ମଠ ସଂସ୍କୃତି ସହ ଐତିହ୍ୟ ସହର ପୁରୀ ବିଷୟରେ ଆଗାମୀ ପିଢ଼ିକୁ ଅବଗତ କରାଇବା ପାଇଁ ଆରମ୍ଭ ହୋଇଛି ହେରିଟେଜ୍ ୱାକ ଆଣ୍ଡ ରାଇଡ୍
ହେରିଟେଜ ୱାକ ଆଣ୍ଡ ରାଇଡ୍ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଇକୋ ଟ୍ୟୁରିଜିମ୍ ଫାଉଣ୍ତେସନ ମିଳିତ ସହଯୋଗରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଏହାର ଶୁଭାରମ୍ଭ ହୋଇଥିବା ବେଳେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଏଥିରେ ସାମିଲ ହୋଇ ଥିଲେ ।
- news18-Odia
- Last Updated: September 6, 2021, 12:25 PM IST
News18 Odia Digital
ପୁରୀ: ଶ୍ରୀକ୍ଷେତ୍ରର ପରମ୍ପରା ଓ ସଂସ୍କୃତି ଶ୍ରୀଜଗନ୍ନାଥଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏଥି ପାଇଁ ଐତିହ୍ୟ ସମ୍ପର୍ଣ୍ଣ ସହର ପୁରୀର ପରିଚୟ ଅନନ୍ୟ । ଶ୍ରୀଜଗନ୍ନାଥ ସଂସ୍କୃତି ସହ ମଠମାନଙ୍କର ପରମ୍ପରା ଅତି ନିବିଡ଼ । ମଠ ସଂସ୍କୃତି ସହ ଐତିହ୍ୟ ସହର ବିଷୟରେ ଆଗାମୀ ପିଢ଼ିକୁ ଅବଗତ କରାଇବା ପାଇଁ ଆରମ୍ଭ ହୋଇଛି ‘ହେରିଟେଜ ୱାକ ଆଣ୍ତ ରାଇଡ’ ।
ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଇକୋ ଟ୍ୟୁରିଜିମ୍ ଫାଉଣ୍ତେସନ ମିଳିତ ସହଯୋଗରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଏହାର ଶୁଭାରମ୍ଭ ହୋଇଥିବା ବେଳେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଏଥିରେ ସାମିଲ ହୋଇ ନିଜେ ପିଲାଙ୍କ ସହ ସାଇକେଲରେ ମଠ ବୁଲି ପିଲାଙ୍କୁ ଉତ୍ସ।ହିତ କରିଥିଲେ ।
"କେବଳ ଆଧ୍ୟାତ୍ମିକ କିମ୍ବା ଐତିହାସିକ ନୁହେଁ ବରଂ ସାଂସ୍କୃତିକ ଦୃଷ୍ଟିରୁ ପୁରୀର ଖ୍ୟାତି ସ୍ବତନ୍ତ୍ର । ଶ୍ରୀମନ୍ଦିର ଓ ମହୋଦଧି ବ୍ୟତୀତ ସହରରେ ଭରି ରହିଛି ସ୍ବତନ୍ତ୍ର ପରିଚୟ ବହନ କରୁଥିବା ଅନେକ ପ୍ରାଚୀନ ମଠ, ମନ୍ଦିର ଓ ଆଶ୍ରମ । ଏ ସମ୍ପର୍କରେ ଆଗାମୀ ପିଢ଼ିକୁ ତଥ୍ୟ ଭିତ୍ତିକ ଅବଗତ କରିବା ନିମନ୍ତେ ହେରିଟେଜ ୱାକ ଆଣ୍ତ ରାଇଡ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଇକୋ ଟ୍ୟୁରିଜିମ୍ ଫାଉଣ୍ତେସନ ମିଳିତ ସହଯୋଗରେ ଶୁଭାରମ୍ଭ ହୋଇଛି । ଆଜିର ଏହି ହେରିଟେଜ ୱାକ ଆଣ୍ତ ରାଇଡରେ ପିଲାମାନେ ସାଇକେଲରେ ବିଭିନ୍ନ ଐତିହ୍ୟ ସ୍ଥଳ ସହ ମଠ ଗୁଡ଼ିକ ବୁଲିଥିଲେ । ସେମାନଙ୍କୁ ଗବେଷକ ଡ଼ଃ ସୁରେନ୍ଦ୍ର ମିଶ୍ର ଓ ଶ୍ରୀ ସିଦ୍ଧାର୍ଥ ଆର୍ଚାର୍ଯ୍ୟ ପିଲା ମାନଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ପ୍ରତି ରବିବାର ଦିନ ହେବାକୁ ଥିବା ଏହି ୱାକ ଆଣ୍ଡ ରାଇଡରେ ପର୍ଯ୍ୟଟକ, ବରିଷ୍ଠ ନାଗରିକ ଓ ବିଭିନ୍ନ ବର୍ଗଙ୍କୁ ସାମିଲ କରାଯିବ,’’ କହିଥିଲେ ଓଡ଼ିଶା ଇକୋ ଟ୍ୟୁରିଜିମ୍ ଫାଉଣ୍ତେସନ ପ୍ରତିଷ୍ଠାତା ଯୁଗବ୍ରତ କର ।
ଐତିହ୍ୟ ସହର ପୁରୀ ବିଷୟରେ ଆଗାମୀ ପିଢ଼ିକୁ ଅବଗତ କରାଯିବ
