News18 Odia Digital
ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚାଳନା ଓ ଘରୋଇ ହସପିଟାଲମାନଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ନେଇ ରାଜନୈତିକ ବୟାନବାଜି ଜାରି ଥିବା ବେଳେ ଘରୋଇ ହସପିଟାଲମାନଙ୍କ ଅସମ୍ବେଦନଶୀଳତା ଓ ମନମୁଖୀ କାରବାର ଯୋଗୁଁ ଯାତନା ଭୋଗିଥିବା ଦୁଇ ଜଣ ବ୍ୟକ୍ତିଙ୍କ କରୁଣ ବିବରଣୀ ସାମନାକୁ ଆସିଛି ।
ଖୋର୍ଦ୍ଧା ଭାଲିଆଭାଡ଼ିର ବିକ୍ରମ ବରାଳ ନିଜ ବାପାଙ୍କୁ ମନେ ପକାଇ କାନ୍ଦୁଛନ୍ତି । ତାଙ୍କ ବାପା ଏବେ ଆରପାରିରେ । ମନ ବୁଝାଇବା ପାଇଁ ତାଙ୍କ ଫଟୋ ଓ ମେଡିକାଲ ରିପୋର୍ଟକୁ ଦେଖାଉଛନ୍ତି ସେ । କରୋନା ନୁହେଁ, ସିଭିୟର ନିମୋନିଆ ଓ ଘରୋଇ ହସପିଟାଲର ଅବହେଳା ଓ ଅଣଦେଖା ତାଙ୍କ ବାପା ଦିଲୀପ ବରାଳଙ୍କ ଜୀବନ ନେଇଗଲା ବୋଲି ସେ କହିଛନ୍ତି ।
ଦିଲୀପଙ୍କ ବୟସ ୬୨ ବର୍ଷ ଥିଲା । ଗତ ୨୦ ତାରିଖରେ ଅସୁସ୍ଥ ଅନୁଭବ କରିବାରୁ ଖୋର୍ଦ୍ଧା ପାଥୋଲୋଜିରେ ୨୧ ତାରିଖରେ ପରୀକ୍ଷା କରାଇବା ପରେ ରିପୋର୍ଟ ଆସିଲା ଟାଇଫଏଡ଼ । ଅଧିକ ଦେହ ଖରାପ ହେବାରୁ ତାଙ୍କୁ ୨୨ ତାରିଖରେ ସମ୍ ହସ୍ପିଟାଲ ଓ ସମ୍ ଅଲ୍ଟିମେଟକୁ ନେଇଥିଲେ ବିକ୍ରମ । ସେଠାରେ ବେଡ଼ ନାହିଁ ବୋଲି କହି ତାଙ୍କୁ ଫେରାଇ ଦିଆଗଲା । ତେଣୁ ବିକ୍ରମ ବାପାଙ୍କୁ ନେଇଗଲେ କେୟାର ଇମର୍ଜେନ୍ସିକୁ । ରିପୋର୍ଟ ଆସିଲା ନିମୋନିଆ ।

ଦିଲୀପ ବରାଳଙ୍କ ପୁଅ ବିକ୍ରମ ବରାଳ
‘‘କେୟାର ବି କହିଲା ବେଡ଼ ନାହିଁ, ଏଠୁ ନେଇଯାଅ । ତେଣୁ ସେଠାରୁ ଆପୋଲୋ ହସପିଟାଲ୍ ଓ କ୍ୟାପିଟାଲ ହସପିଟାଲକୁ ବାପାଙ୍କୁ ନେଲି । ସବୁଠି ନିରାଶ ହେବା ପରେ କଟକର ୟୁରୋ ନେଫ୍ରୋକୁ ନେଲି । ଗୋଟିଏ ରାତି ଆଇସିୟୁରେ ରହିବା ପରେ ସେମାନେ ଟେଷ୍ଟ ନ କରି କହିଲେ କୋଭିଡ ହସ୍ପିଟାଲକୁ ନେଇଯାଅ । ତେଣୁ ବାପାଙ୍କୁ ନେଇ ବିବେକାନନ୍ଦ ଆଇସିୟୁରେ ଆଡମିଟି କଲି । ମାତ୍ର ଆଡମିଟ୍ କରିବାର ଅଳ୍ପ କିଛି ସମୟ ଭିତରେ ଚାଲିଗଲେ ବାପା । ବାପାଙ୍କୁ ନେଇ ବାର ଦୁଆର ଶୁଣ୍ଢିପିଣ୍ଡା ହେବା ପରେ ତାଙ୍କୁ ଶେଷରେ ହରାଇ ବସିଲି ମୁଁ,’’ କହିଛନ୍ତି ବିକ୍ରମ ।
ସେମିତି ମୁକ୍ତି ପ୍ରସାଦ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଏକ ଭିନ୍ନ ପ୍ରକାର ସମସ୍ୟାର ସାମନା କରି ବ୍ଯଥିତ ହୋଇଛନ୍ତି । ନିଜର ଜଣେ ସମ୍ପର୍କୀୟ କରୋନା ଆକ୍ରାନ୍ତ ହେବା ପରେ ସେ ଜୁଲାଇ ୧୯ରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ନିଜର ଟେଷ୍ଟ କରାଇଥିଲେ । ୨୪ ତାରିଖରେ ଫୋନ୍ ଆସିଲା ଯେ ସେ କରୋନା ପଜିଟିଭ ଅଛନ୍ତି । ଏ କଥା