ରାଜ୍ୟରେ କରୋନା ନେଲା ପୁଣି ୧୫ ଜୀବନ, ହେଲେ ସଂକ୍ରମଣ କମୁଥିବାର ସଙ୍କେତ ବଢ଼ୁଛି

ବର୍ତ୍ତମାନ ରାଜ୍ୟରେ ପଜିଟିଭ ହାର ୫ ପ୍ରତିଶତରୁ କମ ରହିଛି, ଯାହା ଅନ୍ୟ ରାଜ୍ୟ ତୁଳନାରେ କମ୍‌ ।ରାଜ୍ୟରେ ଟେଷ୍ଟିଂ ସଂଖ୍ୟା କମି ନ ଥିବା ସତ୍ତ୍ୱେ ସେପ୍ଟେମ୍ବର ୨୫ ତାରିଖରୁ ସଂକ୍ରମଣ ହାର କମିବାର ସଙ୍କେତ ମିଳିଚାଲିଛି ।

ରାଜ୍ୟରେ କରୋନା ନେଲା ପୁଣି ୧୫ ଜୀବନ, ହେଲେ ସଂକ୍ରମଣ କମୁଥିବାର ସଙ୍କେତ ବଢ଼ୁଛି
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 16, 2020, 2:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଆଉ ୨୧୩୮ ପଜିଟିଭି ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟାରେ ଆଖି ବୁଜିଛନ୍ତି ଆଉ ୧୫ ଜଣ ଆକ୍ରାନ୍ତ । ଏହା ସହ ରାଜ୍ୟରେ ମୃତ୍ୟୁସଂଖ୍ୟା ୧,୧୦୪କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ କରୋନା ସଂକ୍ରମଣ କମୁଥିବାର ସଙ୍କେତ ଦୃଢ଼ୀଭୂତ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୫୬, ଅନଗୁଳରୁ ୧୫୧, ମୟୂରଭଞ୍ଜରୁ ୧୧୯, ସୁନ୍ଦରଗଡ଼ରୁ ୧୩୭ ସଂକ୍ରମିତ ବାହାରିଛନ୍ତି । ଏହା ସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୪ ହଜାର ୧୪୯କୁ ବୃଦ୍ଧି ପାଇଛି । ଏଥିରୁ ଏବେ ମାତ୍ର ୨୪,୪୫୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ବରଣ କରିଥିବା ୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା, ସମ୍ବଲପୁର ଓ ନବରଙ୍ଗପୁରରୁ ଦୁଇ ଜଣ ଲେଖାଏ ଅଛନ୍ତି ।

ସେପ୍ଟେମ୍ବର ୨୫ ତାରିଖରୁ ସଂକ୍ରମଣ ହାର କମିବାର ସଙ୍କେତ ମିଳିଚାଲିଛି । ରାଜ୍ୟରେ ଟେଷ୍ଟିଂ ସଂଖ୍ୟା କମି ନ ଥିବା ସତ୍ତ୍ୱେ ଏଣିକି ଦୈନିକ ସଂକ୍ରମଣ ହାର ୨,୫୦୦ ପାଖାପାଖି ରହୁଛି । ଯଦିଓ ବର୍ଷା ଯୋଗୁଁ ସାମ୍ପଲ ସଂଗ୍ରହ କିଛିଟା ହ୍ରାସ ପାଇଥିଲା, ଏବେ ଦୈନିକ ୫୦,୦୦୦ ପର୍ଯ୍ୟନ୍ତ ସାମ୍ପଲ ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ବର୍ତ୍ତମାନ ରାଜ୍ୟରେ ପଜିଟିଭ  ହାର ୫ ପ୍ରତିଶତରୁ କମ ରହିଛି, ଯାହା ଅନ୍ୟ ରାଜ୍ୟ ତୁଳନାରେ କମ୍‌ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି । ହେଲେ ଶୀତ ଦିନ ଆସୁଥିବାରୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ତେଣୁ କରୋନାକୁ ନେଇ ଅଧିକ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟର ଅନ୍ୟ ସ୍ଥାନ ସମେତ ଭୁବନେଶ୍ବରରେ ବି କରୋନା ସଂକ୍ରମଣ ହାର କମିଚାଲିଛି । ଆଗକୁ ଆହୁରି କମିବ ବୋଲି ଆଶା କରାଯାଉଛି । ତେବେ କରୋନା ସମ୍ପୂର୍ଣ୍ଣ କମିବାର ସମ୍ଭାବନା ନାହିଁ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି । କରୋନାର ଦ୍ୱିତୀୟ ଲହର ଆସିବା ଭାଇରସର ଇନଫେକ୍ଟିଭିଟି ଉପରେ ନିର୍ଭର କରୁଥିବା ସୂଚନା ଦେଇଛନ୍ତି ପରିଡା ।

ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୨୦୨୧ ସୁଦ୍ଧା ରାଜ୍ୟର ସବୁ ଗ୍ରାମ ପଞ୍ଚାୟତରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ହେବ

ଆଜି ଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ । RMRC ସହାୟତାରେ BMC ପକ୍ଷରୁ ଭୁବନେଶ୍ବରର ମୋଟ ୬୭ଟି ୱାର୍ଡ ମଧ୍ୟରୁ ୨୫ଟି ୱାର୍ଡରେ ଚାଲିଛି ଏହି ସର୍ଭେଲାନ୍ସ । ଆସନ୍ତା ତିନି ଦିନ ଅର୍ଥାତ୍‌ ୧୮ ତାରିଖ ପର୍ଯ୍ୟନ୍ତ ଏହି ସେରୋ ସର୍ଭେଲାନ୍ସ ଚାଲିବ । ଏହି ସର୍ଭେରେ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ । ପ୍ରତି ୱାର୍ଡରୁ ୬୦ଟି ସାମ୍ପୁଲ ନିଆଯିବ ।

RMRCର ବରିଷ୍ଠ ଅଧିକାରୀ ଡଃ ଜୟସିଂ ଖେତ୍ରୀଙ୍କ ସୂଚନା ଅନୁସାରେ, ଭୁବନେଶ୍ବରର ବାସିନ୍ଦାଙ୍କ ଦେହରେ କେତେ ପ୍ରତିଶତ ଆଣ୍ଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି ତାହା ଜାଣିବା ପାଇଁ ଏହି ସେରୋ ସର୍ଭିଲାନ୍ସକୁ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ପ୍ରଥମ ସେରୋ ସର୍ଭିଲାନ୍ସରେ ମାତ୍ର ୧ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟି ବଡି ତିଆରି ହୋଇଥିବା ବେଳେ ଦ୍ଵିତୀୟ ସେରୋ ସର୍ଭିଲାନ୍ସରେ ୫ ପ୍ରତିଶତରୁ ସାମାନ୍ୟ ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହୋଇଥିଲା ।

ଏହା ବି ପଢ଼ନ୍ତୁ | ଯଦି କେହି ଆପଣଙ୍କୁ WhatsApp ରେ ବ୍ଲକ କରିଛନ୍ତି; ତେବେ ଏହି ଉପାୟରେ ଜାଣି ପାରିବେ

ଦେଶରେ ଦିନକରେ ଆଉ ୬୩ ହଜାର ୩୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଗତ ୨୪ ଘଣ୍ଟାରେ ଆଖି ବୁଜିଛନ୍ତି ଆଉ ୮୯୫ ଆକ୍ରାନ୍ତ । ଏହା ସହ ସଂକ୍ରମିତଙ୍କ ସଂଖ୍ୟା ୭୩ ଲକ୍ଷ ୭୦ ହଜାର ଡେଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୨ ହଜାର ୧୬୧କୁ ବୃଦ୍ଧି ପାଇଛି । ମୋଟ ପଜଟିଭରୁ ସାଢ଼େ ୮୭ ପ୍ରତିଶତ ଆରୋଗ୍ୟ ଲାଭ କରି ସାରିଛନ୍ତି । ଏବେ ୮ ଲକ୍ଷ ୪ ହଜାର ୫୨୮ ଚିକିତ୍ସାଧୀନ ରହିଛନ୍ତି ।



ହେଲେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳକୁ ନେଇ ଥମୁନି ଚିନ୍ତା । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ପୁଣି ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରୁ ୮ ହଜାର ୪୭୭ ଓ କେରଳରୁ ୭ ହଜାର ୭୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Published by: Anand Shankar Thankur Das
First published: October 16, 2020, 2:33 PM IST
corona virus btn
corona virus btn
Loading