ଭୁବନେଶ୍ୱରରେ ପୁଣି କାର୍ଯ୍ୟକ୍ଷମ ହେଲା କୋଭିଡ ହସପିଟାଲ୍ ଓ କୋଭିଡ୍ କେୟାର ସେଣ୍ଟର୍
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ରାଜ୍ୟରେ ସ୍ଥିତି ବିଗିଡି଼ବାକୁ ଆଉ ବେଶୀ ସମୟ ଲାଗି ନ ପାରେ । ତେଣୁ ବନ୍ଦ୍ ଥିବା କୋଭିଡ ହସ୍ପିଟାଲ୍ ଓ କୋଭିଡ କେୟାର୍ ସେଣ୍ଟରଗୁଡ଼ିକୁ ପୁଣି କାର୍ଯ୍ୟକ୍ଷମ କରାଯାଇଛି ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି ।
- news18-Odia
- Last Updated: April 14, 2021, 11:56 PM IST
- SUBHLAXMI BAL TV
News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଦୈନିକ ୨୦୦ ପାଖାପାଖି କରୋନା ସଂକ୍ରମଣର ମାମଲା ସାମନାକୁ ଆସୁଥିବାରୁ ସତର୍କ ହୋଇଛି ବି.ଏମ୍.ସି. । ସହରରେ ପୁଣି ଖୋଲିଛି ବନ୍ଦ୍ ଥିବା କୋଭିଡ ହସ୍ପିଟାଲ ଓ କୋଭିଡ କେୟାର୍ ସେଣ୍ଟର୍ । ବି.ଏମ୍.ସି. ଦ୍ଵାରା ଅନୁବନ୍ଧିତ ଘରୋଇ ହସ୍ପିଟାଲଗୁଡ଼ିକୁ ବି ପ୍ରସ୍ତୁତ ରହିବାକୁ ଆଲର୍ଟ କରାଯାଇଛି । ସଜାଗ ନ ହେଲେ ସ୍ଥିତି ଭୟାନକ ହେବ ବୋଲି ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ । କଟକଣା ଅଧିକ କରିବାକୁ ବି.ଏମ୍.ସି. ଯୋଜନା କରୁଛି।
ବୁଧବାର ଠାରୁ ଭୁବନେଶ୍ୱରରେ ପୁଣି କାର୍ଯ୍ୟକ୍ଷମ ହୋଇଛି ୧୦୦ ଶଯ୍ୟା ବିଶିଷ୍ଟ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲ୍ । ସେଥି ମଧ୍ୟରୁ ୨୦ଟି ଜେନେରାଲ୍ ବେଡ଼ ଥିବା ବେଳେ ୪୦ଟି ଆଇସିୟୁ ବେଡ଼ ଓ ୩୦ଟି ଏଚ୍.ଡି.ୟୁ. ବେଡ଼ ରହିଛି । ସମ୍ କୋଭିଡ୍ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୨୫୦ରୁ ୫୦୦କୁ ବୃଦ୍ଧି କରାଯାଇଛି । ସେଥି ମଧ୍ୟରେ ୧୨୫ଟି ଆଇସିୟୁ ବେଡ଼ ଓ ୬୫ଟି ଏଚ୍.ଡି.ୟୁ. ବେଡ଼ ରହିଛି ।
ଏହା ବି ପଢ଼ନ୍ତୁ | କେତେ ସ୍ୱପ୍ନ ନେଇ ବାହା ହୋଇଥିଲା; କ୍ରେଟା କାର୍ ଓ ୨ ଲକ୍ଷ ଟଙ୍କା ନ ଆଣିବାରୁ ଜୀବନ ଗଲା
ପଟିଆରେ ୪୫ ବେଡ଼ ବିଶିଷ୍ଟ ଓ ଡୁମୁଡୁମାରେ ୬୦ ବେଡ଼ ବିଶିଷ୍ଟ କୋଭିଡ୍ କେୟାର୍ ସେଣ୍ଟର ପୁନଃ କର୍ଯ୍ୟକ୍ଷମ ହୋଇଛି। ଏହା ସହ ଗତ ବର୍ଷ ବି.ଏମ୍.ସି. ଦ୍ଵାରା ଅନୁବନ୍ଧିତ ଅନ୍ୟ ଘରୋଇ ହସ୍ପିଟାଲ୍ ଯଥା କିମ୍ସ, ନୀଳାଚଳ ଓ ହାଇଟେକ୍ ହସ୍ପିଟାଲ୍ ସହ ଆଲୋଚନା ଓ ଯୋଗାଯୋଗ ବି କରାଯାଇଛି । ଆବଶ୍ୟକତା ଅନୁସାରେ ପର୍ଯ୍ୟାୟକ୍ରମେ ସେ ସବୁ ଚାଲୁ କରାଯିବ ବୋଲି ବି.ଏମ.ସି. କର୍ତ୍ତୃପକ୍ଷ କହିଛନ୍ତି ।
ଏହା ବି ପଢ଼ନ୍ତୁ | କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲା
ପଟିଆ ଓ ଡୁମୁଡୁମାରେ ଥିବା କୋଭିଡ୍ କେୟାର୍ ସେଣ୍ଟର୍ ବି ପୁନଃ କର୍ଯ୍ୟକ୍ଷମ ହୋଇଛି ।
