ମହାରାଷ୍ଟ୍ରରେ ପ୍ରବାସୀ ଶ୍ରମିକଙ୍କ ଉପରେ ମାଲ୍ ଗାଡ଼ି ଚଢ଼ିଗଲା; ୧୬ ଜଣଙ୍କ ମୃତ୍ୟୁ ହେଲା

ଲୁହା କାରଖାନାରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ରେଳ ଟ୍ରାକରେ ଚାଲି ଚାଲି ଯାଉଥିଲେ ଓ ଥକି ପଡ଼ି ସେହି ଟ୍ରାକ୍ ଉପରେ ଶୋଇପଡ଼ିଥିଲେ । ସେମାନେ ମଧ୍ୟ ପ୍ରଦେଶରେ ଥିବା ନିଜ ଘରକୁ ଫେରୁଥିଲେ ।

ମହାରାଷ୍ଟ୍ରରେ ପ୍ରବାସୀ ଶ୍ରମିକଙ୍କ ଉପରେ ମାଲ୍ ଗାଡ଼ି ଚଢ଼ିଗଲା; ୧୬ ଜଣଙ୍କ ମୃତ୍ୟୁ ହେଲା
ଏହି ଦୁର୍ଘଟଣା ପାରବାନୀ-ମନମାଡ ସେକ୍ସନର ବଦନାପୁର ଓ କରମାଡ ଷ୍ଟେସନ ମଧ୍ୟରେ ଘଟିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଆଜି ସକାଳେ ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଟ୍ରେନ୍‌ ମାଡ଼ିଯିବା ଯୋଗୁଁ ୧୬ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେମାନେ ମଧ୍ୟ ପ୍ରଦେଶର ଗ୍ରାମାଞ୍ଚଳରେ ଥିବା ନିଜ ଘରକୁ ଫେରିବା ବେଳେ ଏହି ଦୁର୍ଘଟଣା ହୋଇଥିଲା ।

ଜଣେ ଅଧିକାରୀ କହିଛନ୍ତି ଯେ ଏହି ପ୍ରବାସୀ ଶ୍ରମିକମାନେ ରେଳ ଟ୍ରାକରେ ଚାଲି ଚାଲି ଯାଉଥିଲେ ଓ ଥକି ପଡ଼ି ସେହି ଟ୍ରାକ୍‌ ଉପରେ ଶୋଇପଡ଼ିଥିଲେ । ସକାଳ ୫:୧୫ରେ ଜଲନା ଓ ଅରଙ୍ଗାବାଦ ମଧ୍ୟରେ ଚାଲୁଥିବା ଏକ ମାଲ୍‌ ଗାଡ଼ି ସେମାନଙ୍କ ଉପରେ ଚଢ଼ିଯାଇଥିଲା । ଏହି ଦୁର୍ଘଟଣାରେ ଅତି କମରେ ଜଣେ ବ୍ୟକ୍ତି ଆହତ ହୋଇ ସିଭିଲ ଡାକ୍ତରଖାନାକୁ ନିଆଯାଇଛନ୍ତି ।

ଏହି ଶ୍ରମିକମାନେ ସମସ୍ତେ ଜଲନାରେ ଥିବା ଏକ ଲୁହା କାରଖାନାରେ କାମ କରୁଥିଲେ ଓ କରୋନା ଭାଇରସ୍ ଲକଡାଉନ୍ ମଧ୍ୟରେ ମଧ୍ୟ ପ୍ରଦେଶରେ ଥିବା ନିଜ ଘରକୁ ଫେରୁଥିଲେ ବୋଲି ଅଧିକାରୀମାନେ କହିଛନ୍ତି ।

ଔରଙ୍ଗାବାଦ ଏସପି ମୋକ୍ଷଦା ପାଟିଲ ନ୍ୟୁଜ ୧୮କୁ କହିଛନ୍ତି ଯେ ଏହି ଶ୍ରମିକମାନେ ଘରକୁ ଫେରିବା ପାଇଁ ଜାଲନା ଠାରୁ ଭୁଭାସାଲ ପର୍ଯ୍ୟନ୍ତ ପ୍ରାୟ ୧୭୦ କିଲୋମିଟର ବାଟ ଚାଲି ଚାଲି ଯାଉଥିଲେ । ପ୍ରାୟ ୪୫ କିଲୋମିଟର ବାଟ ଚାଲିବା ପରେ ସେମାନେ ବିଶ୍ରାମ ନେବା ପାଇଁ ରେଳ ଟ୍ରାକ ନିକଟରେ ଅଟକି ଯାଇଥିଲେ ।

ରେଳବାଇ କହିଛି ଯେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ‘‘ଆଜି ସକାଳେ କିଛି ଶ୍ରମିକଙ୍କୁ ଟ୍ରାକ ଉପରେ ଦେଖିବା ପରେ ମାଲ୍‌ ଗାଡ଼ିର ଲୋକୋ ପାଇଲଟ୍ ଟ୍ରେନ୍ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଶେଷରେ ସେମାନଙ୍କୁ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣା ପାରବାନୀ-ମନମାଡ ସେକ୍ସନର ବଦନାପୁର ଓ କରମାଡ ଷ୍ଟେସନ ମଧ୍ୟରେ ଘଟିଛି,’’ ରେଳ ମନ୍ତ୍ରାଳୟ କହିଛି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି ଯେ ଔରଙ୍ଗାବାଦରେ ରେଳ ଦୁର୍ଘଟଣା ଯୋଗୁଁ ସେ ମର୍ମାହତ ହୋଇଛନ୍ତି । “ରେଳ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ସହ ମୁଁ କଥା ହୋଇଛି । ସେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି,’’ ପ୍ରଧାନ ମନ୍ତ୍ରୀ ଲେଖିଛନ୍ତି ।

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ‘‘ମହାରାଷ୍ଟ୍ରର ଔରଙ୍ଗାବାଦରେ ଟ୍ରେନ୍ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଇବା ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ହୃଦୟରୁ ସମବେଦନା ଜଣାଉଛି ।’’
First published: May 8, 2020, 10:12 AM IST
corona virus btn
corona virus btn
Loading