୨ ଏକର ୨୭ ଡିସମିଲ ଜାଗା ପାଇଁ ଘଟିଥିଲା ଜଘନ୍ଯ ହତ୍ୟାକାଣ୍ଡ; ୭ ଜଣଙ୍କୁ ଗିରଫ କରିଛି ପୋଲିସ
ବାଲେଶ୍ୱର ରେମୁଣାରେ ଘଟିଥିବା ବିଭତ୍ସ ହତ୍ଯାକାଣ୍ଡରେ ୭ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ଜମିଜମା ଘଟଣାକୁ ନେଇ ଏପରି ଘଟିଛି ବୋଲି ସୂଚନା ମିଳିଛି ।
- news18-Odia
- Last Updated: September 5, 2021, 5:21 PM IST
News18 Odia Digital
ବାଲେଶ୍ଵର: ବାଲେଶ୍ୱର ରେମୁଣାରେ ଘଟିଥିବା ବିଭତ୍ସ ହତ୍ଯାକାଣ୍ଡର ପର୍ଦ୍ଦାଫାସ କରିଛି ବାଲେଶ୍ୱର ପୋଲିସ । ହତ୍ୟାକାରୀଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜମିବାଡ଼ି ମାମଲାକୁ ନେଇ ଏପରି ହତ୍ଯାକାଣ୍ଡ ଘଟିଛି ବୋଲି ପୋଲିସ କହିଛି ।
ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ରେମୁଣା ବାଲଗୋପାଲପୁର ବାଇପାସ ରାସ୍ତାର ଅଚ୍ୟୁତପୁର ନିକଟ ସତ୍ୟନଗରଠାରେ ଅଗଷ୍ଟ ୨୮ ତାରିଖ ଶନିବାର ସନ୍ଧ୍ୟାରେ ଜମି ବ୍ୟବସାୟୀ ତଥା ' ସତ୍ୟମ ଡେଭଲପରର' ମାଲିକ ରମେଶ ବେହେରା ହତ୍ୟା ଘଟଣା ରେ ପୋଲିସ ରହସ୍ୟ ଖୋଲିଛି । ସୂଚନାନୁଯାୟୀ ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ ମୁଖ୍ୟ ଷଡ଼ଯନ୍ତ୍ରକାରୀ, ୩ ଜଣ ସୁପାରୀ କିଲରଙ୍କ ସମେତ ସେମାନଙ୍କ ନିକଟରୁ ଗୋଟିଏ ତେଲେଙ୍ଗା କଟୁରି, ଗୋଟିଏ ଗୁପ୍ତି ଗୋଟିଏ କାର , ଗୋଟିଏ ବୋଲେରା, ଗୋଟିଏ ଅଟୋ ରିକ୍ସା , ୭ଟି ମୋବାଇଲ ଓ ରକ୍ତ ଲାଗିଥିବା ୪୨ ହଜାର ଟଙ୍କା ଜବତ ହୋଇଛି । ସେମାନଙ୍କ ମଧ୍ୟରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଟୁନା ଓରଫ ଚିତ୍ତରଞ୍ଜନ ପାଣିଗ୍ରାହୀ (୪୭) ଓ ହତ୍ୟା କରିଥିବା ଅଚ୍ୟୁତପୁର ଗାଁର ରଞ୍ଜନ ସାହୁ ଓ ଶ୍ରୀକୃଷ୍ଣପୁରର ଶମ୍ଭନାଥ ବିଶୋଇ ଓରଫ ଶମ୍ମୁଆ , ଘଟଣାକୁ ସଫଳ ରୂପ ଦେବାରେ ମୁଖ୍ୟ ସହଯୋଗୀ ଶ୍ରୀକୃଷ୍ଣପୁରର କଲ ବେହେରା ଓ ୩ ଜଣ ବିଭିନ୍ନ କାମରେ ସହଯୋଗ କରିଥିବା ଅଚ୍ୟୁତପୁରରଗୋପୀନାଥ ପାକଳ , ମୟୂରଭଞ୍ଜ ଜିଲା ବଡ଼ସାହି ଅମେଶ ବେହେରା ଥାନା ଚେଙ୍ଗୁଆ ଗାଁର ମାନସ କୁମାର ପ୍ରଧାନ, ବରହମପୁର ଥାନା ଅନ୍ତର୍ଗତ ଭୋଗଡ଼ିଆ ଗାଁର ଭଞ୍ଜୟ କୁମାର ବେହେରା ରହିଛନ୍ତି ।
ଜମିଜମା ଘଟଣାକୁ ନେଇ ହତ୍ୟାକାଣ୍ଡ ହୋଇଥିବାର ସୂଚନା ଦେଲେ ବାଲେଶ୍ୱର ଏସପି (ପ୍ରତୀକାତ୍ମକ ଛବି)
