ଅପରାଜିତାଙ୍କ ଅଫିସ୍ ସିଲିଂ: ସୁର ରାଉତରାୟ କହିଲେ, ‘‘ସେ ନାଚିଲେ, ଗାଇଲେ, କ’ଣ ଭାସିଗଲା ସେଇଠୁ?’’

‘‘କି କୋଭିଡ଼ ମ? ତୁମେ ନଚାନଚି କଲେ କୋଭିଡ଼ ପଳେଇବ,’’ କହିଛନ୍ତି ସୁରେଶ ରାଉତରାୟ । ଅପରାଜିତା ଷଢ଼ଙ୍ଗୀ ନିଜ ଜନ୍ମ ଦିନ ପାର୍ଟିରେ ନାଚୁଥିବା ଦେଖାଯାଇଥିଲା । ନା ସେ ମାସ୍କ ପିନ୍ଧିଥିଲେ, ନା ତାଙ୍କ ସହ ନୃତ୍ୟ କରୁଥିବା କର୍ମୀମାନେ ।

ଅପରାଜିତାଙ୍କ ଅଫିସ୍ ସିଲିଂ: ସୁର ରାଉତରାୟ କହିଲେ, ‘‘ସେ ନାଚିଲେ, ଗାଇଲେ, କ’ଣ ଭାସିଗଲା ସେଇଠୁ?’’

News18 Odia Digital

ଭୁବନେଶ୍ୱର: ସାଂସଦ ଅପରାଜିତା ଷଢ଼ଙ୍ଗୀ (Aparajita Sarangi) ନିଜ ଜନ୍ମ ଦିନ ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ କୋଭିଡ଼ (Coronavirus) ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କ ଅଫିସକୁ ସିଲ୍‌ କରାଯିବା ପରେ ଏହି ମାମଲାକୁ ନେଇ ରାଜ୍ୟର ବିଜେପି ନେତାମାନେ ଆତ୍ମରକ୍ଷାସୂଚକ (ଡିଫେନ୍ସିଭ୍‌) ଶୈଳୀ ଆପଣେଇଛନ୍ତି । ଏହି ମାମଲା ଉପରେ ମତ ବ୍ୟକ୍ତ କରି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ (Suresh Routray) ଇଙ୍ଗିତ କରିଛନ୍ତି ଯେ ରାଜ୍ୟ ସରକାର ନିୟମ ପାଳନ କରିବା ନାଆଁରେ ହୁଏତ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ଯାହା ଉଚିତ ନୁହେଁ (Suresh Routray on Aparajita Sarangi)।

ଉଭୟ ହାଲୁକା ଓ ଗମ୍ଭୀର କଥା କହିବା କାରଣରୁ ଜଣାଶୁଣା ଜଟଣୀ ବିଧାୟକ ସୁରେଶ ରାଉତରାୟ ଅପରାଜିତା ଷଢ଼ଙ୍ଗୀଙ୍କ ଜନ୍ମଦିନ ପାଳନ ଉତ୍ସବରେ ହୋଇଥିବା ନୃତ୍ୟ ଓ ଗୀତର ଆସରରେ କୌଣସି ଅନୁଚିତ କଥା ଦେଖୁନାହାନ୍ତି । ସେ କହିଛନ୍ତି ଯେ କରୋନା ନିୟମ ମାନିବା ଆବଶ୍ୟକ ହୋଇଥିଲେ ବି ଲୋକେ ପରସ୍ପର ସହ ମିଳାମିଶା କରିବା ଓ ଉତ୍ସବ ପାଳନ କରିବା ବନ୍ଦ କରିଦେବା ଉଚିତ ନୁହେଁ ।

‘‘ସେ (ଅପରାଜିତା ଷଢ଼ଙ୍ଗୀ) ଜଣେ ସାଂସଦ । ସେ ସମସ୍ତଙ୍କ ସହ ମିଶନ୍ତି । ସେ ନାଚିଲେ, ଗାଇଲେ, କ’ଣ ଭାସିଗଲା ସେଇଠୁ? ଏମ୍‌.ପି. ହୋଇଗଲେ ବୋଲି ଆଉ ନାଚିବେନି? ଗାଇବେନି?’’ ପଚାରିଛନ୍ତି ରାଉତରାୟ । ଅପରାଜିତାଙ୍କ ବିରୁଦ୍ଧରେ ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍‌.ସି.) ନେଇଥିବା ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ବିଷୟରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ମତ ପଚାରିବାରୁ ସେ ଏମିତି କହିଥିଲେ ।

ନିଜ ଜନ୍ମ ଦିନ ଉତ୍ସବରେ ସମର୍ଥକମାନଙ୍କ ସହ ଅପରାଜିତା ଷଢ଼ଙ୍ଗୀ

‘‘କି କୋଭିଡ଼ ମ? ତୁମେ ନଚାନଚି କଲେ କୋଭିଡ଼ ପଳେଇବ,’’ କହିଛନ୍ତି ସୁରେଶ ରାଉତରାୟ । ତାଙ୍କର ଏହି ମତ ଓ ସାଧାରଣରେ ଦିଆଯାଇଥିବା ପରାମର୍ଶ କୋଭିଡ଼ ନିୟମକୁ ପାଳନ କରାଇବା ପାଇଁ ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ମଧ୍ୟରେ ସାଧାରଣ ଲୋକଙ୍କୁ ନିୟମକୁ ହାଲୁକା ଢଙ୍ଗରେ ନେବାକୁ ପ୍ରବର୍ତ୍ତାଉଥିବା ପରି ଅନେକଙ୍କୁ ପ୍ରତୀତ ହୋଇଛି । ହେଲେ ରାଉତରାୟ ପରେ ସ୍ପଷ୍ଟ କରିଛନ୍ତି ଯେ ତାହା ତାଙ୍କର ଉଦ୍ଦେଶ୍ୟ ନ ଥିଲା ।

ଅପରାଜିତା ଷଢ଼ଙ୍ଗୀ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ ହେବା ପରେ ୭ ତାରିଖରେ ଦିଲ୍ଲୀରୁ ଭୁବନେଶ୍ବର ଫେରିଥିଲେ । ତାଙ୍କୁ ସ୍ୱାଗତ କରିବାକୁ ବିମାନ ବନ୍ଦର ରୋଡ଼ରେ ଗହଳି କରିଥିଲେ ତାଙ୍କ ସମର୍ଥକମାନେ । ପୁଣି ସେହି ଦିନ ତାଙ୍କର ଜନ୍ମ ଦିନ ଥିବାରୁ ସମର୍ଥକଙ୍କ ଗହଣରେ ସେ ଉତ୍ସବ ପାଳନ କରିଥିଲେ । ଏହି ଜନ୍ମ ଦିନ ପାର୍ଟିରେ ନିଜେ ସାଂସଦ ମଧ୍ୟ ନାଚୁଥିବା ଦେଖାଯାଇଥିଲା । ନା ସାଂସଦ ମାସ୍କ ପିନ୍ଧିଥିଲେ, ନା ତାଙ୍କ ସହ ନୃତ୍ୟ କରୁଥିବା କର୍ମୀମାନେ । କେହି ସାମାଜିକ ଦୂରତା ରକ୍ଷା କରି ନ ଥିଲେ ।

ବିଜେଡି ନେତା ପ୍ରତାପ ଦେବ

ଏହି ଉତ୍ସବର ଭିଡିଓ କ୍ଲିପ୍‌ ବାହାରକୁ ଆସିବା ପରେ ସାଂସଦ ଅପରାଜିତା କେବଳ ନିଜ ଜୀବନ ନୁହେଁ ଅନ୍ୟମାନଙ୍କ ଜୀବନ ପ୍ରତି ବି ବିପଦ ସୃଷ୍ଟି କରିଥିବା ଦର୍ଶାଇ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ । ଆଗକୁ ଏପରି ନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅପରାଜିତାଙ୍କୁ ନିର୍ଦ୍ଦେଶ ଦେଉ ବୋଲି ସେ ଦାବି କରିଥିଲେ ।

‘‘ଆମେ ଯେଉଁମାନେ ସାମାଜିକ କ୍ଷେତ୍ରରେ ଅଛେ ଆମ ସମସ୍ତଙ୍କୁ କୋଭିଡ ନିୟମ ମାନିବାର ଆବଶ୍ୟକତା ଅଛି । ଆମେ ଯଦି ମାନିବା ତେବେ ସାଧାରଣ ଲୋକ ଆମକୁ ଦେଖିକି ମାନିବେ,’’ କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

\1\6୨୭ ବର୍ଷୀୟା ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ମୃତ୍ୟୁ ହେଲା; ଡାଏଟିଂ କରୁଥିଲେ, କିଡନୀ ଫେଲ୍ ହେଲା

ଏହା ବି ପଢ଼ନ୍ତୁ | ହାଥରସ ଯିବା ବାଟରେ ରାହୁଳ ଓ ପ୍ରିୟଙ୍କା କାର୍‌ରେ ହସୁଥିଲେ; BJP କହିଲା ‘‘ରାଜନୈତିକ ଶାଗୁଣାବାଦ’’

ବିଜେଡି ନେତା ପ୍ରତାପ ଦେବ କହିଛନ୍ତି, ‘‘ଅନେକ ସମୟରେ ଆମେ ଦେଖିଛୁ ସେ (ଅପରାଜିତା) ଅନେକ ସମୟରେ ନୀତି ନିୟମର କଥା ଗଣମାଧ୍ୟମରେ ଶିଖାଇବାକୁ ଚେଷ୍ଟା କରନ୍ତି । ତେଣୁ ସେ କାହିଁକି ଏମିତି କଲେ ତାହାର ଉତ୍ତର ସେ ଦେବେ । ନେତାଙ୍କୁ ଦେଖି ଲୋକେ ଅନୁସରଣ କରନ୍ତି । ତେଣୁ ଆମେ ସମସ୍ତେ ନିୟମ ପାଳନ କରିବା ଦରକାର ।’’

ପୋଲିସ ଉପସ୍ଥିତିରେ ଅପରାଜିତାଙ୍କ ପଳାଶପଲ୍ଲୀ ସ୍ଥିତ ଏ/୫୬ କାର୍ଯ୍ୟାଳୟକୁ ୧୫ ଦିନ ପାଇଁ ସିଲ୍‌ କରାଯାଇଛି । ଏହା ପରେ ଅପରାଜିତା କହିଛନ୍ତି ଯେ ସେ କୋଭିଡ୍‌ ନିୟମ ଭାଙ୍ଗିନାହାନ୍ତି । ସରକାର କୋଭିଡ ନିୟମ ଉଲ୍ଲଙ୍ଘନର କଥିତ ମାମଲାରେ ରାଜନୈତିକ ପାତରଅନ୍ତର କରୁଛନ୍ତି ବୋଲି ଅଭିଯୋଗ କରି ବିଜେଡି ଅଫିସ୍‌ କେବେ ସିଲ୍‌ ହେବ ବୋଲି ପଚାରିଛନ୍ତି ସେ ।

Published by: Anand ST Das
First published: October 10, 2020, 23:36 IST