୩୦ରେ ପିପିଲି ଉପ ନିର୍ବାଚନ; ଅକ୍ଟୋବର ୩ରେ ଭୋଟ ଗଣତି; ବଳବତ୍ତର ରହିବ କୋଭିଡ କଟକଣା
ପୁଣି ଥରେ ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀ । ଏଥର କୋଭିଡ କଟକଣା ଭିତରେ ହେବ ଏହି ଉପ ନିର୍ବାଚନ।
- news18-Odia
- Last Updated: September 5, 2021, 4:35 PM IST
News18 Odia Digital
ଭୁବନେଶ୍ୱର : ପୁଣି ଥରେ ପିପିଲି ଉପନିର୍ବାଚନ ପାଇଁ ବିଗୁଲ ବାଜିଛି । ଆସନ୍ତା ସେପ୍ଟେମ୍ୱର ୩୦ରେ ହେବ ପିପିଲି ଉପ ନିର୍ବାଚନ। ଅକ୍ଟୋବର ୩ରେ ଭୋଟ ଗଣତି ହେବ। ଅକ୍ଟୋବର ୫ ତାରିଖ ସୁଦ୍ଧା ସରିବ ନିର୍ବାଚନ ପ୍ରକ୍ରିୟା। ଏଥର କୋଭିଡ କଟକଣା ଭିତରେ ହେବ ଏହି ଉପ ନିର୍ବାଚନ। ପିପିଲି ସାନି ତାରିଖ ଘୋଷଣା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି।
ଗଣ ମାଧ୍ୟମ ଆଗରେ ବିସ୍ତୃତ ତଥ୍ୟ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, '୩୦ ସେପ୍ଟେମ୍ବରରେ ଭୋଟ ଓ ଅକ୍ଟୋବର ୩ରେ ଭୋଟ ଗଣତି ହେବ। ଅକ୍ଟୋବର ୫ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସରିବ। ନିର୍ବାଚନ ପ୍ରକ୍ରିୟା ଯେଉଁଠାରୁ ଅଟକିଥିଲା, ସେହିଠାରୁ ଆରମ୍ଭ ହେବ। ଏ ନେଇ ବିସ୍ତୃତ ଆଲୋଚନା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି।'
'୨୦୨୧ ମାର୍ଚ୍ଚ ୩୧ ସୁଧା ଭୋଟର ତାଲିକା ଆଧାରରେ ଭୋଟର ଲିଷ୍ଟ ଗ୍ରହଣୀୟ ହେବ। ଗତ ବର୍ଷ ଯେଉଁ ସବୁ କୋଭିଡ ଗାଇଡ଼ ଲାଇନ ଲାଗୁ ହୋଇଥିଲା ତାହା ବଳବତ୍ତର ରହିବ । ନିର୍ବାଚନ ପ୍ରଚାର ସମୟରେ ଇନଡୋରରେ ୩୦ ପ୍ରତିଶତ ବା ସର୍ବାଧିକ ୨୦୦ ଲୋକ ମିଟିଂରେ ରହିପାରିବେ। ସେହିଭଳି ଆଉଟ ଡୋର କ୍ୟାମ୍ପେନରେ ସର୍ବାଧିକ ୧୦୦୦ କିମ୍ବା ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ଦିଆଯିବ। ମିଟିଂ ପାଇଁ ଆଗୁଆ ଅନୁମତି ନେବାକୁ ହେବ। ଏହାର୍ ଖର୍ଚ୍ଚ ଦଳ କିମ୍ବା ପ୍ରାର୍ଥିଙ୍କ ଆକାଉଣ୍ଟରେ ଉଲ୍ଲେଖ ରହିବ। ସେଇଭଳି ଷ୍ଟାର କ୍ୟାମ୍ପେନର ଥିଲେ ସର୍ବାଧିକ ୧୦୦୦ ଲୋକ ଓ ଷ୍ଟାର ଜ୍ୟାମ୍ପେନର ନଥିଲେ ଆଉଟ ଡୋରରେ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି ମିଳିବ,' କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।
ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଷ୍ଟାର କ୍ୟାମ୍ପେନର ତାଲିକା ସର୍ବାଧିକ ୨୦ ଭିତରେ ସିମୀତ ରହିପାରିବେ। ସବୁଠି କୋଭିଡ ଯୋଗୁଁ ରୋଡ଼ ଶୋ ପାଇଁ ଅନୁମତି ମିଳିବ ନାହିଁ। ବାଇକ, ମୋଟର ବା ସାଇକେଲ ରାଲି ଅନୁମତି ନାହିଁ। କେବଳ ଚାଲି ଚାଲି ଦୁଆର ଦୁଆର ବୁଲି ପ୍ରଚାର ପାଇଁ ଅନୁମତି ମିଳିବ। ତେବେ ସେଥିରେ ସର୍ବାଧିକ ୭ ଜଣ ସାମିଲ ହୋଇପାରିବେ। ଭୋଟର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ସରିବ। ଆଗରୁ ଏହା ୪୮ ଘଣ୍ଟା ଥିଲା। ଅର୍ଥାତ ୨୭ ସେପ୍ଟେମ୍ବର ସନ୍ଧ୍ୟା ୬ଟା ସୁଦ୍ଧା ପ୍ରଚାର ସରିବ।
ନିର୍ବାଚନରେ ସାମିଲ ହେବାକୁ ଥିବା ଲୋକମାନେ କୋଭିଡ ନିୟମ ମାନିବାକୁ ବାଧ୍ୟ। ପୋଲିସଙ୍କୁ ଏଥିପାଇଁ କୋଭିଡ କିଟ ପ୍ରଦାନ କରାଯିବ। ଯେଉଁମାନେ ନିର୍ବାଚନ ପରିଚାଳନା ଦାୟିତ୍ବରେ ରହିବେ ସେମାନେ ଡବଲ ଡୋଜ ଟିକା ନିହାତି ନେଇଥିବା ଦରକାର। ଆବଶ୍ୟକ ହେଲେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ପାରିବ । ପ୍ରତି ଭୋଟରଙ୍କୁ ଗ୍ଲୋବସ ଦିଆଯିବ। ଯଦି କେହି ଭୋଟର କୋଭିଡ଼ ସନ୍ଦେହରେ ରହିଲେ ତାଙ୍କୁ କ୍ୱାରେଣ୍ଟାଇନରେ ରହିବେ। ତାଙ୍କୁ ପରେ ଭୋଟ ପାଇଁ ଅନୁମତି ମିଳିବ। ପ୍ରତି ବୁଥରେ ଜଣେ ଲେଖାଏଁ ନୋଡାଲ ହେଲଥ ଅଫିସର ନିଯୁକ୍ତ ହେବେ। ସେମାନେ କୋଭିଡ ନିୟମ ଅନୁପାଳନ ହେଉଛି କି ନାହିଁ ଯାଞ୍ଚ କରିବେ ।