"ରେମୁଣା ତହସିଲ ଶ୍ରୀକୃଷ୍ଣପୁର ମୌଜାରେ ୨ ଏକର ୨୭ ଡିସିମିଲ ଜମି କିଣା ଓ ପ୍ଲଟିଂକୁ ନେଇ ସତ୍ୟମ ଡେଭେଲପର୍ସର ମାଲିକ ରମେଶ ବେହେରା ଓରଫ୍ ନୁନୁଙ୍କ ସହ ଗଣେଶ୍ୱରପୁର ଗ୍ରାମର ଅନ୍ୟତମ ଜମି ବ୍ୟବସାୟୀ ଟୁନା ଓରଫ ଚିତ୍ତରଞ୍ଜନ ପାଣିଗ୍ରାହୀର ପୂର୍ବ ଶତ୍ରୁତା ରହିଥିଲା। ତେବେ ରମେଶଙ୍କ କାରବାରର ତରିକାକୁ ସହି ନପାରି ସବୁଦିନ ପାଇଁ ତାଙ୍କୁ ରାସ୍ତାରୁ ହଟାଇବାକୁ ଟୁନା ମାଷ୍ଟର ପ୍ଲାନ କରିଥିଲା । ଏଥିପାଇଁ ପାଖାପାଖି ମାସେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଚିତ୍ତରଞ୍ଜନଅଚ୍ୟୁତପୁର ଗ୍ରାମର ରମେଶଙ୍କ ପୂର୍ବତନ ସହଯୋଗୀ ରଞ୍ଜନ ସାହୁ ଓ ଶ୍ରୀକୃଷ୍ଣପୁର କାଠୁଆସାହି ଗାଁର ଶମ୍ଭଆ ଓରଫ ଶମ୍ଭନାଥ ବିଶୋଇ ସହ ଯୋଗାଯୋଗ କରି ହତ୍ୟା ପାଇଁ ଯୋଜନା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି, " କହିଛନ୍ତି ବାଲେଶ୍ୱର ଏସିପି ସୁଧାଶୁଂ ଶେଖର ମିଶ୍ର ।
ପୋଲିସ କହିବା ଅନୁସାରେ ରମେଶଙ୍କୁ ହତ୍ୟା କରିବାକୁ ଜମି ବ୍ୟବସାୟୀ ଚିତ୍ତରଞ୍ଜନଙ୍କ ସହ ରଞ୍ଜନ ଓ ଶମ୍ଭୁ ମଧ୍ୟରେ ୫୦ ଲକ୍ଷ ଟଙ୍କାର ଡିଲ ହୋଇଥିଲା । ଚିତ୍ତ ରଞ୍ଜନ ଏଥିପାଇଁ ୫୦ ଲକ୍ଷ ଟଙ୍କା ଉଭୟଙ୍କୁ ସୁପାରୀ ଦେଇଥିଲେ । ଡିଲ ମୁତାବକ ଶମ୍ଭୁ ପ୍ରଥମେ ଚିତ୍ତରଞ୍ଜନଠାରୁ ଅଗ୍ରିମ ଆକାରରେ ୧ଲକ୍ଷ ୫ ହଜାର ଟଙ୍କା ନେଇଥିଲା । ଏହି ହତ୍ୟା ପୂର୍ବରୁ ରମେଶଙ୍କ ଉପରେ ରଞ୍ଜନ ନଜର ରଖିଆସୁଥିଲେ । ଯେହେତୁ ରଞ୍ଜନ ଦୀର୍ଘଦିନ ଧରି ରମେଶଙ୍କ ସହ ମିଶି ଜମି କାରବାରରେ ଜଣେ ଘନିଷ୍ଠ ସହଯୋଗୀ ଭାବେ କାମ କରିଆସୁଥିଲା । ତେଣୁ ତାକୁ ସେ ସନ୍ଦେହ ମଧ୍ୟ କରୁନଥିଲେ।
ଏହି ଗାଡ଼ିରେ ଫେରାର ହୋଇଥିଲେ ହତ୍ୟାକାରୀ
ହତ୍ୟା ଦିନ ଅର୍ଥାତ ଅଗଷ୍ଟ ୨୮ ତାରିଖ ଶନିବାର, ସନ୍ଧ୍ୟା ୬ଟା ରମେଶ ଗଣେଶ୍ୱରପୁରସ୍ଥିତ ନିଜ କାର୍ଯ୍ୟାଳୟରେ ଥିଲେ । ଟୁନା ଓରଫ ଚିତ୍ତରଞ୍ଜନ ଫୋନ କରି ତାଙ୍କୁ ସତ୍ୟନଗର ନିକଟକୁ ଡାକିଥିଲେ । ପୂର୍ବ କଥା ଭୁଲି ଆସ ସମାଧାନ କରିଦେବା କହି ଫୋନ କରିବାରୁ ରମେଶ ନିଜ ସ୍କୁଟିରେ ବାହାରି ଥିଲେ। ସତ୍ୟନଗର ନିକଟରେ ପୂର୍ବରୁ ରଞ୍ଜନ ଓ ଶମ୍ଭୁ ଜଗି ରହିଥିଲେ। କାର୍ଯ୍ୟାଳୟରୁ ବାହାରିବା କଥା କେହି ଫୋନ କରି ସେମାନଙ୍କୁ ଜଣେଇଥିଲା । ରମେଶ ସତ୍ୟନଗରରେ ପହଞ୍ଚି ସ୍କୁଟି ରଖୁବା ମାତ୍ରେ ରଞ୍ଜନ ଓ ଶମ୍ବୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡକୁ ସେମାନେ ହାଣି ଚାଲିଥିଲେ। ଫଳରେ ରମେଶ ସେହିଠାରେ ହିଁ ଟଳି ପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସେମାନେ କୁକୁଡ଼ା ବ୍ୟବସାୟୀ କମଲ ଘରେ ପହଞ୍ଚି ସେଠାରେ କଟୁରି ଓ ଗୁପ୍ତ ରଖୁଦେଇ ଫେରାର ହୋଇଯାଇଥିଲେ । ସେମାନଙ୍କୁ ଗୋପୀନାଥ, ମାନସ ଓ ବିଜୟ କାର, ବୋଲେରୋ ଏବଂ ଅଟୋରେ ନେଇ ବିଭିନ୍ନ ସ୍ଥାନରେ ଲୁଚାଇ ଦେଇଥିଲେ ।