ଶୁଣି ମୁକ୍ତି ପ୍ରସାଦ ଏତେ ଚିନ୍ତିତ ହୋଇପଡ଼ିଲେ ଯେ ସେ ସିଧା ଆସି ଏକ ନମ୍ବର ମାର୍କେଟରେ ଥିବା ନିଜ ପରିବା ପିଣ୍ଡି ଉପରେ ବସିରହିଲେ ୨୪ ତାରିଖ ସନ୍ଧ୍ୟା ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ । ଶତ ଅନୁରୋଧ ସତ୍ତ୍ୱେ କେହି ଆସିଲେନି ତାଙ୍କୁ କୌଣସି କୋଭିଡ ହସ୍ପିଟାଲକୁ ନେଇ ଆଡମିଟ୍ କରାଇବା ପାଇଁ ।

ମୁକ୍ତି ପ୍ରସାଦ ‘‘ବିନା କାରଣରେ’’ ହାଇଟେକ ହସପିଟାଲରେ ସାତ ଦିନ ରହିଲେ ।
‘‘ସକାଳ ୧୦ଟାରେ ଶହୀଦ ନଗର ଜେନିକ୍ସରେ ପୁଣି ନିଜର ସ୍ବାବ ଟେଷ୍ଟ କରାଇଲି । ସେଠାରୁ ବିଏମସି ପକ୍ଷରୁ ପ୍ରସ୍ତୁତ ଏକ ଗାଡ଼ିରେ ଗଲି ହାଇଟେକ୍ କୋଭିଡ ହସ୍ପିଟାଲକୁ । ହେଲେ ଦୁଇ ଦିନ ପରେ ଜେନିକ୍ସ ରିପୋର୍ଟ ଦେଲା ଯେ ମୁଁ ନେଗେଟିଭ୍ । ବିନା କାରଣରେ ହାଇଟେକରେ ଖାଇବା ପିଇବାରେ ଭୀଷଣ ଅସୁବିଧା ମଧ୍ୟରେ ସାତ ଦିନ ରହି ଓ ମାନସିକ ଚାପ ସହିଲି । ସାତ ଦିନ ପରେ ହାଇଟେକ୍ ଛାଡ଼ିଦେଲା ମୋତେ । ସେଠାକାର ଅବ୍ୟବସ୍ଥା କହିଲେ ନ ସରେ,’’ କହିଛନ୍ତି ମୁକ୍ତି ପ୍ରସାଦ ।
ଏହା ବି ପଢ଼ନ୍ତୁ | ବରିଷ୍ଠ IPS ଅଫିସର ନିଜ ସ୍ତ୍ରୀଙ୍କୁ ଖୁବ୍ ପିଟିଲେ; Video ଭାଇରାଲ୍ ହେଲା; ପଦରୁ ହଟାଗଲେଏହା ବି ପଢ଼ନ୍ତୁ | AC ରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କୁ ବଡ଼ ଝଟକା! ଖୁବ୍ ଶୀଘ୍ର ରେଲୱେ ଆଦାୟ କରିବ ଏହି ସ୍ୱତନ୍ତ୍ର ଚାର୍ଜସେ କହିଛନ୍ତି ଯେ ତାଙ୍କ ପାଇଁ ସବୁ ଠୁ ଯନ୍ତ୍ରଣାଦାୟକ ଥିଲା ହାଇଟେକ ହସପିଟାଲର କର୍ମଚାରୀମାନଙ୍କ ବ୍ୟବହାର । ‘‘କୋଭିଡ ହସ୍ପିଟାଲର ମ୍ୟାନେଜମେଣ୍ଟକୁ ନେଇ ବିଏମସି ଓ ସରକାର ଯେଉଁ ତଥ୍ୟ ଓ ସଫେଇ ରଖୁଛନ୍ତି ତା’ର ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳୁଛି ଘରୋଇ ହସପିଟାଲଗୁଡ଼ିକରେ । କୋଭିଡ ପରିଚାଳନାକୁ ନେଇ ଅନେକ ରୋଗୀ ଓ ତାଙ୍କ ସମ୍ପର୍କୀୟ ଖୁବ୍ ଅସନ୍ତୁଷ୍ଟ ହୋଇଥିବା ମୁଁ ଦେଖିଛି,’’ କହିଛନ୍ତି ମୁକ୍ତି ପ୍ରସାଦ ।
ଏହା ମଧ୍ୟରେ ଆଉ ଗୋଟିଏ ଅଭିଯୋଗ ବାରମ୍ବାର ଆସିଚାଲିଛି । ଅଣ-କୋଭିଡ ରୋଗୀଙ୍କୁ ଏବେ ହସପିଟାଲରେ ମିଳୁନି ବେଡ । ସେମାନଙ୍କ ଠାରୁ ବେଡ୍ ପାଇଁ ଘରୋଇ ହସପିଟାଲ ମୋଟା ଅଙ୍କର ଟଙ୍କା ମାଗୁଥିବାର ଅଭିଯୋଗ ବି ଶୁଣିବାକୁ ମିଳୁଛି । ଏମିତି ସ୍ଥିତିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବ କୋଭିଡ ପରିଚାଳନାର ଏହି ଦିଗଗୁଡ଼ିକ ଉପରେ ଦୃଷ୍ଟି ଦେବାକୁ ବିରୋଧୀ ଦଳର ନେତାମାନେ ଓ ସମାଜସେବୀମାନେ ଦାବି କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।