ଜିଲ୍ଲାପାଳ ସମର୍ଥ ବର୍ମା ଏହାର ଶୁଭାରମ୍ଭ କରି କହିଥିଲେ, "ପୁରୀର ଐତିହ୍ୟ ଆଉ ସଂସ୍କୃତିକୁ ନେଇ ଏହା ବିଶ୍ୱର ଐତିହ୍ୟ ସହର ହେବାକୁ ଯାଉଛି । ତା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଶହ ଶହ ବର୍ଷ ତଳର ବିଭିନ୍ନ ସମ୍ପ୍ରଦାୟର ମଠ ମଧ୍ୟ ଅନେକ ଇତିହାସ ବହନ କରୁଛି । ତେଣୁ ଅଗାମୀ ପିଢ଼ି ସହ ପର୍ଯ୍ୟଟକମାନଙ୍କୁ ଏହି ସଂସ୍କୃତିକୁ ଅବଗତ କରିବା ପାଇଁ ସରକାରୀ ସ୍ତରରେ ପ୍ରୟାସ ରହିଥିବାବେଳେ ହେରିଟେଜ ୱାକ ଆଣ୍ତ ରାଇଡ ଜରିଆରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅବଗତ ହୋଇପାରିବେ । ଆଉ ଏଥିରେ ମଠାଧିଶଙ୍କ ସହଯୋଗ ସହିତ ଜଗତଗୁରୁଙ୍କ ଆଶିର୍ବାଦ ମଧ୍ୟ ରହିଛି ।’’
ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପୁରୀ ସାଇକେଲ କ୍ଲବ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର କହିଥିଲେ, "ଏହା ଦ୍ବାରା ଛାତ୍ରଛାତ୍ରୀ ତଥା ଆଗାମୀ ପିଢ଼ି ଜ୍ଞାନ ଆହୋରଣ କରି ପାରିବେ। ଏଥିରେ ବିଶ୍ବମ୍ଭର ବିଦ୍ୟାପୀଠ ଓ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରଛାତ୍ରୀ, ଗାଇଡ଼ ଓ ସହଯୋଗୀ ପ୍ରମୁଖ ସାମିଲ ହୋଇଥିଲେ । ଏହା ନିଳାଦ୍ରି ବିଚ୍ ଠାରୁ ଆରମ୍ଭ ହୋଇ ବ୍ଲୁ ଫ୍ଲାଗ ବିଚ୍ ଠାରେ ଶେଷ ହୋଇଥିଲା । ବିଶେଷକରି ସାଇକେଲରେ ଛାତ୍ରଛାତ୍ରୀମାନେ ଯାଇ ମଠ ବୁଲିକି ଦେଖି ଅନେକ ଜ୍ଞାନ ଆହରଣ କରିବା ପିଲାଙ୍କ ପାଇଁ ବେଶ ଉପାଦେୟ ହୋଇପାରିଛି ।’’
ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସଙ୍କ କହିବା ଅନୁଯାୟୀ, ହେରିଟେଜ ୱାକ ଆଣ୍ତ ରାଇଡରେ ସାମିଲ ପିଲାମାନେ ସହରର କବୀର ଚୌରା, ବିଦୂର ମଠ, କରାର ଆଶ୍ରମ, ବାଉଳୀ ମଠ, ସ୍ବର୍ଗଦ୍ବାର ଓ ଶଙ୍କରାଚାର୍ଯ୍ୟ ମଠ ବୁଲି ଦେଖିବା ସହ ମଠ ସମ୍ପର୍କରେ ପଚାରି ବୁଝିଛନ୍ତି।
ପୁରୀରେ ଆରମ୍ଭ ହୋଇଛି ହେରିଟେଜ୍ ୱାକ ଆଣ୍ଡ ରାଇଡ୍
ଏହି ଅବସରରେ ସେମାନେ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ । ଶେଷରେ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆଉ ପିଲାମାନଙ୍କୁ ଉତ୍ସହିତ କରିବା ପାଇଁ ଡି.ଏଫ.ଓ. ପି.ରାମାସ୍ବାମୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ପୁରୀ ସାଇକେଲ କ୍ଲବ ସଦସ୍ୟ ସଞ୍ଜୀବ ନାୟକ, ଶାନ୍ତିରଞ୍ଜନ ମିଶ୍ର, ନଟବର ସାହୁ, ଧନଞ୍ଜୟ ମଲ୍ଲିକ, ସୁଜିତ ଚକ୍ରବର୍ତ୍ତୀ, ପ୍ରମୋଦ ଆର୍ଚାର୍ଯ୍ୟ ଓ ଅଜିତ ପଣ୍ତା ପ୍ରମୁଖ ସାମିଲ ଥିଲେ ।
ହେରିଟେଜ ୱାକ ଆଣ୍ତ ରାଇଡ ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ବେଳେ କୋଭିଡକୁ ନେଇ ବନ୍ଦ ରହିଥିଲା ।ଏବେ ରାଜ୍ୟ ସରକାରଙ୍କ କୋହଳ ଗାଇଡଲାଇନ୍ସ ଆସିବା ପରେ ସବୁକିଛି ସ୍ୱାଭାବିକ ହେବାରୁ ଏହା ପୁଣି ଆରମ୍ଭ ହୋଇଛି । ହେଲେ ପିଲାମାନେ ଯେଭଳି କୋଭିଡ କଟକଣା ଅନୁପାଳନ କରିବେ ତାହା ଉପରେ ଆୟୋଜକଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା ।