କରୋନା ଭାଇରସ୍: ଭାରତରେ ଆଉ ୧୩ ଟି ନୂଆ ମାମଲା ଚ଼ିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୭୩ ହେଲା

ଭାରତରେ ମୋଟ ୭୩ଟି ନିଶ୍ଚିତ କରୋନା ଭାଇରସ୍ ମାମଲାରେ ୧୭ ଜଣ ବିଦେଶୀ, ୧୬ ଜଣ ଇଟାଲୀୟ ପର୍ଯ୍ୟଟକ ଓ ଅନ୍ୟ ଜଣେ ବିଦେଶୀ ଅଛନ୍ତି, ଯାହାଙ୍କ ଜାତୀୟତା ତୁରନ୍ତ ଜାଣିହେଉ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

କରୋନା ଭାଇରସ୍: ଭାରତରେ ଆଉ ୧୩ ଟି ନୂଆ ମାମଲା ଚ଼ିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୭୩ ହେଲା
ହାଇଦ୍ରାବାଦରେ କରୋନାଭାଇରସ୍ ଭୟରେ ଲୋକେ ମାସ୍କ ପିନ୍ଧି ଯାଆ ଆସ କରୁଛନ୍ତି ।
  • News18 Odia
  • Last Updated: March 12, 2020, 9:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସର ଆଉ ୧୩ଟି ମାମଲା ସାମନାକୁ ଆସିବା ପରେ ଏହି ରୋଗରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୭୩ କୁ ବୃଦ୍ଧି ପାଇଛି । ନୂଆ ଆସିଥିବା ୧୩ଟି ମାମଲା ମଧ୍ୟରେ ମହାରାଷ୍ଟ୍ରର ନଅ ଜଣ ଥିବା ବେଳେ ଦିଲ୍ଲୀ, ଲଦାଖ ଓ ଉତ୍ତର ପ୍ରଦେଶରୁ ଜଣେ ଲେଖାଏଁ ଅଛନ୍ତି ଓ ଜଣେ ବିଦେଶୀ ନାଗରିକ ବି ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ପ୍ରତି ରାଜ୍ୟର କରୋନା ମାମଲାର ସଂଖ୍ୟା ବିଷୟରେ ସୂଚ଼ନା ଦେଇ ମନ୍ତ୍ରଣାଳୟ କହିଛି ଯେ ଦିଲ୍ଲୀରେ ଛଅଟି ପଜିଟିଭ୍‌ ମାମଲା, କର୍ଣ୍ଣାଟକରେ ଚାରୋଟି ମାମଲା, ମହାରାଷ୍ଟ୍ରର ୧୧ଟି ଓ ଲଦାଖର ତିନୋଟି ମାମଲା ଆସିଛି । ଏହା ବ୍ୟତୀତ ରାଜସ୍ଥାନ, ତେଲେଙ୍ଗାନା, ତାମିଲନାଡୁ, ଜାମ୍ମୁ ଓ କାଶ୍ମୀର ଏବଂ ପଞ୍ଜାବରେ ଗୋଟିଏ ଲେଖାଏଁ ମାମଲା ଚ଼ିହ୍ନଟ ହୋଇଛି । କେରଳରେ ୧୭ଟି ମାମଲା ରେକର୍ଡ ହୋଇଛି, ଯେଉଁଥିରେ ସେହି ତିନି ଜଣ ରୋଗୀ ଅଛନ୍ତି ଯେଉଁମାନେ ଗତ ମାସରେ ସଂକ୍ରମଣରୁ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଥିଲେ ।

‘‘ମୋଟ ୭୩ ଟି ନିଶ୍ଚିତ କରୋନା ଭାଇରସ୍‌ ମାମଲାରେ ୧୭ ଜଣ ବିଦେଶୀ, ୧୬ ଜଣ ଇଟାଲୀୟ ପର୍ଯ୍ୟଟକ ଓ ଅନ୍ୟ ଜଣେ ବିଦେଶୀ ଅଛନ୍ତି, ଯାହାଙ୍କ ଜାତୀୟତା ତୁରନ୍ତ ଜାଣିହେଉ ନାହିଁ,’’ ମନ୍ତ୍ରଣାଳୟ କହିଛି ।

ଫ୍ଲୁ ଭଳି ଲକ୍ଷଣ ସହିତ ଆସିଥିବା ଏହି ସଂକ୍ରାମକ ରୋଗ ସମଗ୍ର ବିଶ୍ୱରେ ବ୍ୟାପୁଥିବାରୁ କ୍ୟାବିନେଟ ସଚିବ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମହାମାରୀ ରୋଗ ଅଧିନିୟମ, ୧୮୯୭ ର ଧାରା ୨କୁ ଲାଗୁ କରିବା ଉଚିତ, ଯାହା ଫଳରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ସମସ୍ତ ପରାମର୍ଶ (ଆଡଭାଇଜରୀ) କାର୍ଯ୍ୟକାରୀ କରିହେବ ।

