ ମଧ୍ୟରେ ୭ ଜଣ ଏନଡିଆରଏଫ (NDRF) ଯବାନ ଅଛନ୍ତି । (Odisha Coronavirus Situation)
ଗଞ୍ଜାମରୁ ସର୍ବାଧିକ ୪୯ ଜଣ ସଂକ୍ରମିତ ବାହାରିଛନ୍ତି । ଜଗତସିଂହପୁରରୁ ୨୯, ଗଜପତିରୁ ୨୭, ଭଦ୍ରକରୁ ୨୫, ଖୋର୍ଦ୍ଧାରୁ ୧୭, ସୁନ୍ଦରଗଡ଼ରୁ ୧୧, ପୁରୀରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୯, ବାଲେଶ୍ବରରୁ ୭, କେନ୍ଦ୍ରାପଡ଼ାରୁ ୬, କଟକରୁ ୫, ଝାରସୁଗୁଡ଼ାରୁ ୪ ଜଣ, ନୂଆପଡ଼ା, କେନ୍ଦୁଝର, ସମ୍ବଲପୁରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର, ଅନୁଗୁଳ, କନ୍ଧମାଳ, ଯାଜପୁର, ବୌଦ୍ଧ ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏବେ ସୁଦ୍ଧା ରାଜ୍ୟରେ ମୋଟ ୪,୨୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୮୬୫ ରହିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଆଜି କଟକରେ ବିଭିନ୍ନ ନର୍ସିଂହୋମ ଓ କ୍ଲିନିକରେ ଚଢ଼ାଉ ହୋଇଛି । କରୋନା ଗାଇଡଲାଇନ୍ ପାଳନରେ ଖାମଖିଆଲିପଣ ଅଭିଯୋଗରେ କଟକ ମହାନଗର ନିଗମ (CMC) ପକ୍ଷରୁ ବିଭିନ୍ନ ନର୍ସିଂହୋମ ଓ କ୍ଲିନିକ୍ରେ ଚଢ଼ାଉ ହେଉଛି ।
ଦେଶରେ ପୁଣି ରେକର୍ଡ ଭାଙ୍ଗିଛି କରୋନା ଭାଇରସ୍ । ଗତ ୨୪ ଘଣ୍ଟା ଭିତରେ ବାହାରିଛନ୍ତି ଏ ଯାଏଁ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ । ଚିହ୍ନଟ ହୋଇଛନ୍ତି ୧୭,୨୯୬ ଜଣ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୪,୯୦,୪୦୧ରେ ପହଞ୍ଚିଛି ।
ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୦୭ ଜଣଙ୍କର ଜୀବନ ନେଇଛି ଏହି ମାରାତ୍ମକ ଭାଇରସ୍ । ଏମାନଙ୍କୁ ମିଶାଇ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୫,୩୦୧ରେ ପହଞ୍ଚିଛି । ଏବେ ୧,୮୯,୪୬୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨,୮୫,୬୩୬ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି ।
ମହାରାଷ୍ଟ୍ରରେ ଏ ଯାଏଁ କରୋନାରେ ସର୍ବାଧିକ ୬,୯୩୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୨,୪୨୯ ଜଣ, ଗୁଜରାଟରେ ୧,୭୫୩ ଜଣ ଓ ତାମିଲ ନାଡୁରେ ୯୧୧ ଜଣଙ୍କର ଜୀବନ ନେଲାଣି ଏହି କିଲର୍ ମହାମାରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।