କଂଗ୍ରେସ ସମେତ ୧୩ଟି ବିରୋଧୀ ଦଳ କରୋନାକୁ ନେଇ ପ୍ରତିବାଦ କଲେ, ନିୟମ ଭାଙ୍ଗି ଫାଇନ ଦେଲେ

କରୋନା ମୁକାବିଲାରେ ‘‘ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ’’ ବୋଲି କହି ଏକାଠି ହୋଇଥିଲେ ଏହି ୧୩ଟି ଦଳର ନେତା ଓ କର୍ମୀମାନେ । ଏକାଠି ହେବା ସମୟରେ ସାମାଜିକ ଦୂରତା ନିୟମ ଉଲ୍ଲଙ୍ଘନ କରିଥିବାରୁ ପୋଲିସ ସେମାନଙ୍କ ଠାରୁ ଫାଇନ୍ ଆଦାୟ କରିଥିଲା ।

କଂଗ୍ରେସ ସମେତ ୧୩ଟି ବିରୋଧୀ ଦଳ କରୋନାକୁ ନେଇ ପ୍ରତିବାଦ କଲେ, ନିୟମ ଭାଙ୍ଗି ଫାଇନ ଦେଲେ
ବିରୋଧୀ ଦଳମାନଙ୍କ ମିଳିତ ପ୍ରତିବାଦ ସମାଗମ ଓ (ବାମ) ଫାଇନ ଦେବା ପରେ ରସିଦ ଦେଖାଉଥିବା ନିରଞ୍ଜନ
  • News18 Odia
  • Last Updated: June 26, 2020, 10:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସ ସମେତ ୧୩ଟି ବିରୋଧୀ ରାଜନୈତିକ ଦଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ବେଳେ ସାମାଜିକ ଦୂରତା ନିୟମ ଉଲ୍ଲଙ୍ଘନ କରିଥିବା କାରଣରୁ ଜୋରିମାନା ଦେଲେ । ଏହି ଆନ୍ଦୋଳନରେ ବିଜେପି ସାମିଲ ନ ଥିଲା ।

କେନ୍ଦ୍ର ଓ ରାଜ୍ୟ ସରକରାଙ୍କ ‘‘ଗରିବ ମାରଣ ନୀତି’’ ବିରୋଧରେ ପ୍ରତିବାଦ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି ଏହି ଦଳମାନେ । ଭୁବେନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସ ସମେତ ୧୩ଟି ରାଜନୈତିକ ଦଳ ପ୍ରତିବାଦ କାର୍ଯ୍ୟକ୍ରମ କରିଥିଲେ । କରୋନା ମୁକାବିଲାରେ ‘‘ରାଜ୍ୟ ଓ କେନ୍ଦ୍ର ସରକାରର ବିଫଳତା’’ ସମ୍ବନ୍ଧରେ ଲେଖାଥିବା ବ୍ୟାନର ଧରି ଏକାଠି ହୋଇଥିଲେ ଏହି ଦଳର ନେତା ଓ କର୍ମୀମାନେ । ତେବେ ଏହି ରାଜ୍ୟସ୍ତରୀୟ ମିଳିତ ପ୍ରତିବାଦରେ ଏକାଠି ହେବା ସମୟରେ ସେମାନେ ସାମାଜିକ ଦୂରତା ନିୟମ ଉଲ୍ଲଙ୍ଘନ କରିଥିବାରୁ ପୋଲିସ ଜୋରିମାନା ଆଦାୟ କରିଥିଲା ସେମାନଙ୍କ ଠାରୁ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, , ଆମ୍ ଆଦମୀ ପାର୍ଟିର ନିଶିକାନ୍ତ ମହାପାତ୍ର, ସିପିଆଇଏମ୍ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଓ ସିପିଆଇ ରାଜ୍ୟ ସମ୍ପାଦକ ଆଶିଶ କାନୁନଗୋଙ୍କ ପରି ଅନେକ ନେତାଙ୍କୁ ସାମାଜିକ ଦୂରତା ନିୟମ ଉଲ୍ଲଙ୍ଘନ କରିବା କାରଣରୁ ଜୋରିମାନା ଦେବକୁ ପଡ଼ିଛି ।

‘‘ସରକାର ଜୋରିମାନା ନାଁରେ ଭୟଭୀତ କରିବାକୁ ଚାହୁଁଛନ୍ତି । ଏଥିରେ ଡରିବାର ନାହିଁ । ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଏହି ଲଢେଇ ଜାରି ରହିବ,’’ କହିଛନ୍ତି କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ।

ଫାଇନ ଦେବା ପରେ ରସିଦ ଦେଖାଉଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ।


କରୋନା ପରିଚାଳନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା କହି ରାଜ୍ୟର ୧୩ଟି ଆଞ୍ଚଳିକ ବିରୋଧୀ ଦଳ ୧୭ଦଫା ଦାବି ନେଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବା ସହ ପ୍ରତିବାଦ କରିଥିଲେ । ଏଥିରେ କରୋନା ଟେଷ୍ଟିଂ ବଢାଇବା, କ୍ଵାରେଣ୍ଟାଇନ ଶେଷ କରୁଥିବା ପ୍ରବାସୀଙ୍କୁ ୨,୦୦୦ ଟଙ୍କା ଦେବା, ପ୍ରବାସୀଙ୍କୁ ୬ ମାସ ଯାଏ ମାସିକ ୭,୫୦୦ ଦେବା, ମୁଣ୍ଡ ପିଛା ୧୦ କିଲୋ ଚାଉଳ ଓ ଗହମ ଯୋଗାଇଦେବା ଓ ପ୍ରବାସୀ ଶ୍ରମିକମାନଙ୍କ ଗ୍ରସ୍ତ ଖର୍ଚ୍ଚ ସାର୍ବଜନୀନ କରିବା ଆଦି ଦାବି ଅନ୍ତର୍ଭୁକ୍ତ ।

ଅନ୍ୟ ଦାବିଗୁଡ଼ିକ ମଧ୍ୟରେ ଚାଷୀଙ୍କୁ ସହାୟତା ଦେବା, ଉଠା ଦୋକାନୀଙ୍କୁ ୧୦ ହଜାର ଟଙ୍କା ଦେବା, ବିଦ୍ୟୁତ ବିଲ୍‌ ଛାଡ଼ କରିବା, ଆଦିବାସୀମାନଙ୍କୁ ସହାୟତା ଦେବା, ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ସହାୟତା ଦେବା, ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦାମ୍‌ ଫେରାଇ ନେବା, ଔଷଧ ନିଗମରେ ହୋଇଥିବା କଥିତ ଦୁର୍ନୀତି ଉପରେ ଶ୍ଵେତପତ୍ର ଜାରି କରିବା, ମାଗଣାରେ ମାସ୍କ ଓ ସାନିଟାଇଜର ଆଦି ସାଧାରଣ ଲୋକଙ୍କୁ ଯୋଗାଇବା ଭଳି ଦାବି ସାମିଲ ଅଛି ।

ବିରୋଧୀ ମେଳିଙ୍କ ଅଭିଯୋଗର ଜବାବ ରଖିଛନ୍ତି ଉଭୟ ବିଜେଡି ଓ ବିଜେପି  । ସରକାରୀ ଦଳ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ‘‘ରାଜ୍ୟ ସରକାର  ଯାହା ଘୋଷଣା କରିଛନ୍ତି ତାହା ସାଧରଣ ଲୋକଙ୍କ ପାଖରେ ପହଞ୍ଚିଛି । ବିଶେଷ କରି କରୋନା ସମୟରେ ପଡ଼ୋଶୀ ରାଜ୍ୟ ଯେଉଁ ପଦକ୍ଷେପ ନେଇନାହାନ୍ତି ରାଜ୍ୟ ସରକାର  ତାହା କରିଛନ୍ତି । କରୋନା ଦାଉରୁ ସାଧାରଣ ଲୋକଙ୍କୁ ରକ୍ଷା କରୁଛନ୍ତି । କ୍ୱରେଣ୍ଟାଇନ ସେଣ୍ଟର କରିବା, ଲୋକଙ୍କୁ ଠିକ ସମୟରେ ଚାଉଳ ଯୋଗାଇବା ଠୁ ନେଇ ସବୁ ପ୍ରକାର ବ୍ୟବସ୍ଥା ମୁଖ୍ୟ ମନ୍ତ୍ରୀ କରିଛନ୍ତି । ସାଧାରଣ ଲୋକ ସବୁ ପାଇଛନ୍ତି । ବିରୋଧୀ ଦଳମାନଙ୍କୁ ଏକଥା ସୁହାଉନାହିଁ । ସେମାନେ ଚାହୁଁଛନ୍ତି ଲୋକେ ତାଙ୍କୁ ଓ ତାଙ୍କ ଦଳକୁ ମନେପକାନ୍ତୁ । ତାଙ୍କ ପାଖରେ ଲୋକ ନାହାଁନ୍ତି, ଆଉ ସେମାନେ ବି ଲୋକଙ୍କ ପାଖରେ ନାହାନ୍ତି ।’’

‘‘ଏହି ଯେଉଁ ୧୩ଟି ଦଳ ଆନ୍ଦୋଳନ କରିଛନ୍ତି ତାଙ୍କୁ ଲୋକେ ପ୍ରତ୍ୟାଖାନ କରିଛନ୍ତି । ରାଜନୈତିକ ମାନଚିତ୍ରରେ ସେମାନେ ଶୂନ୍ୟ ସ୍ଥାନରେ ବସିଛନ୍ତି । ନିଜର ସ୍ଥିତି ବଞ୍ଚେଇବା ପାଇଁ ସେମାନେ ଆନ୍ଦୋଳନ କରୁଥାଇ ପାରନ୍ତି,’’ କହିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଜକ ପୃଥ୍ୱୀରାଜ ହରିଚନ୍ଦନ ।
First published: June 26, 2020, 10:26 PM IST
corona virus btn
corona virus btn
Loading