ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ; ୨୯ BSF ଯବାନଙ୍କୁ ମିଶାଇ ୨୦୬ ନୂଆ ପଜିଟିଭ୍ ଚିହ୍ନଟ ହେଲେ
ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ଦୁଇ ଜଣ ମହିଳାଙ୍କ ବୟସ ୪୮ ବର୍ଷ ଓ ୩୯ ବର୍ଷ ଥିଲା । ଉଭୟ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମାଲକାନଗିରିରେ ଚିହ୍ନଟ ହେଇଥିବା ୩୬ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ୨୯ ଜଣ ବିଏସଏଫ ଯବାନ ଅଛନ୍ତି ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: June 30, 2020, 1:07 PM IST
ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଗଞ୍ଜାମ ଜିଲ୍ଲାରେ ଆଉ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ୧୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଲାଣି । ଏଥି ସହ ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ୨୫ ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ଦୁଇ ଜଣ ମହିଳାଙ୍କ ବୟସ ୪୮ ବର୍ଷ ଓ ୩୯ ବର୍ଷ ବୋଲି ଜଣା ପଡ଼ିଛି । ଉଭୟ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଉଭୟଙ୍କର କିଡନୀ ଜନିତ ରୋଗ ଥିଲା ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୨୦୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୯୨ ଜଣ ଅଛନ୍ତି । ବାକି ୧୪ ଜଣ ସ୍ଥାନୀୟ ବାସିନ୍ଦା । ମାଲକାନଗିରିରୁ ସର୍ବାଧିକ ୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୨୮ ଓ କୋରାପୁଟରୁ ୧୮ ଜଣ ପଜିଟିଭ ସାମ୍ନାକୁ ଆସିଛନ୍ତି । କଟକ ଓ ଜଗତସିଂହପୁରରୁ ୧୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେଶରେ ଆଜି ୫୩ ଜଣ ବିଏସଏଫ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି ।
ପଶ୍ଚିମ ବଙ୍ଗକୁ ଅମ୍ପନ ବାତ୍ୟା ଡ୍ୟୁଟିରେ ଯାଇଥିବା ଜଣେ NDRF ଯବାନ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହି ନୂଆ ୨୦୬ ଜଣ ଆକ୍ରାନ୍ତଙ୍କ ସହ ରାଜ୍ୟରେ ମୋଟ୍ ପଜିଟିଭ ସଂଖ୍ୟା ୭,୦୬୫କୁ ବୃଦ୍ଧି ପାଇଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ୪,୯୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ଏବେ ୨,୦୮୭ ଜଣ ଚିକିତ୍ସିତ ହେଉଛନ୍ତି ।
ମାଲକାନଗିରିରେ ୨୯ ଜଣ ବିଏସଏଫ ଯବାନ ଆକ୍ରାନ୍ତ
ମାଲକାନଗିରି ଜିଲ୍ଲାରେ ଆଜି ଚିହ୍ନଟ ହେଇଥିବା ୩୬ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ୨୯ ଜଣ ବିଏସଏଫ ଯବାନ ଅଛନ୍ତି (29 BSF jawans in Malkangiri test Corona positive)। ସମସ୍ତ ୨୯ ଜଣ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଫେରିଥିଲେ ବୋଲି ମାଲକାନଗିରି ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଏମାନେ ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତ୍ରିପୁରା, କର୍ଣ୍ଣାଟକ, ବିହାର, ଉତ୍ତର ପ୍ରଦେଶ ଓ ପଶ୍ଚିମ ବଙ୍ଗରୁ ଡ୍ୟୁଟି ସାରି ଫେରିଥିଲେ ବୋଲି ଜିଲ୍ଲାପାଳ କହିଛନ୍ତି ।
ଦେଶରେ ଆଜି ୫୩ ଜଣ ବିଏସଏଫ ଯବାନ (BSF jawan) କରୋନାରେ ସଂକ୍ରମିତ ହୋଇଥିବା ବିଏସଏଫ (BSF) ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ୧,୦୧୮ ଜଣ ବିଏସଏଫ ଯବାନ ମହାମାରୀରେ ସଂକ୍ରମିତ ହୋଇ ସାରିଲେଣି । ଏମାନଙ୍କ ମଧ୍ୟରୁ ୩୪୫ ଜଣ ଯବାନ ଚିକିତ୍ସାଧୀନ ଥିବା ବେଳେ ୬୫୯ ଜଣ ସୁସ୍ଥ ହୋଇସାରିଲେଣି ।