‘‘କଣ୍ଟାକ୍ଟ ଟ୍ରେସିଂ ପାଇଁ ୧୦ଟି ଆର୍.ଆର୍.ଟି. ଟିମ୍ କଣ୍ଟ୍ରୋଲ୍ ରୁମରେ ମୁତୟନ ହୋଇଥିବା ବେଳେ ୨୪ଟି ଟିମ୍ ବିଭିନ୍ନ ଜୋନରେ କାର୍ଯ୍ୟରତ ହୋଇଛନ୍ତି । ହୋମ୍ ଆଇସୋଲେସନରେ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବା ସହ ଆବଶ୍ୟକତା ଅନୁସାରେ ହସ୍ପିଟାଲକୁ ସ୍ଥାନାନ୍ତର କରୁଛନ୍ତି ସେମାନେ । ନିୟମିତ ଭାବେ ସେମାନେ ରୋଗୀଙ୍କ ସହ ଯୋଗାଯୋଗର ଅଛନ୍ତି,’’ କହିଛନ୍ତି ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧରୀ ।
ଏହା ବି ପଢ଼ନ୍ତୁ | Jio ଆଣିଲା IPL 2021 ଉପଭୋଗ କରିବା ପାଇଁ ୧୦୦% ଲାଭପ୍ରଦ ଯୋଜନା; ପ୍ରତି ଦିନ ପୁରସ୍କାର ଜିତନ୍ତୁ
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ରାଜ୍ୟରେ ସ୍ଥିତି ବିଗିଡି଼ବାକୁ ଆଉ ବେଶୀ ସମୟ ଲାଗି ନ ପାରେ । ପଶ୍ଚିମ ଓଡ଼ିଶାରେ କରୋନା ଭାଇରସ୍ ମାଡ଼ିଲାଣି । ଉପକୂଳ ଓଡ଼ିଶାରେ ଭୁବନେଶ୍ୱରକୁ ବାଦ୍ ଦେଲେ ଅନ୍ୟ ସ୍ଥାନରେ ସ୍ଥିତି ଠିକ୍ ଠାକ୍ ରହିଛି । କିନ୍ତୁ ସତର୍କ ନ ରହିଲେ ସେଠି ବି ସ୍ଥିତି ଭୟାନକ ହେବ।
ଏହା ବି ପଢ଼ନ୍ତୁ | ‘ସୈନ୍ୟମାନେ ତ ଦରମା ନେଉଛନ୍ତି; ଲଢ଼େଇରେ ତାଙ୍କର ମୃତ୍ୟୁ ହେଲେ ସହିଦ କୁହାଯାଇପାରିବ ନାହିଁ’
‘‘କୋଭିଡକୁ ନେଇ ଲୋକଙ୍କ ମନରେ ଭୟ ନାହିଁ । ତେଣୁ ଲୋକେ ନିୟମ ମାନୁନାହାନ୍ତି । ଛକ ବଜାର ହେଉ କି ହସ୍ପିଟାଲ୍ ହେଉ ସବୁଠି ମାଳ ମାଳ ଲୋକ । ତେଣୁ ଅନ୍ୟ ରାଜ୍ୟ ଭଳି ଏଠି ବି ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି । ସମ୍ ହସ୍ପିଟାଲରେ ବେଡ଼ ସଂଖ୍ୟା ବଢି଼ଛି । ସେହି ଅନୁସାରେ ରୋଗୀ ସଂଖ୍ୟା ବି ବଢ଼ିଲାଣି । ୩୦୦ରୁ ଅଧିକ କୋଭିଡ୍ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ସେଥିରୁ ୮୫ ଜଣ ଆଇସିୟୁରେ ଅଛନ୍ତି । ତେଣୁ ସତର୍କ ନ ହେଲେ ସ୍ଥିତି କ’ଣ ହେବ ତାହା ଚିନ୍ତା କରିବା କଷ୍ଟ,’’ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡଃ ଅଶୋକ ମହାପାତ୍ର ।
କ୍ରମାଗତ ଭାବେ ୧୦୦ ଉପରେ ରହୁଛି ରାଜଧାନୀରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏପ୍ରିଲ୍ ୯ ତାରିଖରେ ୧୫୦ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୦ ତାରିଖରେ ୧୭୧, ୧୧ ତାରିଖରେ ୧୪୮, ୧୨ ତାରିଖରେ ୧୯୦ ଓ ୧୩ ତାରିଖରେ ୧୯୧ ଜଣ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢ଼ୁଥିବାରୁ ଅଧିକ କୋଭିଡ କେୟାର୍ ସେଣ୍ଟର ଓ ହସ୍ପିଟାଲ ଖୋଲିବାକୁ ଲକ୍ଷ୍ୟ ଥିବା କହିଛି ବି.ଏମ୍.ସି. । ପୂର୍ବରୁ ଘାଟିକିଆ, ଗଜପତିନଗର ଓ କିଟରେ ତିନିଟି ଓୟୋ (OYO) ହୋଟେଲରେ ୪୦ ଶଯ୍ୟା ବିଶିଷ୍ଟ ଦେୟଯୁକ୍ତ ସଙ୍ଗରୋଧ ଗୃହ ବି ଚାଲୁ ରହିଛି ।