ରାଜ୍ୟରେ ଆଉ ୧୦ ଜଣ କରୋନା ପଜିଟିଭ ଚିହ୍ନଟ; ଗୋଟିଏ ଦିନରେ ବଢ଼ିଲେ ୩୪ ଜଣ

ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ ୩୪ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହେଲେଣି । ରେଡ୍ ଜୋନରେ ଥିବା ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି । ଗଞ୍ଜାମରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ସୁରତ ଲିଙ୍କ ରହିଛି ।

ରାଜ୍ୟରେ ଆଉ ୧୦ ଜଣ କରୋନା ପଜିଟିଭ ଚିହ୍ନଟ; ଗୋଟିଏ ଦିନରେ ବଢ଼ିଲେ ୩୪ ଜଣ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ ଜଣ କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଭୁବନେଶ୍ବରରୁ ଅଛନ୍ତି ୩ ଜଣ ଓ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ୭ ଜଣ । କିଛି ସମୟ ପୂର୍ବରୁ ବାଲେଶ୍ବର ଜିଲ୍ଲାରେ ଦୁଇ ଜଣ ଓ ଜଗତସିଂହପୁର ଜିଲ୍ଲାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ ୩୪ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହେଲେଣି ।

ଏବେ ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି । ସବୁଠୁ ବଡ଼ କଥା ହେଉଛି ଏହା ଯେ ସପ୍ତାହକ ପରେ ରାଜଧାନୀ ଭୁବନେଶ୍ବରକୁ ଫେରିଛି କରୋନା । ଏ ଥର ଦୁଇଟି ନୂଆ ଅଞ୍ଚଳକୁ – ଭି.ଏସ୍‌.ଏସ. ନଗର ଓ ମଞ୍ଚେଶ୍ବର – ଡେଇଁଛି ଏହି କିଲର୍‌ ଭାଇରସ । ଭିଏସ୍‌.ଏସ୍‌. ନଗର, ମଞ୍ଚେଶ୍ବର ଓ ସୂର୍ଯ୍ୟ ନଗରରେ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରେ ଆଜି ଚିହ୍ନଟ ହୋଇଥିବା ୩ ଜଣ ଯାକ ଆକ୍ରାନ୍ତ ପୁରୁଷ ଓ ସେମାନଙ୍କ ବୟସ ୩୬, ୩୪ ଓ ୬୭ ବର୍ଷ । ରେଡ୍‌ ଜୋନରେ ଥିବା ଭୁବନେଶ୍ବରରେ ଏ ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ୧୬ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟର ତାଜା କରୋନା ସଂକ୍ରମଣ ସ୍ଥିତି


ସେହିପରି ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ୭ ଜଣ ନୂଆ ଆକ୍ରାନ୍ତଙ୍କର ସୁରତ ଲିଙ୍କ ରହିଛି । ଗଞ୍ଜାମର ୭ ପୁରୁଷ ରୋଗୀଙ୍କ ବୟସ ୪୩, ୪୮, ୨୫, ୨୯, ୩୯, ୨୫ ଓ ୬୦ ବର୍ଷ । ସେମାନେ ସମସ୍ତେ ସୁରତରୁ ଫେରିଥିଲେ । ଗଞ୍ଜାମରେ ଏ ପର୍ଯ୍ୟନ୍ତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି ।

ରାଜ୍ୟ ସରକାର ଏହି ନୂଆ ଆକ୍ରାନ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କାର୍ଯ୍ୟ ଜାରି ରଖିଛନ୍ତି । ସବୁ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ସୂଚନା ମିଳିଛି ।

ଆଜି ପୂର୍ବରୁ ରାଜ୍ୟରେ ୨୦ ଜଣ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଗଞ୍ଜାମ ଜିଲ୍ଲାରେ ୧୭ ଜଣ ଓ ମୟ଼ୂରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ପାଇଁ ଚାରି ଜଣ ସଂକ୍ରମିତ ।

ଆଜି ଓଡ଼ିଶା ହାଇ କୋର୍ଟ ପ୍ରବାସୀ ଓଡ଼ିଆଙ୍କ ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ବିନା କରୋନା ଟେଷ୍ଟରେ ସେମାନେ ରାଜ୍ୟକୁ ପ୍ରବେଶ କରିପାରିବେ ନାହିଁ । ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ହିଁ ସେମାନଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ମିଳିବ ବୋଲି ହାଇ କୋର୍ଟ କହିଛନ୍ତି ।

ଦେଶର ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଗତ କିଛି ଦିନ ଭିତରେ ଓଡ଼ିଶା ଫେରିବା ପରେ ରାଜ୍ୟରେ କରୋନା ଭାଇରସ୍‌ ପଜିଟିଭ୍‌ ବ୍ୟକ୍ତିଙ୍କ ସଂଖ୍ୟା ଲଗାତର ବଢ଼ୁଥିବା ବେଳେ କରୋନା ମୁକାବିଲାରେ ହାଇ କୋର୍ଟଙ୍କ ଏହି ରାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଆଶା କରାଯାଉଛି ।
First published: May 7, 2020, 8:30 PM IST
corona virus btn
corona virus btn
Loading