ଆଜିଠୁ ଲକଡାଉନ୍: ହସପିଟାଲ୍ ଯାଉଛନ୍ତି? ପାଖରେ ପରିବା ବ୍ୟାଗ୍ ବାହାରିଲେ ଧରିବ ପୋଲିସ
ଲକଡାଉନ୍ ସମୟରେ କାହାକୁ ଯଦି ନିହାତି ଜରୁରୀ କାମରେ ଘରୁ ବାହାରିବାକୁ ପଡୁଛି ସେଥି ପାଇଁ ଭୁବନେଶ୍ୱର ପୋଲିସ ପକ୍ଷରୁ ଇ-ଆସିଷ୍ଟାନ୍ସ ସେବା ଆରମ୍ଭ କରାଯାଇଛି । ଏହି ସେବା ପାଇଁ ‘ଡାଏଲ୍ ୧୦୦’କୁ କଲ୍ କରିବାକୁ ପଡ଼ିବ ।
- news18-Odia
- Last Updated: May 5, 2021, 1:28 AM IST
- DIPAK KUMAR SAMAL TV
News18 Odia Digital
ଭୁବନେଶ୍ୱର: ମେ ୫ରୁ ରାଜ୍ୟରେ ଆରମ୍ଭ ହେଉଥିବା ଲକଡାଉନକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଭୁବନେଶ୍ୱରରେ ପୋଲିସ ବଳ ପ୍ରସ୍ତୁତ ହୋଇ ରହିଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ସୁବିଧା ବ୍ୟତୀତ ଅନ୍ୟ କୌଣସି କାରଣରୁ ପଦାକୁ ନ ବାହାରିବାକୁ ଭୁବନେଶ୍ୱରବାସୀଙ୍କୁ ନିବେଦନ କରିଛି କମିଶନରେଟ ପୋଲିସ ।
ଲକଡାଉନ୍ ସମୟରେ ଗାଡି଼ ବାହାର ନ କରି ପାଖ ଦୋକାନକୁ ଚାଲି ଚାଲି ଯିବାକୁ ଲୋକଙ୍କୁ କୁହାଯାଇଛି । ଲକଡାଉନ୍ ସମୟରେ ସବୁ ସ୍ଥାନରେ ପୋଲିସ ମୁତୟନ ରହିବେ । ଭୁବନେଶ୍ୱରକୁ ଛଅଟି ଜୋନରେ ବିଭକ୍ତ କରାଯାଇଛି । ବରିଷ୍ଠ ଅଫିସରମାନଙ୍କୁ ଜୋନ୍ ହିସାବରେ ଦାୟିତ୍ୱ ଦିଆଯାଇଛି । ସବୁ ଛକ ଓ ପ୍ରବେଶ ପଥଗୁଡି଼କରେ ଚେକିଂ ଜୋରଦାର୍ ହେବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ମିଳିଲା; କହିଲା ‘‘ଆପଣଙ୍କ ଜୀବନର ଆଉ ୪ ଦିନ ବାକି ଅଛି’’
ବୁଧବାର ସକାଳ ୬ଟାରୁ ଲାଗୁ ହେବାକୁ ଯାଉଛି ଲକଡାଉନ୍ କଟକଣା । ଭୁବନେଶ୍ୱରରେ ଲକଡାଉନ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରିଛି କମିଶନରେଟ୍ ପୋଲିସ । ଭୁବନେଶ୍ୱର ୟୁପିଡ଼ିରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଉଛି । ୨୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୧୫୦ଜଣ ଟ୍ରାଫିକ୍ ପୋଲିସ କର୍ମୀ ବିଭିନ୍ନ ସ୍ଥାନରେ ନଜର ରଖିବେ । ଭୁବନେଶ୍ୱରରେ ୫୦ରୁ ଅଧିକ ସ୍ଥାନରେ ପୋଲିସ ନାକାବନ୍ଦି କରିଛି ।
ମେ ୪ ସନ୍ଧ୍ୟାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପୋଲିସ କମିଶନର୍ ଓ ଡିସିପି କଥା ହେଉଛନ୍ତି ।
