ବାଚସ୍ପତିଙ୍କ ଉପରକୁ ‘ଚପଲ ଫିଙ୍ଗା ପ୍ରସଙ୍ଗ’ ରାଜଭବନରେ ପହଞ୍ଚିଲା; ଫେରାଦ ହେଲା BJP
ରାଜ୍ୟପାଳଙ୍କୁ ଭେଟି ବିଜେପି ବିଧାୟକମାନେ ଦାବି ଜଣାଇଛନ୍ତି ଯେ ଏପ୍ରିଲ୍ ୩ରେ ‘‘ତରବରିଆ ଭାବେ’’ ପାସ୍ କରାଯାଇଥିବା ଛଅଟି ବିଲକୁ ଫେରାଇ ଦିଆଯାଉ ଓ ତା’ ଉପରେ ବିଧାନ ସଭାରେ ଆଲୋଚନା କରାଯାଉ ।
- news18-Odia
- Last Updated: April 4, 2021, 11:27 PM IST
News18 Odia Digital
ଭୁବନେଶ୍ୱର: ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି ବିଧାନସଭା ଭିତରେ ଓ ବାହାରେ ରାଜନୈତିକ ହଟଚମଟ ଲାଗି ରହିଥିବା ବେଳେ ଏବେ ଏହା ପହଞ୍ଚିଛି ରାଜ ଭବନରେ । ଗୃହରେ ବିରୋଧୀ ଦଳମାନଙ୍କୁ ଗୁରୁତ୍ବ ଦିଆଯାଉନାହିଁ ଓ ବାଚସ୍ପତି ଦଳୀୟ ଧାରାରେ କାମ କରୁଛନ୍ତି ବୋଲି ଅଭିଯୋଗ କରି ଏହି ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛି ରାଜ୍ୟ ବିଜେପି । ରବିବାର ସନ୍ଧ୍ୟାରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକଙ୍କ ସମେତ ବିଜେପି ବିଧାୟକମାନେ ଏ ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
‘‘ଆମେ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଥିଲୁ । ରାଜ୍ୟପାଳ ସମୟ ଦେଲେ । ଆମେ ରାଜ୍ୟପାଳଙ୍କୁ ଦାବି ଜଣାଇଲୁ ଯେ ଗତ କାଲି (ଏପ୍ରିଲ୍ ୩) ଯେଉଁ ଛଅଟି ବିଲକୁ ତରବରିଆ ଭାବେ ପାସ୍ କରାଯାଇଛି ସେଗୁଡ଼ିକୁ ଫେରାଇ ଦିଆଯାଉ ଓ ତା’ ଉପରେ ପୁନର୍ବିଚାର କରାଯାଉ । ଗୃହରେ କୌଣସି ବିଲ୍ ଉପରେ ଆଲୋଚନା ହେବା ପରେ ହିଁ ତାହା ପାରିତ ହେବାକଥା । କିନ୍ତୁ ତାହା ହେଉନାହିଁ । ଏ ନେଇ ଆମେ ରାଜ୍ୟପାଳଙ୍କୁ ଜଣାଇଛୁଁ,’’ କହିଛନ୍ତି ବିରୋଧୀ ଦଳଙ୍କ ନେତା ପ୍ରଦୀପ୍ତ ନାୟକ ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ ବିଧାନ ସଭାରେ ମୁଖ୍ୟ ବିରୋଧୀ ଦଳକୁ ଅଣଦେଖା କରାଯାଉଛି ଓ ନୀତି ନିୟମକୁ ହତ୍ୟା କରାଯାଉଛି । ‘‘ଅଗଣତାନ୍ତ୍ରିକ ଭାବରେ ବିଭିନ୍ନ ବିଲ୍ ପାସ କରାଯାଉଛି । ଏହା ବାସ୍ତବିକ ନିନ୍ଦନୀୟ ଘଟଣା । ବାଚସ୍ପତି ନିରପେକ୍ଷତା ଅବଲମ୍ବନ ନ କରି ଗୋଟିଏ ନିର୍ଦ୍ଦିଷ୍ଟ ପାର୍ଟିର ନିର୍ଦ୍ଦେଶରେ ପରିଚାଳିତ ହେବା ଭଳି ଲାଗୁଛି । ସେ ଭବିଷ୍ୟତରେ ନିରପେକ୍ଷତା ଅବଲମ୍ବନ କରିବା ଉଚିତ,’’ ସେ କହିଛନ୍ତି ।
ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଓ ଅନ୍ୟ କେତେକ ବିଜେପି ବିଧାୟକ ରାଜ୍ୟପାଳଙ୍କୁ ଭେଟିଥିଲେ ।
ବିଜେଡିର କ୍ଷମା ପ୍ରାର୍ଥନା ଦାବି ନେଇ ନାୟକ କହିଛନ୍ତି, ‘‘ଆମେ ନିଲମ୍ବିତ ହେବା ପରେ ଆଉ କ’ଣ ଭୁଲ ମାଗିବୁ?’’
ରାଜ୍ୟପାଳଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ‘‘ବିଧାନ ସଭା କିଭଳି ଚାଲିଛି ଆମେ ରାଜ୍ୟପାଳଙ୍କୁ ସେ ସମ୍ପର୍କରେ ଜଣାଇଲୁ । ସଂଖ୍ୟା ଗରିଷ୍ଠତା ଥିବାରୁ ସେମାନେ (ଶାସକ ଦଳ ବିଜେଡି) ମନ ଇଚ୍ଛା ଗୃହ ଚଳାଉଛନ୍ତି । ସଂଖ୍ୟା ଗରିଷ୍ଟତାର ଯେଉଁ ଗର୍ବରେ ସେମାନେ ରହିଛନ୍ତି ତାହା ଦିନେ ତାଙ୍କ ପାଇଁ କାଳ ହେବ ।’’
ମିଶ୍ର ଆହୁରି କହିଛନ୍ତି, ‘‘କାହାକୁ ଦଣ୍ଡ ଦେବା ପୂର୍ବରୁ ନିଜ ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯାଏ, ହେଲେ ତାହା ଏଠି ହେଲା ନାହିଁ । ବିରୋଧୀ ଦଳ ନେତାଙ୍କୁ ମଧ୍ୟ ପକ୍ଷ ରଖିବାକୁ ଦିଆଗଲା ନାହିଁ । ତାଙ୍କ ଦଳର ଲୋକେ ଭିଡିଓ ଦେଖିଲେ ଓ କାର୍ଯ୍ୟାନୁଷ୍ଠାନ ନେଲେ । କ’ଣ ପାଇଁ ବିଧାନ ସଭାକୁ ଖଣି ଓ ଆଇନ ଶୃଙ୍ଖଳା କଥା ଆସିଲେ ବିଧାନ ସଭା ବନ୍ଦ ହୋଇଯାଉଛି ତା’ର ଉତ୍ତର ଦେଇପାରିବେ କି ସରକାର? ବିଧାନ ସଭା ଭିତରେ ସବୁ ବିରୋଧୀ ଏକଜୁଟ ହୋଇ ଲଢ଼ିବାର ଆବଶ୍ୟକତା ଅଛି ।’’