ଏକ ଭାରତୀୟ ଡାକ୍ତର ଦଳ ଇଟାଲୀ ଯିବେ ଓ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କ ସ୍ବାବ୍ ନମୂନା ସଂଗ୍ରହ କରିବେ, ଫଳରେ ସେମାନଙ୍କୁ ଦେଶକୁ ଫେରାଇ ଆଣିବା ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟର ସ୍ଥିତି ପରୀକ୍ଷା କରି ଜାଣିହେବ ବୋଲି ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ କହିଥିଲେ ।

ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଇରାନରେ COVID-୧୯ (କରୋନା ଭାଇରସ୍‌) ର ପ୍ରକୋପ ବ୍ୟାପିବା ପରେ ସେଠାରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ‘‘ଇରାନରେ ଥିବା ଭାରତୀୟ ନାଗରିକମାନଙ୍କ ମଧ୍ୟରେ ତୀର୍ଥଯାତ୍ରୀ, ଛାତ୍ର ଓ ମତ୍ସ୍ୟଜୀବୀ ଅଛନ୍ତି,’’ ମନ୍ତ୍ରଣାଳୟ କହିଛି ।

ଦିଲ୍ଲୀରେ ମାସ୍କ ପିନ୍ଧି ଜଣେ ମହିଳା ଯାଉଛନ୍ତି ।


ମାର୍ଚ୍ଚ ୭ ରେ ଇରାନରୁ ୧୦୮ ଟି ନମୂନା ସଂଗ୍ରହ କରାଯାଇଥିଲା । ଏହି ନମୂନାଗୁଡିକ AIIMS ଲାବୋରେଟୋରୀରେ ପରୀକ୍ଷା କରାଯାଉଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ର ଛଅ ଜଣ ବୈଜ୍ଞାନିକ ଇରାନରେ ଅବସ୍ଥାପିତ ହୋଇଛନ୍ତି ଓ ଏ ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରି ରହିଥିବା ୪୦୦ ରୁ ଅଧିକ ଭାରତୀୟଙ୍କ ସ୍ବାବ୍ ନମୂନା ସଂଗ୍ରହ କରିଛନ୍ତି ।

‘‘ଇରାନରୁ ୫୮ ଜଣ ଭାରତୀୟ ପ୍ରଥମ ବ୍ୟାଚରେ ମାର୍ଚ୍ଚ ୧୦ରେ ଆସି ପହଞ୍ଚି ସାରିଛନ୍ତି । ସେମାନଙ୍କ ଭିତରେ ୨୫ ଜଣ ପୁରୁଷ, ୩୧ ଜଣ ମହିଳା ଏବଂ ଦୁଇ ଜଣ ପିଲା ଅଛନ୍ତି । ଏମାନଙ୍କ ଭିତରେ କାହାରି ଠାରେ କରୋନା ଭାଇରସର ଲକ୍ଷଣ ନାହିଁ,’’ ମନ୍ତ୍ରଣାଳୟ କହିଛି ।

ଭାରତ ଏ ପର୍ଯ୍ୟନ୍ତ COVID-୧୯ ପ୍ରଭାବିତ ଦେଶମାନଙ୍କରୁ ୯୪୮ ଜଣ ବ୍ୟକ୍ତିଙ୍କୁ ଫେରାଇ ଆଣିସାରିଛି । ଏଥି ମଧ୍ୟରୁ ୯୦୦ ଜଣ ଭାରତୀୟ ନାଗରିକ ଓ ଅନ୍ୟ ୪୮ ଜଣ ବିଭିନ୍ନ ଦେଶର, ଯଥା ମାଳଦ୍ୱୀପ, ମିଆଁମାର, ବାଂଲାଦେଶ, ଚୀନ୍, ଆମେରିକା, ମାଡାଗାସ୍କର, ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁ ।

ସଂଶୋଧିତ ଭ୍ରମଣ ଅଡଭାଇଜରୀ ଅନୁଯାୟୀ କରୋନାଭାଇରସର ବିସ୍ତାରକୁ ରୋକିବା ଉଦ୍ଦେଶ୍ୟରେ କୂଟନୈତିକ ଓ ନିଯୁକ୍ତି ଭଳି କିଛି ବର୍ଗ ବ୍ୟତୀତ ଭାରତ ଅନ୍ୟ ସମସ୍ତ ଭିସାକୁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ଏହି ଭିସା ନିଲମ୍ବନ ମାର୍ଚ୍ଚ ୧୩ ରାତି ୧୨ଟା ଠାରୁ ଲାଗୁ ହେଉଛି ।

କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ବିଶ୍ବ ମହାମାରୀ ଘୋଷଣା କରିବା ପରେ ଚିନ୍ତା ବଢ଼ିଛି । ଚୀନ ପରେ ୟୁରୋପୀୟଙ୍କୁ ଆମେରିକା ଗସ୍ତ ମନା କରାଯାଇଛି । ଭାରତରେ କୌଣସି କେନ୍ଦ୍ରୀୟ ମନ୍ତ୍ରୀ ବିଦେଶ ଗସ୍ତରେ ଯାଇପାରିବେ ନାହିଁ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କୋରୋନାକୁ ନେଇ କେହି ଆତଙ୍କିତ ହୁଅନ୍ତୁ ନାହିଁ ।
First published: March 12, 2020, 9:33 PM IST