‘‘ଲକଡାଉନ୍ ବେଳେ ରାସ୍ତାରେ କେବଳ ଅତ୍ୟାବଶ୍ୟକୀୟ ସେବାରେ ମୁତୟନ ଥିବା କର୍ମଚାରୀମାନେ ଯାଇପାରିବେ । ଏହା ବ୍ୟତୀତ ଭ୍ୟାକସିନ୍ ନେବାକୁ ଯାଉଥିବା ଲୋକେ ଓ କୋଭିଡ୍ ଟେଷ୍ଟ କରିବାକୁ ଯାଉଥିବା ଲୋକଙ୍କ ଉପରେ କୌଣସି କଟକଣା ନାହିଁ । କୃଷି, କାରଖାନା, ବିବାହ ସମାରୋହ ଓ କନଷ୍ଟ୍ରକ୍ସନ ସ୍ଥଳକୁ ଯାଉଥିବା ଲୋକଙ୍କୁ ନିଜ ପ୍ରମାଣ ପତ୍ର ଦେଖେଇବାକୁ ପଡି଼ବ,’’ କହିଛିନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ମେଟ୍ରୋ ଟ୍ରେନ୍ ଯାଉଥିବା ବେଳେ ପୋଲ ଭୁଶୁଡ଼ିଲା; ୨ଟି ଡବା ରାସ୍ତା ଉପରେ ଝୁଲି ରହିଲେ; ୨୩ ମୃତ
ଅମାନିଆଙ୍କୁ ଚେତାବନୀ ଦେଇ ସେ କହିଛନ୍ତି, ‘‘ହସପିଟାଲ ଯାଉଛି ବୋଲି କହି ପ୍ରେସକ୍ରିପ୍ସନ୍ ଦେଖାଉଥିବା ଲୋକଙ୍କ ପାଖରେ ଯାଞ୍ଚ ବେଳେ ଯଦି ପରିବା ବ୍ୟାଗ ବାହାରେ ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଗତ ଥର ଏଭଳି ଉପାୟରେ ବହୁତ ଲୋକ ହସପିଟାଲ୍ ବାହାନା ଦେଖାଇ ଗାଡି଼ ଧରି ବୁଲୁଥିଲେ । ଯାଞ୍ଚ ବେଳେ ପାଖରୁ ପରିବା ବ୍ୟାଗ୍ ଓ ଆହୁରି ଅନେକ ଜିନିଷ ମିଳିଥିଲା । ରାଜଧାନୀରେ ଏଭଳି ଅମାନିଆଙ୍କ ଉପରେ ପୋଲିସ ଅଧିକ ନଜର ରଖିବ ।’’
ଏହା ବି ପଢ଼ନ୍ତୁ | Bengal Polls: ରାହୁଳ ଗାନ୍ଧି ଯେଉଁ ଯେଉଁ ଆସନ ପାଇଁ ପ୍ରଚାର କରିଥିଲେ ସେଠି କଂଗ୍ରେସ ଜମାନତ ହରାଇଛି
ଇମରଜେନ୍ସିରେ ଯଦି କାହାକୁ ଘରୁ ବାହାରିବାର ଆବଶ୍ୟକତା ପଡୁଛି ସେଥି ପାଇଁ ଭୁବନେଶ୍ୱର ୟୁପିଡି ପକ୍ଷରୁ ଇ-ଆସିଷ୍ଟାନ୍ସ ସେବା ଆରମ୍ଭ କରାଯାଇଛି । ଲକଡାଉନ ସମୟରେ ରାଜଧାନୀ ବାସିନ୍ଦାମାନେ ଏହାର ସୁବିଧା ପାଇ ପାରିବେ ।
ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ
‘‘ଯଦି କୌଣସି ଲୋକକୁ ଅତି ଦରକାର କାମରେ ବାହାରକୁ ବାହାରିବାକୁ ହେଉଛି ତେବେ ସେ ‘ଡାଏଲ୍ ୧୦୦’କୁ କଲ୍ କରିପାରିବେ । ଫୋନ୍ କରିବା ପରେ ପୋଲିସକୁ ସମସ୍ତ ତଥ୍ୟ ଦେବେ । କୁଆଡ଼େ ଯିବେ, କଣ ପାଇଁ ଯିବେ, କେଉଁଠୁ ବାହାରିବେ ଭଳି ପୋଲିସ ପ୍ରଶ୍ନର ଉତ୍ତର ଦେବେ । ଏହା ପରେ ପୋଲିସ ତାଙ୍କର ପଞ୍ଜିକରଣ କରିବ ଓ ତାଙ୍କ ଫୋନ୍ ନମ୍ବରକୁ ଏକ ଏସ୍.ଏମ୍.ଏସ୍. ଆସିବ । ସେହି ମେସେଜ୍ ଦେଖାଇ ସେ ଭୁବନେଶ୍ୱର ମଧ୍ୟରେ ନିଜ କାମ କରି ପାରିବେ,’’ କହିଛନ୍ତି ଡିସିପି ।
ଲକଡାଉନ ପାଳନ କରିବାକୁ ପ୍ରସ୍ତୁତ ଥିବା ପୋଲିସ ଯଥେଷ୍ଟ ସେବା ଯୋଗାଇବା ସହ ଲକଡାଉନ୍ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛେଇବ ନାହିଁ ବୋଲି ଚେତାବନୀ ଦିଆଯାଇଛି ।